ଶାହ-ମମତା ବାକ୍‌ଯୁଦ୍ଧ; ସାମାନ୍ୟ ଆଘାତ ପାଇଁ ହ୍ବିଲ୍‌ ଚେୟାରରେ ଦିଦି: ଶାହ

ବିଜେପି ଦଙ୍ଗା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରୁଛି: ମମତା

କୋଲକାତା: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳର ପ୍ରଚାର ଜୋର୍‌ଦାର ହେବାରେ ଲାଗିଛି। ଶାସକ ତୃଣମୂଳ ଏବଂ ବିଜେପି ମଧ୍ୟରେ ଚାଲିଛି ବାକ୍‌ଯୁଦ୍ଧ। ଅମିତ ଶାହ ବାଙ୍କୁଡ଼ାରେ ନିର୍ବାଚନୀ ସଭା କରିଥିବା ବେଳେ ମମତା ବାନାର୍ଜୀ ପୁରୁଲିଆରେ ଆଜି ସମାନ୍ତରାଳ ରୢାଲି କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ହ୍ବିଲ୍‌ ଚେୟାର୍‌ ବସି ନିର୍ବାଚନ ପ୍ରଚାର କରୁଥିବାରୁ କଟାକ୍ଷ କରିଛନ୍ତି। ଶାହ କହିଛନ୍ତି, ଗୋଡ଼ରେ ସାମାନ୍ୟ ଆଘାତ ପାଇଁ ଦିଦିଙ୍କୁ ବହୁତ କଷ୍ଟ ହେଉଛି । ରାଜ୍ୟରେ ବିଜେପିର ୧୩୦ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତକମାନେ ବି କାହାର ପୁଅ, ଭାଇ ଆଉ ସ୍ବାମୀ ହୋଇଥିବେ। ସେମାନଙ୍କ କଷ୍ଟ ସେ ଅନୁଭବ କରିପାରୁ ନାହାନ୍ତି। ଦିଦିଙ୍କ ଆଘାତକୁ ନେଇ ଟିଏମ୍‌ସି କହୁଛି ଏହା ବଡ଼ ଷଡ଼ଯନ୍ତ୍ର। ‌େତବେ ଏହା ଦୁର୍ଘଟଣା ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଦେଇଛନ୍ତି। ଶାହ କହିଛନ୍ତି, ମୁଁ ଏ ରାଜ୍ୟକୁ ଆସୁଥିବାବେଳେ ମୋ ହେଲିକପ୍ଟର ଯଦି ଖରାପ ହୋଇଯିବ ତେବେ ଏହା ଷଡ଼ଯନ୍ତ୍ର ବୋଲି ମୁଁ କେବେବି କହିବି ନାହିଁ। ଅନ୍ୟପକ୍ଷରେ ଆଜି ଆଦିବାସୀ ଓ କୁଡୁମୀ କାର୍ଡ ଖେଳିଛନ୍ତି ମମତା ବାନାର୍ଜୀ।

ଆଜି ପୁରୁଲିଆର ଝାଲଦା ଏବଂ ବଳରାମପୁରରେ ହ୍ବିଲ୍‌ ଚେୟାରରେ ବସି ରୢାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ଟଙ୍କା ବଦଳରେ ଭୋଟ୍‌ କିଣିବାକୁ ବିଜେପି ଉଦ୍ୟମ କରୁଛି। ବିଜେପି ରାଜ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ବାହାର ରାଜ୍ୟର ଗୁଣ୍ଡାଙ୍କୁ ପଠାଇବାକୁ ଯୋଜନା କରୁଛନ୍ତି। ଈଶ୍ବରଙ୍କ କୃପାରୁ ନନ୍ଦୀଗ୍ରାମରେ ସୌଭାଗ୍ୟବଶତଃ ମୁଁ ବଞ୍ଚିଗଲି। କିଛି ଲୋକ ଭାବୁଥିଲେ ଏହି ଆଘାତ କାରଣରୁ ମୁଁ ବାହାରକୁ ବାହାରି ପାରିବି ନାହିଁ। ନିର୍ବାଚନ ପ୍ରଚାର କରି ପାରିବି ନାହିଁ। କେହି ବି ମୋର କଣ୍ଠରୋଧ କରିପାରିବେ ନାହିଁ ବୋଲି ମମତା କହିଛନ୍ତି। ନିଜ କଷ୍ଟ ଅପେକ୍ଷା ରାଜ୍ୟବାସୀଙ୍କ କଷ୍ଟ ମୋ ପାଇଁ ବଡ଼। ବାଂଲାକୁ ରକ୍ଷା କରିବା ମୋର କର୍ତ୍ତବ୍ୟ ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଫଳତା କହିବାକୁ ଯାଇ ଡିଜେଲ, ଏଲ୍‌ପିଜି ଏବଂ କିରୋସିନିର ଦରବୃଦ୍ଧି କଥା ମମତା ଉଠାଇଥିଲେ। ଦରବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣ ନାହିଁ। ଏହାଦ୍ବାରା ଦେଶର ଗରିବ ଜନତା ପ୍ରଭାବିତ ହେଉଛନ୍ତି। ଏ ସରକାରକୁ ହଟାଇଲେ ହିଁ ଦେଶ ସୁରକ୍ଷିତ ରହିବ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର