ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୭ରେ ଜମ୍ମୁ-କାଶ୍ମୀରର ବଡ଼ଗାମଠାରେ ଏକ ଏମ୍ଆଇ-୧୭ଭି-୫ ହେଲିକପ୍ଟର କ୍ଷେପଣାସ୍ତ୍ର ମାଡ଼ରେ ଖସିପଡ଼ି ନଷ୍ଟ ହୋଇଯାଇଥିଲା। ଏହି ମାମଲାରେ ଭାରତୀୟ ବାୟୁସେନା ଦ୍ବାରା ଗଠିତ ଜେନେରାଲ କୋର୍ଟ ମାର୍ସାଲ (ଜିସିଏମ୍) ସମ୍ପୃକ୍ତ ଗ୍ରୁପ୍ କ୍ୟାପ୍ଟେନଙ୍କୁ ପଦଚ୍ୟୁତ କରିବାକୁ ଆଦେଶ ଦେଇଛନ୍ତି। ଭାରତୀୟ ଓ ପାକିସ୍ତାନୀ ବାୟୁସେନା ଭିତରେ ଲଢ଼େଇ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ନିଜର ହିଁ ଏକ କ୍ଷେପଣାସ୍ତ୍ର ମାଡ଼ରେ ଶ୍ରୀନଗର ଫେରୁଥିବା ଉକ୍ତ ହେଲିକପ୍ଟର ଖସିପଡ଼ିଥିଲା। ସେତେବେଳେ ଶ୍ରୀନଗର ବାୟୁସେନା ଘାଟିରେ ଚିଫ୍ ଅପରେସନ୍ସ ଅଫିସର (ସିଓଓ) ଭାବେ କାର୍ଯ୍ୟରତ ଥିଲେ ଗ୍ରୁପ୍ କ୍ୟାପ୍ଟେନ ସୁମନ ରାୟ ଚୌଧୁରୀ, ଯାହାଙ୍କୁ ଜିସିଏମ୍ ପଦଚ୍ୟୁତ କରିବାକୁ ଆଦେଶ ଦେଇଥିଲେ। କୋର୍ଟ ଅଫ୍ ଏନ୍କ୍ବାରିର ରିପୋର୍ଟ ଭିତ୍ତିରେ ଉକ୍ତ ଜିସିଏମ୍ ଗଠନ କରାଯାଇଥିଲା।
ଏହି ହେଲିପ୍ଟର ଖସିବା ଫଳରେ ସେଥିରେ ଥିବା ବାୟୁସେନାର ୬ ଜଣ ଯବାନ ଓ ତଳେ ଜଣେ ସାଧାରଣ ଲୋକର ମୃତ୍ୟୁ ଘଟିଥିଲା। ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଏ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିର ଉପରେ ଭାରତର ବିମାନ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ବାୟୁସେନା ଭିତରେ ଉକ୍ତ ଲଢ଼େଇ ଚାଲିଥିଲା। ନିୟମାନୁସାରେ ଜିସିଏମ୍ଙ୍କ ସୁପାରିସ ବିନା ବାୟୁସେନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବନି। ତେଣୁ ଜିସିଏମ୍ଙ୍କ ସୁପାରିସ ପରେ ଗ୍ରୁପ୍ କ୍ୟାପ୍ଟେନଙ୍କୁ ତାଙ୍କ ପଦରୁ ଅପସାରଣ କରାଯାଇଥିଲା।
କୋର୍ଟ ଅଫ୍ ଏନ୍କ୍ବାରିରୁ ସ୍ପଷ୍ଟ ହୋଇଥିଲା ଯେ, ଏମ୍ଆଇ-୧୭ଭି-୫ ହେଲିକପ୍ଟରଟି କ୍ଷେପଣାସ୍ତ୍ର ଦ୍ବାରା ଆଘାତ ପାଇ ତଳକୁ ଖସିଛି। ଭାରତୀୟ ହେଲିକପ୍ଟରକୁ ଶତ୍ରୁପକ୍ଷର ଭାବି ଗ୍ରୁପ୍ କ୍ୟାପ୍ଟେନ ତା’ ଉପରକୁ କ୍ଷେପଣାସ୍ତ୍ର ଛାଡ଼ିଥିଲେ। ହେଲିକପ୍ଟରଟି ଭାରତର କି ଶତ୍ରୁପକ୍ଷର ତାହା ଚିହ୍ନଟ କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତଳେ ଥିବା କର୍ମଚାରୀ ଓ ଉପରେ ବିମାନରେ ଥିବା କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଏଥିରେ ବାଧକ ସାଜିଥିଲା।
ମାନକ ଅପରେଟିଂ ପଦ୍ଧତିରେ ତ୍ରୁଟି ହୋଇଥିବା ଜଣାପଡ଼ିଥିଲା। ଆଇଡେଣ୍ଟିଫିକେସନ ଅଫ୍ ଫ୍ରେଣ୍ଡ୍ ଅର୍ ଫୋ (ଆଇଏଫ୍ଏଫ୍) ବ୍ୟବସ୍ଥା ହେଲିକପ୍ଟର ବା ବିମାନଟି ଶତ୍ରୁ ବା ମିତ୍ର ପକ୍ଷର ଚିହ୍ନଟ କରିବା ଲାଗି ଏୟାର ଡିଫେନ୍ସ ରାଡାରକୁ ସାହାଯ୍ୟ କରିଥାଏ। ଗ୍ରୁପ୍ କ୍ୟାପ୍ଟେନ ସୁମନ ରାୟ ଚୌଧୁରୀ ଧାର୍ଯ୍ୟ ମାନଦଣ୍ଡର ଅନୁସରଣ କରି ନ ଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ନିଷ୍ପତ୍ତିରେ ପହଞ୍ଚିବା ପରେ ଜିସିଏମ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ।