ଅତ୍ୟଧିକ ସାନିଟାଇଜର ବ୍ୟବହାର ବି ଶରୀର ପାଇଁ କ୍ଷତିକାରକ : ବିଶେଷଜ୍ଞ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଆଲକହଲ ଭିତ୍ତିକ ସାନିଟାଇଜରଗୁଡ଼ିକ ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଂଗ ପାଲଟିଯାଇଛି । ଲୋକମାନେ ଦିନକୁ ଅନେକ ଥର ସାନିଟାଇଜର ବ୍ୟବହାର କରୁଛନ୍ତି । ସାନିଟାଇଜର ବ୍ୟବହାର ଦ୍ୱାରା ହାତରେ ଥିବା ପ୍ରାୟ ୯୯ ପ୍ରତିଶତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି । ଏଣୁ ଏହା ଆଜିକାଲି ଏକ ଉପଯୋଗୀ ସାମଗ୍ରୀରେ ପରିଣତ ହୋଇଛି ।

କିନ୍ତୁ ସାନିଟାଇଜରର ମଧ୍ୟ କେତେକ ପାର୍ଶ୍ୱପ୍ରତିକ୍ରିୟା ରହିଛି । ଅତ୍ୟଧିକ ସାନିଟାଇଜର ବ୍ୟବହାର ଦ୍ୱାରା ଶରୀରର କେତେକ ଅପକାର ମଧ୍ୟ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ଗୁରୁଗ୍ରାମର ଡଃ ନିହାଲ ଶାହ ଭୋରା କହିଛନ୍ତି ଯେ ସାନିଟାଇଜର ଆମ ହାତରେ ଥିବା ୯୯ ପ୍ରତିଶତ ବ୍ୟାକ୍ଟେରିଆ ନଷ୍ଟ କରିଦିଏ । କ୍ଷତିକାରକ ବ୍ୟାକ୍ଟେରିଆ ସହ ଉପକାରୀ ବ୍ୟାକ୍ଟେରିଆକୁ ମଧ୍ୟ ସାନିଟାଇଜର ନଷ୍ଟ କରିଦିଏ । ଏଣୁ ଏହା ଦ୍ୱାରା ଆଲର୍ଜି, ଏକଜିମା ଆଦି ହୋଇପାରେ । ଅତ୍ୟଧିକ ସାନିଟାଇଜର ବ୍ୟବହାର ଦ୍ୱାରା ହାତ ଶୁଷ୍କ,ଲାଲ ପଡ଼ିଯିବା, ଜ୍ୱଳନ ଅନୁଭବ ହେବା ଆଦି ହୋଇପାରେ । ପୁଣି ଏହା ଶରୀରରେ ହରମୋନ ସମସ୍ୟା, ପ୍ରଯଜନ କ୍ଷମତା ହ୍ରାସ, ପେଟରେ ଯନ୍ତ୍ରଣା, ଆଖି ଜଳାପୋଡ଼ା ହେବା, ଶରୀରର ରୋଗ ପ୍ରତିରୋଧ କ୍ଷମତା ହ୍ରାସ ପାଇପାରେ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ, ଦିଲ୍ଲୀର ମନସ୍ତତ୍ତ୍ୱବିତ ଡ. ସଂଜୟ ଚୁଘ କହିଛନ୍ତି ଯେ କେବଳ ଶାରିରୀକ ସମସ୍ୟା ନୁହେଁ, ଅତ୍ୟଧିକ ସାନିଟାଇଜର ବ୍ୟବହାର ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କଲାଣି । ସଂକ୍ରମଣ ହୋଇଗଲା ଭାବି ଲୋକମାନେ ହାତରେ ବାରମ୍ବାର ସାନିଟାଇଜର ମାରୁଛନ୍ତି ।
ଏଣୁ ଲୋକମାନେ ସବୁବେଳେ ସାନିଟାଇଜର ବ୍ୟବହାର ନ କରି ମଝିରେ ମଝିରେ ହାଣ୍ଡଓ୍ଵାସ କିମ୍ବା ସାବୁନର ବ୍ୟବହାର ମଧ୍ୟ କରିପାରିବେ । ହାତ ଧୋଇବା ପରେ ମଶ୍ଚରାଇଜର ବ୍ୟବହାର କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର