ଆମେରିକା ତାଲିବାନଙ୍କୁ ସ୍ବୀକୃତି ନ ଦେଲେ ପରିସ୍ଥିତି ଭୟଙ୍କର ହୋଇପାରେ: ଇମ୍ରାନ୍ ଖାନ୍

ଇସଲାମାବାଦ: ପାକିସ୍ତାନର ତାଲିବାନଙ୍କ ସହ ଘନିଷ୍ଠ ସମ୍ବନ୍ଧ ରହିଛି। ଏପରି କି ଆମେରିକାର ଆତଙ୍କବାଦ-ବିରୋଧୀ ଯୁଦ୍ଧ ସମୟରେ ବି ପାକିସ୍ତାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲା । ତା’ର ଏକ ବଳିଷ୍ଠ ପ୍ରମାଣ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସଦ୍ୟତମ ବୟାନ। ଇମ୍ରାନ୍ କହିଛନ୍ତି ଯେ, ଆମେରିକା ତାଲିବାନଙ୍କ ସହ କୌଣସି କଥାବାର୍ତ୍ତା କରୁନାହିଁ କିମ୍ବା ସେମାନଙ୍କୁ ସ୍ବୀକୃତି ଦେବା ବିଷୟରେ ଅନୁକୂଳ ଚିନ୍ତାଧାରା ପୋଷଣ କରୁନାହିଁ। ଏହା ପରିସ୍ଥିତିକୁ ଅଧିକ ବିଗାଡ଼ିଦେଇପାରେ। ଶୁକ୍ରବାର ଏକ ରୁଷୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ୍‌କାର ଦେଇ ଇମ୍ରାନ୍ କହିଲେ ଯେ, ଆଫଗାନିସ୍ତାନ ହେଉଛି ବର୍ତ୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ଏବଂ ଏହାକୁ ଉପେକ୍ଷା କରିହେବ ନାହିଁ।

ଯେତେବେଳେ ଆମେରିକା ବିରୋଧରେ ତାଲିବାନଙ୍କୁ ପାକିସ୍ତାନ ସାହାଯ୍ୟ କରିଥିବା ନେଇ ପଚରାଗଲା, ସେତେ‌ବେଳେ ଇମ୍ରାନ୍ କହିଲେ ଯେ, ପାକିସ୍ତାନ ସାହାଯ୍ୟ କରିବାରୁ ତାଲିବାନମାନେ ଆମେରିକାକୁ ଜିତିପାରିଲେ। ତା’ ମାନେ ପାକିସ୍ତାନ ହେଉଛି ଆମେରିକା ଓ ସମସ୍ତ ୟୁରୋପୀୟ ଦେଶଠାରୁ ବଳବାନ୍। ତେଣୁ ଏହା ୬୦,୦୦୦ ସଶସ୍ତ୍ର ଉଗ୍ରବାଦୀଙ୍କୁ ଏମିତି ତିଆରି କରିପାରିଲା, ଯାହାଫଳରେ ସେମାନେ ୩,୦୦,୦୦୦ ଉତ୍ତମ ପ୍ରଶିକ୍ଷିତ ସୈନ୍ୟବିଶିଷ୍ଟ ସଶସ୍ତ୍ର ସେନାକୁ ପରାସ୍ତ କରିପାରିଲେ। ଇମ୍ରାନ୍ ପୁଣି କହିଲେ ଯେ, ଆଫଗାନ ନାଗରିକମାନେ ବାହାର ଦେଶର ସେନା ବିରୋଧରେ ଯୁଦ୍ଧକୁ ଜିହାଦ ବୋଲି ମାନନ୍ତି ଏବଂ ତାଲିବାନମାନେ ୨୦ ବର୍ଷ ଭିତରେ ଢେର୍ ଶିକ୍ଷା କରିଛନ୍ତି।

ବୁଧବାର ଇମ୍ରାନ୍ ଖାନ୍ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ଆମେରିକାର ଯୁଦ୍ଧ ଥିଲା ଦୁର୍ଭାଗ୍ୟଜନକ ଏବଂ ୨୦ ବର୍ଷ ଧରି ଆମେରିକା ପାକିସ୍ତାନକୁ ଏକ ‘ଭଡ଼ାଟିଆ ଗୁଣ୍ଡା’ ଭାବେ ବ୍ୟବହାର କରୁଥିଲା। ଆମେରିକା ଭାବୁଥିଲା, ତାଲିବାନ ବିରୋଧୀ ଆଫଗାନ ଯୁଦ୍ଧରେ ଜିତିବା ପାଇଁ ଆମେ ତାଙ୍କୁ ସାହାଯ୍ୟ କରିଥାନ୍ତୁ। କିନ୍ତୁ ଆମେ ତାହା କଲୁନାହିଁ ବୋଲି ଇମ୍ରାନ୍ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଥିଲେ। ତେବେ ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ବୋଲି ହେଉଥିବା ଅଭିଯୋଗକୁ ସେ ଅସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର