ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ଆଫାଗାନିସ୍ତାନରେ ଭାରତୀୟ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରିଛି। ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଅତି ଜଟିଳ ଏବଂ ବିପଜ୍ଜନକ ତେଣୁ ସମସ୍ତ ନାଗରିକମାନେ ସବୁ ସମୟରେ ସର୍ବାଧିକ ସତର୍କ ରହିବାପାଇଁ ଦୂତାବାସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳିରେ କୁହାଯାଇଛି। ଆଫଗାନିସ୍ତାନରେ ରହୁଥିବା କିମ୍ବା କାର୍ଯ୍ୟ କରୁଥିବା ଭାରତୀୟ ନାଗରିକ ଏବଂ ଆଫଗାନିସ୍ତାନ ଗସ୍ତରେ ଥିବା ନାଗରିକ ସର୍ବାଧିକ ସତର୍କ ରହିବାପାଇଁ ନିର୍ଦ୍ଦେଶ ରହିଛି। ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଆବଶ୍ୟକ ନଥିଲେ ଯାତ୍ରା ବନ୍ଦ କରିବାପାଇଁ କୁହାଯାଇଛି।
ଆଫଗାନିସ୍ତାନରେ ବିଭିନ୍ନ ପ୍ରଦେଶରେ ସୁରକ୍ଷା ସ୍ଥିତି ଅତ୍ୟନ୍ତ ଜଟିଳ ରହିଥିବା ବେଳେ ୫୦ ପ୍ରତିଶତ ଅଂଚଳ ତାଲିବାନର ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବାରୁ ଆଗକୁ କିଛି ବି ଘଟିପାରେ। ଆଫଗାନିସ୍ତାନରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସେମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ବଢ଼ାଇଛନ୍ତି। ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ମଧ୍ୟ ବିପଦ ବଢ଼ିଛି। ସମସ୍ତ ପ୍ରଦେଶରେ ହତ୍ୟା ଓ ଅପହରଣ କାଣ୍ଡ ଉଦ୍ବେଗଜନକ ଭାବେ ବଢ଼ିଯାଇଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଦୂତାବସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳିରେ କୁହାଯାଇଛି, ରାସ୍ତାରେ ଯିବାବେଳେ ସମ୍ଭାବ୍ୟ ଟାର୍ଗେଟ୍ ତଥା ସାମରିକ ଗାଡ଼ି, ସରକାରୀ ମନ୍ତ୍ରାଳୟ ଗାଡ଼ି, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗାଡ଼ିଠାରୁ ଦୂରେଇ ରହିବାକୁ ହେବ। ବ୍ୟସ୍ତବହୁଳ ବଜାର, ସପିଂ ମଲ୍ , ମଣ୍ଡି, ରେସ୍ତୋରାଁ ଏବଂ ଅନ୍ୟ ସାର୍ବଜନିକ ସ୍ଥଳଠାରୁ ଦୂରେଇ ରହିବାକୁ କୁହାଯାଇଛି। ରାସ୍ତାପାର୍ଶ୍ବରେ ଆଇଇଡି ବିସ୍ଫୋରଣର ସମ୍ଭାବନା ନେଇ ମଧ୍ୟ ଦୂତାବାସ ପକ୍ଷରୁ ସତର୍କ କରାଯାଇଛି। ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆଫଗାନ ସ୍ଥିତି ନେଇ ତାଙ୍କ ପ୍ରତିପକ୍ଷଙ୍କ ସହ ଲଗାତାର ସଂପର୍କରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/654f56h4sf65h4f56sh456sf456hsfhhhhhhhhhhhhhhh.jpg)