ଅହମଦାବାଦ୍‌ ସ୍ଥିତି ଅସମ୍ଭାଳ

ମୁମ୍ବାଇ: ମୁମ୍ବାଇ ପରେ ଗୁଜରାଟର ଅହମଦାବାଦ୍‌ ସହର ଏବେ ଚିନ୍ତା ବଢ଼ାଇଛି। ଅହମଦାବାଦ୍‌ରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪୫ରେ ପହଞ୍ଚିଛି। ରାଜ୍ୟର ମୋଟ୍‌ ୬,୬୨୫ ସଂକ୍ରମଣ ମାମଲାର ଏହା ଅର୍ଦ୍ଧାଧିକ। ଅହମଦାବାଦ୍‌ରେ ମଧ୍ୟ ୨୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏଠାରେ ମୃତ୍ୟୁହାର ୬.୧ ପ୍ରତିଶତ ରହିଛି। ଜାତୀୟ ମୃତ୍ୟୁହାର ୩.୩ ପ୍ରତିଶତ ଥିବା ବେଳେ ଅହମଦାବାଦ୍‌ରେ ମୃତ୍ୟୁହାର ତାହାର ଦିଗୁଣା ରହିଛି। ଅହମଦାବାଦ୍‌ରେ ସ୍ଥିତି ଅସମ୍ଭାଳ ହେଉଯାଉଥିବାରୁ ନୂଆକରି ନିଯୁକ୍ତ ହୋଇଥିବା ଅମଲାମାନଙ୍କର ଏକ ଟିମ୍‌ ଅହମଦାବାଦ୍‌ ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଅହମଦାବାଦ୍‌ରେ ଆଜି ମଧ୍ୟରାତ୍ରିରୁ ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ୍ ଘୋଷିତ ହୋଇଛି।

ସହରରେ ଅର୍ଦ୍ଧସାମରିକ ବାହିନୀର ୫ ଅତିରିକ୍ତ କମ୍ପାନି ମୁତୟନ ହୋଇଛନ୍ତି। କେବଳ ଦୁଗ୍ଧ ଓ ଔଷଧ ଦୋକାନ ଖୋଲା ରହିବ। ଅହମଦାବାଦ୍‌ରେ ସଟ୍‌ଡାଉନ୍‌ ଘୋଷଣା ହେବା ପରେ ଲୋକମାନେ ଭୟରେ ଅଧିକ କିଣାକିଣି କରୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ସ୍ଥାନରେ ଭୟଙ୍କର ଗହଳି ହୋଇଛି ଏବଂ ସାମାଜିକ ଦୂରତ୍ବ ପ୍ରତି ବି ଗୁରୁତ୍ବ ଦିଆଯାଇନି। ଅହମଦାବାଦ୍‌ ପରି ସୁରତରେ ମଧ୍ୟ ଶନିବ‌ାର ଠାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ ହେବ। ସୁରତରେ ମଧ୍ୟ ୭୫୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅହମଦାବାଦ୍‌ରେ ଘରୋଇ ହସ୍ପିଟାଲ୍‌ ଏବଂ କ୍ଲିନିକ୍‌ ଗୁଡ଼ିକ ନଖୋଲିଲେ, କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ମାର୍ଚ୍ଚ ୨୫ ତାରି‌ଖରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଅହମଦାବାଦ୍‌ରେ ଅଧିକାଂଶ ଘରୋଇ ହସ୍ପିଟାଲ୍‌ ବନ୍ଦ ଥିଲା। ତେଣୁ ସଂକ୍ରମଣ ମାମଲା ବଢ଼ୁଥିବାରୁ ଏହିସବୁ ହସ୍ପିଟାଲ୍‌ ଖୋଲିବାକୁ କୁହାଯାଇଛି। ଅହମଦାବାଦ୍‌ରେ ମଧ୍ୟ ୯ଟି ଘରୋଇ ହସ୍ପିଟାଲ୍‌କୁ ବିପର୍ଯ୍ୟୟ ରୋଗ ନିୟନ୍ତ୍ରଣ ଆଇନ ଅଧୀନରେ କୋଭିଡ୍‌ ହସ୍ପିଟାଲ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର