ଦିଲ୍ଲୀ ସ୍ଥିତି ଭୟଙ୍କର: ସଂକ୍ରମଣ ବଢ଼ୁଛି, ବେଡ୍ ଓ ଅକ୍ସିଜେନ୍‌ ଅଭାବ

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡ଼ରେ ୫୦% କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରୁ ଭୟଙ୍କର ସ୍ଥିତି ଉପୁଜିଛି। ଆଇସିୟୁ ବେଡ୍ ଓ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଲାଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ତେବେ ବେଡ୍‌ ବୃଦ୍ଧି ପାଇଁ ବିଭିନ୍ନ ତ୍ବରିତ ପଦକ୍ଷେପ ଗ୍ରହଣ ହୋଇଛି ବୋଲି ସେ କହିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୨୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ପଜିଟିଭ୍‌ ହାର ୨୪ ପ୍ରତିଶତ ଟପିଯାଇଛି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ହେଉଛି। ଅକ୍ସିଜେନ୍‌, ଆଇସିୟୁ ବେଡ୍‌ ଏବଂ ରେମ୍‌ଡେସଭିରର ଅଭାବ ଦେଖାଦେଇଛି। କେଜ୍ରିୱାଲ୍ କହିଛନ୍ତି, ନଭେମ୍ବର‌ରେ ୪,୧୦୦ ବେଡ୍‌ ତୁଳନାରେ ଏବେ ଦ୍ବିତୀୟ ଲହରରେ କେନ୍ଦ୍ର ସରକାର ୧,୮୦୦ ବେଡ୍‌ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀରେ କୋଭିଡ୍‌ ରୋଗୀଙ୍କ ପାଇଁ ୫୦ ପ୍ରତିଶତ ବେଡ୍‌ ସଂରକ୍ଷିତ ରଖିବାପାଇଁ କେଜ୍ରିୱାଲ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି। ଯେତେ ଅଧିକ ବେଡ୍ ବୃଦ୍ଧି ହେଉଥିଲେ ସୁଦ୍ଧା ସଂକ୍ରମଣ ବଢ଼ୁଥିବାରୁ ବିପଜ୍ଜନକ ସ୍ଥିତି ଉପୁଜୁଛି।

ଅନ୍ୟପକ୍ଷେ ସଂପ୍ରତି ଦେଶରେ ମୋଟ୍‌ କରୋନା ମୃତ୍ୟୁର ୫୦ ପ୍ରତିଶତ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡ଼ରେ ରହିଛି। ଗତ ୨୪ ଘଣ୍ଟା‌ରେ ଦେଶରେ ୧୩୪୧ କରୋନା ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ ୧୦ ରାଜ୍ୟରୁ ୮୫.୮୩ ପ୍ରତିଶତ କରୋନା ମୃତ୍ୟୁ ହୋଇଛି। କିନ୍ତୁ କେବଳ ମହାରା‌ଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ରେ ପ୍ରାୟ ୫୦ ପ୍ରତିଶତ କରୋନା ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩୯୮, ଦିଲ୍ଲୀରେ ୧୪୧, ଛତିଶଗଡ଼ରେ ୧୩୮, ଉତ୍ତରପ୍ରଦେଶରେ ୧୦୩, ଗୁଜରାଟରେ ୯୪, କର୍ଣ୍ଣାଟକରେ ୭୮, ମଧ୍ୟପ୍ରଦେଶରେ ୬୦, ଝାଡ଼ଖଣ୍ଡରେ ୫୬, ପଂଜାବରେ ୫୦, ତାମିଲନାଡ଼ୁରେ ୩୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହି ୧୦ଟି ରାଜ୍ୟରୁ ୮୫.୮୩ ପ୍ରତିଶତ କରୋନା ମୃତ୍ୟୁ ହୋଇଛି। କର୍ଣ୍ଣାଟକ ଏବଂ କେରଳ‌ରେ ମଧ୍ୟ ଅତି ଜଟିଳ ସ୍ଥିତି ଉପୁଜିଛି। କର୍ଣ୍ଣାଟକରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୧୭,୫୦୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ସଂକ୍ରମଣ ମାମଲା ୧୩,୮୩୫ ରହିଛି।

ସମ୍ବନ୍ଧିତ ଖବର