ଟେଲ୍‌ ଅଭଭ୍‌: ଇସ୍ରାଏଲ-ହମାସ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଥିବାବେଳେ ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଛି । ଯୁଦ୍ଧ ଯୋଗୁଁ ଗାଜାରେ ୨୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଲେବାନନ୍‌ ସୀମାରେ ମଧ୍ୟ ଗୁଳି ବିନିମୟ ଜାରି ରହିଛି। ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟ ପରସ୍ପର ବିରୋଧରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଅନୁଯାୟୀ ଲେବାନନ୍‌ରୁ ୪ ଜଣ ଆତଙ୍କବାଦୀ ଇସ୍ରାଏଲକୁ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ନିପାତ କରାଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ ଗାଜାକୁ ମାନବୀୟ ସହାୟତା‌ ବନ୍ଦ କରିଥିବାରୁ ଗାଜାରେ ଅତି ଭୟଙ୍କର ମାନବୀୟ ସଙ୍କଟ ଉପୁଜିଛି। ଗାଜାରେ ଲୋକଙ୍କ ପାଖରେ ଏବେ ଖାଦ୍ୟ ନାହିଁ କି ପାଣି ନାହିଁ। ଗାଜାକୁ ମାନବୀୟ ସହାୟତା ପହଞ୍ଚି ପାରୁନି। ଇସ୍ରାଏଲ ଗାଜାକୁ ଘେରାବନ୍ଦୀ କରିଥିବାରୁ ଗାଜା ଅଭିମୁଖେ ଆସିଥିବା ମାନବୀୟ ସହାୟତା ବୋଝେଇ ଟ୍ରକ୍‌ ଗୁଡ଼ିକ ଇଜିପ୍ଟ ସୀମାରେ ଫସି ରହିଛି। ରାଫା ସୀମା ଖୋଲିବାକୁ ଅପେକ୍ଷା। ଏହା ଗାଜା‌ରୁ ଇଜିପ୍ଟକୁ ଏକମାତ୍ର ଯୋଗାଯୋଗ ପଥ। ତେବେ ଖାଦ୍ୟ ଏବଂ ପାଣି ଅଭାବରୁ ଗାଜାରେ ଅତି ଭୟଙ୍କର ସଙ୍କଟ ଉପୁଜିଛି। ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣ କରିବା ଜାରି ରଖିଛି। ହଜାର ହଜାର ଲୋକ ଏବେ ବି ଉତ୍ତର ଗାଜା ଛାଡ଼ି ଦକ୍ଷିଣ ଗାଜା ମୁହାଁ ହୋଇଛନ୍ତି। ଗାଜାରୁ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହେଲେଣି।

Advertisment

ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆସନ୍ତାକାଲି ଇସ୍ରାଏଲ ଗସ୍ତ କରିବେ। ଇସ୍ରାଏଲ ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଥିବା ସମୟରେ ବାଇଡେନଙ୍କ ଇସ୍ରାଏଲ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବାଇଡେନ ଗତକାଲି ଇସ୍ରାଏଲକୁ ଚେତାଇ କହିଥିଲେ ଯେ ଗାଜାରେ ଇସ୍ରାଏଲର ସ୍ଥଳ ଅଭିଯାନ ମସ୍ତ ବଡ଼ ଭୁଲ୍‌ ହୋଇଯିବ। ଆସନ୍ତାକାଲି ବାଇଡେନ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ। ଗାଜାରେ ଇସ୍ରାଏଲର ସ୍ଥଳ ଅଭିଯାନ ସଂକ୍ରାନ୍ତରେ ବାଇଡେନ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।