ଶ୍ରୀଲଙ୍କା ସ୍ଥିତି ବିସ୍ଫୋରକ: ନେତାଙ୍କ ଉପରୁ ଭରସା ତୁଟିଲାଣି

ରାଷ୍ଟ୍ରପତି ଭବନରୁ ମିଳିଲା ୧୮ ନିୟୁତ ନଗଦ ରାଶି! ରାଷ୍ଟ୍ରପତି ଭବନରେ ଗୁପ୍ତ ବଙ୍କର ଠାବ

କଲମ୍ବୋ: ଶ୍ରୀଲଙ୍କା ଅତି ସାଂଘାତିକ ଆର୍ଥିକ ସଙ୍କଟରୁ ମୁକୁଳି ପାରୁନଥିବା ବେଳେ ଗତକାଲିଠାରୁ ଆରମ୍ଭ ହୋଇଥିବା ବିଦ୍ରୋହକୁ ରୋକିବାରେ ସୁରକ୍ଷା ବାହିନୀ ବ୍ୟର୍ଥ ହୋଇଛି। ୫୦ ହଜାରରୁ ଅଧିକ ଜନତା କଲୋମ୍ବାର ପ୍ରମୁଖ ସରକାରୀ ଅନୁଷ୍ଠାନ ଏବଂ ରାଷ୍ଟ୍ରପତିଙ୍କ ସଚିବାଳୟକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଲୋକେ ଆଉ ନେତାଙ୍କୁ ଭରସା କରୁନାହାନ୍ତି। ସଙ୍କଟର ରାଜନୈତିକ ସମାଧାନ ଦେଖାଯାଉନଥିବାରୁ ଲୋକଙ୍କ କ୍ରୋଧ ଚରମରେ ପହଞ୍ଚିଛି। ଇତିମଧ୍ୟରେ ଶାନ୍ତି ବଜାୟ ରଖିବାକୁ ସେନାମୁଖ୍ୟ ଶେବେନ୍ଦ୍ର ସିଲ୍‌ଭା ଲୋକଙ୍କୁ ନିବେଦନ କରିଛନ୍ତି। ଗତକାଲିଠାରୁ ନିଖୋଜ ଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଆଜି କଲମ୍ବୋ ଫେରିଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଅବସ୍ଥିତି ନେଇ ସମସ୍ତ ତଥ୍ୟ ଗୋପନ ରଖାଯାଇଛି। ସେନା ସୁରକ୍ଷା ବଳୟରେ ଥିବା ରାଷ୍ଟ୍ରପତି ଅଜଣା ସ୍ଥାନରୁ କେତେକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ରୋଷେଇ ଗ୍ୟାସ୍‌ ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଅଧିକାରୀମାନଙ୍କୁ ରାଜପକ୍ଷ କହିଛନ୍ତି। ଇତିମଧ୍ୟରେ ଶ୍ରୀଲଙ୍କା ୩୭୦୦ ମେଟ୍ରିକ୍‌ ଟନ୍‌ ଏଲ୍‌ପି ଗ୍ୟାସ ହାସଲ କରିଛି। ଦେଶବ୍ୟାପୀ ଔଷଧ ସମେତ ଅନ୍ୟ ଜରୁରୀ ସାମଗ୍ରୀର ଘୋର ଅଭାବ ଯୋଗୁଁ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ଶ୍ରୀଲଙ୍କାରେ ଆଗାମୀ ସପ୍ତାହକ ମଧ୍ୟରେ ପୁଣି ୮ ହଜାର ମେଟ୍ରିକ୍‌ ଟନ୍‌ ଗ୍ୟାସ ଉପଲବ୍ଧ ହେବ ବୋଲି ଲୋକଙ୍କୁ ଆଶ୍ବାସନା ଦିଆଯାଇଛି। ରାଷ୍ଟ୍ରପତି ଭବନକୁ ଦୁଇ ଦିନ ହେଲା

ନିଖୋଜ ରାଷ୍ଟ୍ରପତି ଫେରିଲେ
ଶାନ୍ତିରକ୍ଷା ପାଇଁ ସେନା ମୁଖ୍ୟଙ୍କ ନିବେଦନ
ଜରୁରୀ ସାମଗ୍ରୀ ଆବଣ୍ଟନ ପାଇଁ ନିର୍ଦ୍ଦେଶ
ମିଳିତ ସରକାର ଗଠନ ପ୍ରକ୍ରିୟା ଆଗେଇ ପାରୁନି

ଆନ୍ଦୋଳନକାରୀମାନେ ନିଜ ଦଖଲକୁ ନେଇଥିବା ବେଳେ ଆଜି ଅପରାହ୍ନରେ ଏହାକୁ ଲୋକଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଅନେକ ଆହତ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ତଥା ସଚିବାଳୟ ଖାଲି କରିବାକୁ ଲୋକେ ରାଜି ହୋଉନଥିବା ବେଳେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ହେଉଛି। କର୍ଫ୍ୟୁ ଜାରି ରହିଥିବା ସତ୍ତ୍ବେ ହଜାର ହଜାର ଉଗ୍ର ଆନ୍ଦୋଳନକାରୀ ରାସ୍ତାରେ ବୁଲୁଛନ୍ତି। ଅନ୍ୟପକ୍ଷରେ ମିଳିତ ସରକାର ଗଠନ ପାଇଁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସହମତିର ଅଭାବ ଯୋଗୁଁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନାହିଁ। ବିରୋଧୀ ଦଳ ଏସ୍‌ଜେବି ଏବଂ ଏହାର ସହଯୋଗୀ ଦଳମାନେ ଖୁବ୍‌ଶୀଘ୍ର ବୈଠକରେ ମିଳିତ ହେବେ ବୋଲି ଘୋଷଣା କରିଛନ୍ତି। ଯଦି ଏହା ସଫଳ ‌ହୁଏ ତା’ହେଲେ ଦୁଇ ମାସ ମଧ୍ୟରେ ଏହା ତୃତୀୟ ସରକାର ହେବ। ଆଗାମୀ ବୁଧବାର ଦିନ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତି ଭବନରୁ ମିଳିଲା ୧୮ ନିୟୁତ ନଗଦ ରାଶି!
କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବେ ଆନ୍ଦୋଳନକାରୀଙ୍କ ଦଖଲରେ ଥିବା ବେଳେ ସେଠାରୁ ବିପୁଳ ଟଙ୍କା ମିଳିଥିବା ଦାବି କରାରଯାଇଛି। ଆନ୍ଦୋଳନକାରୀମାନେ ଟଙ୍କା ଗଣୁଥିବା ଭିଡିଓ ଭାଇରାଲ ହୋଇଛି। ପ୍ରାୟ ୧୮ ନିୟୁତ ଟଙ୍କା ନଗଦ ଠାବ ହୋଇଥିବା ଏକ ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଏବେ ଚୀନ୍‌ର ଋଣରେ ବୁଡ଼ି ରହିଥିବା ବେଳେ ସରକାରଙ୍କ ବେପରୁଆ ନୀତି ଯୋଗୁଁ ଦେଶର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ବିଦେଶୀ ମୁଦ୍ରାର ଘୋର ଅଭାବ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ପାଇଁ ମଧ୍ୟ ସରକାର ଅସମର୍ଥ ହୋଇପଡ଼ିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଆଗାମୀ ୧୩ ତାରିଖ ଦିନ ଇସ୍ତଫା ଦେବେ ବୋଲି ବାଚସ୍ପତି ଘୋଷଣା କରିଥିବା ବେଳେ ଏହା କାର୍ଯ୍ୟକାରୀ ନହେଲେ ଶ୍ରୀଲଙ୍କାରେ ଦେଖାଦେଇଥିବା ଗୃହଯୁଦ୍ଧ ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି।

ରାଷ୍ଟ୍ରପତି ଭବନରେ ଗୁପ୍ତ ବଙ୍କର ଠାବ
କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ବିସ୍ଫୋରକ ରୂପ ନେଇଛି ଏବଂ ସାଧାରଣ ଜନତା ରାଷ୍ଟ୍ରପତି ଭବନକୁ ନିଜ ଦଖଲରେ ରଖିଛନ୍ତି। ରାଷ୍ଟ୍ରପତି ଏବେ କୌଣସି ଗୁପ୍ତ ସ୍ଥାନରେ ଥିବା ବେଳେ ଗତକାଲି ସେ ଯେଭଳି ଭାବେ ଉଗ୍ର ଭିଡ଼ କବଳରୁ ଖସିଯିବାକୁ ସମର୍ଥ ହେଲେ ତାହା ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ରାଷ୍ଟ୍ରପତି ଭବନରେ ଆଜି ଏକ ଗୁପ୍ତ ବଙ୍କର ଠାବ ହୋଇଯାଇଛି। ଏହି ବଙ୍କର ଦେଇ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପଳାୟନ କରିବାକୁ ସମର୍ଥ ହୋଇଥିବା କୁହାଯାଉଛି। ଏହି ବଙ୍କରକୁ ଏକ ଗୁପ୍ତ କବାଟ ଦ୍ବାରା ଏଭଳି ଲୁଚା ଯାଇଥିଲା ଯାହାକୁ ଦେଖିଲେ କେହି ବି ବଙ୍କର ଥିବା ସନ୍ଦେହ କରିବ ନାହିଁ। ତେବେ ‌ ବ୍ୟାପକ ତଲାସୀ ବେଳେ ଏହି ବଙ୍କର ଆଜି ସାମ୍ନାକୁ ଆସିଛି।

 

ସମ୍ବନ୍ଧିତ ଖବର