ଶ୍ରୀଲଙ୍କା ସ୍ଥିତି ଅଣାୟତ୍ତ: କର୍ଫୁକୁ ମାନିଲେନି ଜନତା, ଆନ୍ଦୋଳନ ବ୍ୟାପିଲା

ସାମାଜିକ ଗଣମାଧ୍ୟମ ସାଇଟ୍‌ ବନ୍ଦ, ଶ୍ରୀଲଙ୍କାକୁ ଭାରତ ସେନା ପଠାଇବା ରିପୋର୍ଟ ‘ଡାହା ମିଛ’

କଲମ୍ବୋ: ଶ୍ରୀଲଙ୍କା ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଅର୍ଥନୀତି ତଳିତଳାନ୍ତ ହୋଇଯାଇଥିବାରୁ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି। ତେବେ ପ୍ରତିବାଦ ଓ ଆନ୍ଦୋଳନକୁ ଦମନ କରିବା ଲାଗି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପ‌କ୍ଷ ଜାତୀୟସ୍ତରରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମକୁ ମଧ୍ୟ ବନ୍ଦ କରିଦେଇଛନ୍ତି। କର୍ଫ୍ୟୁକୁ ବେଖାତିର୍‌ କରି ଆଜି ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଅର୍ଥନୀତି ପରିଚାଳନା କରିବାରେ ସରକାର ବିଫଳ ହୋଇିବାରୁ ଦେଶରେ ଖାଦ୍ୟ, ପେଟ୍ରୋଲ, ଡିଜେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏହାବ୍ୟତୀତ ଦିନକୁ ୧୩ ଘଣ୍ଟା ଲେଖାଏଁ ବିଜୁଳି କାଟ ହେଉଛି। ଦେଶବାସୀଙ୍କ କ୍ରୋଧକୁ ଦମନ କରିବା ପାଇଁ ଶନିବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୩୬ ଘଣ୍ଟା ପାଇଁ ଶ୍ରୀଲଙ୍କା ସରକାର କର୍ଫ୍ୟୁ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଦୂରସଂଚାର ନିୟାମକ ଆୟୋଗଙ୍କ ଅନୁରୋଧ କ୍ରମେ ଦେଶରେ ସାମାଜିକ ଗଣମାଧ୍ୟମ ସାଇଟ୍‌ଗୁଡ଼ିକୁ ବନ୍ଦ କରାଯାଇଛି। ଫଳରେ ଦେଶରେ ହ୍ବାଟ୍‌ସଆପ୍‌, ଫେସବୁକ୍‌, ଟ୍ବିଟର, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ଆଦି ସେବା ଶନିବାର ଠାରୁ ବନ୍ଦ ରହିଛି। ସାମାଜିକ ଗଣମାଧ୍ୟମ ଗୁଡ଼ିକରେ ରବିବାର ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ଲୋକଙ୍କୁ ଆହ୍ବାନ ଦିଆଯାଇଥିଲା। ଏପରିକି ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭାରତର ସେନା ଦେଶରେ ପହଞ୍ଚିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଥିଲା। ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଗୁଜବକୁ ଶନିବାର ଖଣ୍ଡନ କରିଛି। ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏ ନେଇ ବିବୃତି ଜାରି କରିବାକୁ ପଡ଼ିଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କର ପୂର୍ବତନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନାଙ୍କ ଫ୍ରିଡମ ପାର୍ଟି ରାଷ୍ଟ୍ରପତି ରାଜପକ୍ଷଙ୍କୁ ଭେଟି ଅର୍ଥନୈତିକ ସଂକଟକୁ ଟାଳିବା ପାଇଁ ଏକ ସର୍ବଦଳୀୟ ସରକାର ଗଠନ ପାଇଁ ପରାମର୍ଶ ଦେଇଛନ୍ତି। ଯଦି ତାଙ୍କର ପ୍ରସ୍ତାବକୁ ଗ୍ରହଣ କରା ନଯାଏ ତାହେଲେ ତାଙ୍କ ଦଳ ଶାସକ ମେଣ୍ଟରୁ ଓହରିଯିବ ବୋଲି ସେ କହିଛନ୍ତି।

ଶ୍ରୀଲଙ୍କାକୁ ଭାରତ ସେନା ପଠାଇବା ରିପୋର୍ଟ ‘ଡାହା ମିଛ’
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଂକଟ ଏହାକୁ ଜରୁରୀ ପରିସ୍ଥିତି ଆଡ଼କୁ ଟାଣିନେଇଥିବା ବେଳେ ଏହା ବିରୋଧରେ ଗୋଟାବାୟା ରାଜପକ୍ଷେଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ଗଜଉଥିବା ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଭାରତ ସରକାର ସେନା ପଠାଇବେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଭାରତ ସରକାର ଏହି ରିପୋର୍ଟକୁ ଡାହା ମିଛ ଓ ଗୁଜବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସୂଚନାଯୋଗ୍ୟ, ଲୋକଙ୍କ କ୍ରୋଧରୁ ସରକାରକୁ ବଞ୍ଚାଇବା ପାଇଁ ଭାରତ ସେନା ପଠାଇବ ବୋଲି ପ୍ରକାଶିତ ରିପୋର୍ଟ ସମ୍ପୂର୍ଣ୍ଣ ମିଛ ବୋଲି ଶ୍ରୀଲଙ୍କାସ୍ଥିତ ଭାରତୀୟ ହାଇ କମିସନ ପକ୍ଷରୁ କୁହାଯାଇଛି। ଏ ପ୍ରକାର ଦାୟିତ୍ବହୀନ ଗୁଜବ ପ୍ରଚାରକୁ ମଧ୍ୟ ହାଇ କମିସନ ପକ୍ଷରୁ ଟ୍ବିଟ୍ କରି ନିନ୍ଦା କରାଯାଇଛି। ତେବେ ଭାରତ ୪୦,୦୦୦ ମେଟ୍ରିକ୍ ଟନ ଡିଜେଲ ପଠାଇ ଶ୍ରୀଲଙ୍କାକୁ ସଂକଟରୁ ଉଦ୍ଧାର କରିବା ପାଇଁ ସାହାଯ୍ୟ କରିଛି।

କର୍ଫ୍ୟୁ ଉଲ୍ଲଂଘନ ପାଇଁ ଶ୍ରୀଲଙ୍କାରେ ୬୬୪ ଗିରଫ
କଲମ୍ବୋ: ଶ୍ରୀଲଙ୍କାରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପଶ୍ଚିମ ପ୍ରଦେଶରେ ଏହାକୁ ଉଲ୍ଲଂଘନ କରି ୬୬୪ ଜଣ ଗିରଫ ହୋଇଛନ୍ତି। ଶନିବାର ରାତି ୧୦ରୁ ରବିବାର ସକାଳ ୬ଟା ଭିତରେ ଏହି ଗିରଫଦାରି କରାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ ଗୁରୁତର ଆର୍ଥିକ ସଂକଟ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଜାରି କରିଥିବା ବେଳେ ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି। ଲୋକଙ୍କୁ ବଳପୂର୍ବକ ସରକାର ଘରେ ରହିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର