ଆମେରିକା-ସ୍ପେନ୍‌ରେ ସ୍ଥିତି ଅନିୟନ୍ତ୍ରିତ, ଆହୁରି ଖରାପ ସମୟ ଆଗକୁ ଅଛି: ‘ହୁ’ ମୁଖ୍ୟ

ବିଶ୍ବବ୍ୟାପୀ ୧ ଲକ୍ଷ ୭୨ ହଜାର ଲୋକଙ୍କ ମୃତ୍ୟୁ, ଆମେରିକାରେ ୪୨ ହଜାର, ସ୍ପେନ୍‌ରେ ୨୧ ହଜାର ମୃତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ବିଶ୍ବବ୍ୟାପୀ ୫୩୦୦ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ଘଟିଛି। ଆଜି ସୁଦ୍ଧା ମୋଟ ୧ ଲକ୍ଷ ୭୨ ହଜାର ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୨୫ ଲକ୍ଷରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆମେରିକା ଏବଂ ସ୍ପେନ୍‌ରେ ସାଂଘାତିକ ସ୍ଥିତି ଲାଗି ରହିଛି ଏବଂ ଉଭୟ ରାଷ୍ଟ୍ରର ଅନେକ ଅଂଚଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଆମେରିକାରେ କରୋନାରେ ଏ ପର୍ଯ୍ୟନ୍ତ ୪୨ ହଜାର ୬୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ପେନ୍‌ରେ ୨୧ ହଜାର ୩ ଶହ ଲୋକଙ୍କ ମୃତ୍ୟୁ ଘଟିଛି । ସ୍ପେନ୍‌ରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ଆମେରିକାରେ ପ୍ରାୟ ୭ ଲକ୍ଷ ୯୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଇଟାଲିରେ ଆଜା ୨୪ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ‌ଘଟିଛି ଏବଂ ୧ ଲକ୍ଷ ୮୨ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଫ୍ରାନ୍ସରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି ଏବଂ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାରରେ ପହଞ୍ଚିଛି। ଜର୍ମାନୀରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଜର୍ମାନୀରେ ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଇଂଲଣ୍ଡରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୬ ହଜାର ଅତିକ୍ରମ କରିଯାଇଛି । ଏଠାରେ ୧ ଲକ୍ଷ ୨୫ ହଜାର ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ତୁର୍କୀରେ କରୋନା ଭାଇରସ୍‌ ଯୋଗୁଁ ଏ ପର୍ଯ୍ୟନ୍ତ ୨୧୪୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୯୧ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୫୨୦୦ରେ ପହଞ୍ଚିଥିବା ବେଳେ ୮୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରସ୍‌ ଆଧାନୋମ୍‌ ଘେବ୍ରେୟେସୁସ୍‌ ଚେତାବନୀ ଦେଇଛନ୍ତି, ”କରୋନାଭୂତାଣୁ ବ୍ୟାପିବାର ଖରାପତମ ସମୟ ଆମପାଇଁ ଆଗକୁ ଆସୁଛି। ଯଦିଓ ଅନେକ ଦେଶ ଏହାର ବ୍ୟାପକତା କରିବା ପାଇଁ କଟକଣାମୂଳକ ପଦକ୍ଷେପ ନେଇଛନ୍ତି। ଏଇ ଭୟାବହ ଭୂତାଣୁ ସଂକ୍ରମଣରେ ବିଶ୍ୱବ୍ୟାପୀ ୧ ଲକ୍ଷ ୬୬ହଜାର ଲୋକଙ୍କ ମୃତ୍ୟୁ ହେବା ସହ ୨୫ ଲକ୍ଷ ସଂକ୍ରମିତ ବ୍ୟକ୍ତି କଲବଲ ହେଉଥିବା ବେଳେ ଆହୁରି ଖରାପ ସମୟ ଆସିବ ବୋଲି ସେ କାହିଁକି ବିଶ୍ୱାସ କରୁଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି। ତେବେ ସେ ପୂର୍ବରୁ ସୂଚାଇ ଥିଲେ ଯେ ଅତ୍ୟନ୍ତ ନଗଣ୍ୟ ସ୍ୱାସ୍ଥ୍ୟସେବା ଥିବା ଆଫ୍ରିକା ମହାଦେଶରେ ଭବିଷ୍ୟତରେ ଏହା ଭୟଙ୍କର ହେବ। ଜେନେଭା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ ଟେଡ୍ରସ୍‌ ଆହୁରି କହିଛନ୍ତି, ”ଆସନ୍ତୁ ଏହି ମହାଶୋକକୁ ଅଟକାଇବା। ଏହା ଏମିତି ଏକ ଭୂତାଣୁ ଯେ ଏହାକୁ ଏବେ ବି ଅନେକ ଲୋକ ବୁଝିପାରୁନାହାନ୍ତି।” ତେବେ କରୋନା ବ୍ୟାପିବାର ଆଦ୍ୟଅବସ୍ଥାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅସ୍ପଷ୍ଟ ଆଭିମୁଖ୍ୟ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକା କ୍ଷତିଗ୍ରସ୍ତ ହେବା ପରେ ଏହି ସଂଗଠନକୁ ଅନୁଦାନ ବନ୍ଦ କରିଦେଇଛି। ଆମେରିକା ହିଁ ଥିଲା ଏ ସଂଗଠନର ବୃହତ୍‌ ପାଣ୍ଠିଦାତା ସଂସ୍ଥା। ତେଣୁ ଟେଡ୍ରସ୍‌ ଏବେ ରକ୍ଷଣାତ୍ମକ ଆଚରଣ ପ୍ରଦର୍ଶନ କରୁଛନ୍ତି ଏବଂ କରୋନା ଜଡ଼ିତ ଅସୁସ୍ଥତାକୁ ସେ ”୧ ନମ୍ବର ଗଣ ଶତ୍ରୁ” ବୋଲି କହି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର