‘ସମ୍‌ଦୋରଙ୍ଗ ଚୁ’ରେ ବି ହୋଇଥିଲା ଅନୁରୂପ ସ୍ଥିତି, ଭାରତ ସୀମାରେ ଚୀନ କରିଥିଲା ଘାଟି

୯ ବର୍ଷ ଧରି ଉତ୍ତେଜନା ସତ୍ତ୍ବେ ରକ୍ତପାତ ହୋଇନଥିଲା

ନୂଆଦିଲ୍ଲୀ: ଗତ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲଵାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନଙ୍କ ସହିଦ ହେବା ଘଟଣା ଦୁଇଦେଶ ମଧ୍ୟରେ ଏକ ଅଭୂତପୂର୍ବ ମୁହାଁମୁହିଁ ପରିସ୍ଥିତି ବୋଲି ପରିଗଣିତ ହେଉଛି। ମାତ୍ର ଆଜକୁ ୩୪ ବର୍ଷ ତଳେ ୧୯୮୬ ମସିହା ଗ୍ରୀଷ୍ମ ଦିନରେ ଅରୁଣାଚଳପ୍ରଦେଶର ସୀମାନ୍ତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଦେଶର ସେନା ମଧ୍ୟରେ ମଧ୍ୟ ଅନୁରୂପ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏପରିକି ସେଠାରେ ଦୀର୍ଘ ୯ ବର୍ଷ କାଳ ଏପରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ମାତ୍ର ଅତୀତର ସେହି ଘଟଣାର ବିଶେଷତ୍ବ ହେଲା, ସେଥିରେ ଟିକିଏ ବି ରକ୍ତପାତ ଘଟିନଥିଲା।

ସୂଚନାନୁଯାୟୀ, ୧୯୮୬ ଜୁନ୍ ୧୪ ତାରିଖରେ ଭାରତୀୟ ସେନାର ୧୨ ଆସାମ ରେଜିମେଣ୍ଟ୍ ପାଟ୍ରୋଲିଂ ଦଳ ଅରୁଣାଚଳପ୍ରଦେଶର ତାଵାଙ୍ଗ ଜିଲ୍ଲା ଅନ୍ତର୍ଗତ ସମ୍‌ଦୋରଙ୍ଗ ଚୁ ନଦୀକୂଳରେ ଏକ ଚୀନୀ ଘାଟି ଠାବ କରିଥିଲେ। ଭାରତର ବିରୋଧ ସତ୍ତ୍ବେ ଚୀନୀ ସେନାଙ୍କ ସଂଖ୍ୟା ବଢ଼ି ବଢ଼ି ୨୦୦ରେ ପହଞ୍ଚିଥିଲା। ଭାରତର ବିଭିନ୍ନ ପ୍ରସ୍ତାବକୁ ଚୀନ୍‌ ଗ୍ରହଣ ନକରି ଦୀର୍ଘ ୯ ବର୍ଷ କାଳ ସେମିତି ପରିସ୍ଥିତିକୁ ଝୁଲାଇ ରଖିଥିଲେ। ତେବେ ଦୁଇଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ସହ ୧୯୯୩ରେ ସୀମାରେ ଶାନ୍ତି ବଜାୟ ପାଇଁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଶେଷରେ ୧୯୯୫ ଅଗଷ୍ଟ ମାସରେ ହିଁ ସମ୍‌ଦୋରଙ୍ଗ ଚୁ ସମସ୍ୟାର ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର