ମନ୍ଦିର ନିର୍ମାଣର ମୁଖ୍ୟ ସ୍ଥପତି ଗୁଜରାଟର ସୋମ୍ପୁରା ପରିବାର

ଅଯୋଧ୍ୟା: ଗୁଜରାଟର ଭାବନଗର ଜିଲ୍ଲା ଅନ୍ତର୍ଗତ ପାଲିଟଣା ସହରରେ ରହୁଥିବା ସୋମ୍ପୁରା ପରିବାର ଦେଶର ବିଭିନ୍ନ ସ୍ଥାନରେ ସ୍ଥାପିତ ସଂଖ୍ୟାଧିକ ମନ୍ଦିର ନିର୍ମାଣରେ ସେମାନଙ୍କ ଗଢ଼ଣ ଚାତୁରୀ ଦେଖାଇ ଆସିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରଠୁ ଆରମ୍ଭ କରି ମଥୁରାର କୃଷ୍ଣ ଜନ୍ମସ୍ଥାନ ମନ୍ଦିର ସମେତ ଏକାଧିକ ଅକ୍ଷରଧାମ ମନ୍ଦିର ନିର୍ମାଣରେ ସେମାନଙ୍କ ହାତର ଯାଦୁ ସ୍ପଷ୍ଟ ବାରି ହୋଇପଡ଼େ। ତେବେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ନିର୍ମାଣ ଦାୟିତ୍ବ ମଧ୍ୟ ୭୭ ବର୍ଷୀୟ ଚନ୍ଦ୍ରକାନ୍ତ ସୋମ୍ପୁରାଙ୍କ ନେତୃତ୍ବରେ ତାଙ୍କ ପରିବାର ମୁଣ୍ଡାଇଛନ୍ତି। ଆଜକୁ ତିରିଶ ବର୍ଷ ତଳେ ଅଯୋଧ୍ୟାରେ ଏକ ରାମମନ୍ଦିର ତୋଳିବା ପାଇଁ ଶିଳ୍ପପତି ଘନଶ୍ୟାମଦାସ ବିର୍ଲା ଚନ୍ଦ୍ରକାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ।

ଏହାପରେ ସେ ତାଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଅଶୋକ ସିଂଘଲଙ୍କ ସହ ପରିଚୟ କରାଇଥିଲେ। କିଛି ଦିନ ପରେ ଅଯୋଧ୍ୟାରେ ବିବାଦୀୟ ବାବରି ମସଜିଦ ଢାଞ୍ଚା ରହିଥିବା ସମୟରେ ସ୍ବର୍ଗତ ସିଂଘଲଙ୍କ ସହ ଚନ୍ଦ୍ରକାନ୍ତ ଅଯୋଧ୍ୟା ବୁଲିଯିବାର ସୁଯୋଗ ପାଇଥିଲେ। ପ୍ରାୟ ସେବେଠାରୁ ହିଁ ତାଙ୍କ ପରିବାର ମନ୍ଦିର ନିର୍ମାଣରେ ମନୋନିବେଶ କରିଛନ୍ତି। ଏହି ଭିତରେ ଏହି ସ୍ଥପତି ପରିବାର ଶିଳ୍ପପତି ବିର୍ଲାଙ୍କ ପାଇଁ ଅନେକ ମନ୍ଦିର ଗଢ଼ିଛନ୍ତି। ତେବେ ରାମମନ୍ଦିର ହିଁ ହେଉଛି ଏକମାତ୍ର ମନ୍ଦିର ଯାହାର ପରିକଳ୍ପନାରୁ ଭୂମିପୂଜା ଯାଏ ଦୀର୍ଘ ୩୦ ବର୍ଷ ବିତିଛି। ସାଧାରଣତଃ ଯେ କୌଣସି ମନ୍ଦିର ପରିକଲ୍ପନାର ଦୁଇ ତିନି ବର୍ଷ ଭିତରେ ଭୂମିପୂଜା ଆରମ୍ଭ ହୋଇଥାଏ ବୋଲି ଭାରତ ଓ ବାହାରେ ୨୦୦ରୁ ଅଧିକ ମନ୍ଦିର ନିର୍ମାଣ କରିସାରିଥିବା ଚନ୍ଦ୍ରକାନ୍ତ କହିଛନ୍ତି। ତେବେ ସାରା ବିଶ୍ବ ଅପେକ୍ଷା କରି ରହିଥିବା ପ୍ରଭୁ ଶ୍ରୀରାମଙ୍କ ପାଇଁ ଏକ ମନ୍ଦିର ନିର୍ମାଣ ତାଙ୍କ ପରିବାର ମନରେ ନିଆରା ରୋମାଞ୍ଚ ଭରିଦେଇଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ମହାମାରୀ କୋଭିଡ୍‌ ଏବଂ ବୟସାଧିକ୍ୟ କାରଣରୁ ସେ ନିଜେ ଅଯୋଧ୍ୟା ନଯାଇ ତାଙ୍କ ପୁଅ ଆଶିଷ(୪୯)ଙ୍କୁ ପଠାଇ ନିର୍ମାଣ ଦାୟିତ୍ବ ନେଇଥିବା ଲାର୍ସନ୍‌ ଆଣ୍ଡ୍‌ ଟର୍ବୋ କମ୍ପାନି ସହ ନିର୍ମାଣ ଶୈଳୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିବେ ବୋଲି ସେ କହିଛନ୍ତି। ଗୁଜରାଟର ସୋମନାଥ ମନ୍ଦିର ଗଢ଼ିଥିବା ଚନ୍ଦ୍ରକାନ୍ତଙ୍କ ପିତା ପ୍ରଭାଶଙ୍କର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର