୨୭ ବର୍ଷ ପରେ ମା’କୁ ଖୋଜି ପାଇଲା ପୁଅ

ଦୁଷ୍କର୍ମରୁ ଜନ୍ମ ନେଇଥିଲେ ପୁଅ, ଜଣେ ଅଭିଯୁକ୍ତ ଗିରଫ, ଦ୍ୱିତୀୟ ଅଭିଯୁକ୍ତ ଓଡ଼ିଶାରେ ଲୁଚିଛି

ବରେଲୀ : ପ୍ରାୟ ତିନି ଦଶନ୍ଧି ତଳେ ଉତ୍ତରପ୍ରଦେଶ ସାହାଜାହାନପୁରର ଦୁଇଭାଇ ଜଣେ ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ମଙ୍ଗଳବାର ଏହି ମାମଲାର ପଳାତକ ଅଭିଯୁକ୍ତ ୪୮ ବର୍ଷୀୟ ରାଜିକୁ ପୁଲିସ ଗିରଫ କରିଛି। ସେ ହାଇଦ୍ରାବାଦରେ ଲୁଚିଥିଲା। ପୁଲିସର କହିବା ଅନୁସାରେ ଅନ୍ୟ ଅଭିଯୁକ୍ତ ନାକି ହାସାନ ଓଡ଼ିଶାରେ କେଉଁଠି ରହୁଛି। ତା’ର ଲୁଚିବା ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ।

ପୁଲିସ ଇନ୍ସପେକ୍ଟର ଧର୍ମେନ୍ଦ୍ର କୁମାର ଗୁପ୍ତାଙ୍କ କହିବା ଅନୁସାରେ, ରାଜି ତା’ର ଅପରାଧ ସ୍ବୀକାର କରିଥିବା ବେଳେ କହିଛି ଯେ ଏତେବର୍ଷ ପରେ ପୁରୁଣା କେସ୍ ପୁଣି ଖୋଲିବ ବୋଲି ସେ କେବେ କଳ୍ପନା କରି ନ ଥିଲା।

୧୯୯୪ ମସିହାର ଘଟଣା। ବାଳିକା ଜଣକ ବାରମ୍ବାର ରାଜି ଓ ହାସାନ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲା। ଯେତେବେଳେ ସେ ଗର୍ଭବତୀ ହେଲା ଓ ପୁଅଟିଏ ଜନ୍ମ କଲା ଦୁର୍ବୃତ୍ତମାନେ ତାକୁ ବାଧ୍ୟ କଲେ ପୁଅକୁ ପୋଷ୍ୟ କରିଦେବା ପାଇଁ ଏବଂ ଥାନାରେ ଏଫ୍‌ଆଇଆର୍ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଧମକାଇଥିଲେ।

ପୀଡ଼ିତା ଜଣକ ଏବେ ଜଣେ ବୟସ୍କା ମହିଳା ଏବଂ ତାଙ୍କ ପୁଅ ଏବେ ୨୭ ବର୍ଷର ଯୁବକ। ପୁଅଟି ମାଆଠାରୁ ଅଲଗା ହୋଇ ଦୁଃଖରେ ଜୀବନ କାଟିଥିଲେ ମଧ୍ୟ ସବୁବେଳେ ମାଆକୁ ଖୋଜିହେଉ ଥିଲେ। ଶେଷରେ ୨୦୨୧ ମସିହାରେ ସେ ସୋସିଆଲ ମିଡ଼ିଆରେ ଟ୍ରାକ୍ କରି ନିଜ ମାଆକୁ ପାଇଲେ ଏବଂ ନ୍ୟାୟ ପାଇଁ ଲଢ଼େଇ କରିବାକୁ ପୁଅ ମାଆକୁ ସାହସ ଦେଲେ।

ସାହାଜାହାନପୁର ପୁଲିସ ଏସ୍‌ଏସ୍‌ପି ଏସ୍ ଆନନ୍ଦ କହିଛନ୍ତି,- କୋର୍ଟ ଆଦେଶରେ ମାର୍ଚ୍ଚ ୪, ୨୦୨୧ରେ ଏଫ୍‌ଆଇଆର୍ ରୁଜୁ ହେବା ପରେ ଯାଇ ସେ ଏ ବିଷୟରେ ଜାଣିବାକୁ ପାଇଲେ। ଅଭିଯୁକ୍ତଙ୍କ ପୂରା ନାଁ କିମ୍ବା ବର୍ତ୍ତମାନର ଠିକଣା ତାଙ୍କୁ ଜଣା ନ ଥିଲା। ଏହା ଏକ ପୁରୁଣା ମାମଲା ମାତ୍ର ଅଭିଯୋଗ ସତ ବୋଲି ଜଣାପଡ଼ୁଥିଲା। ଆମେ ଚାହିଲୁ ମହିଳାଙ୍କୁ ନ୍ୟାୟ ଦେବୁ କାରଣ ବାଲ୍ୟକାଳରୁ ସେ ବହୁ କଷ୍ଟ ଭୋଗିଛନ୍ତି। ଖୋଳତାଡ଼ କରିବା ପରେ ଆମେ ଅଭିଯୁକ୍ତଦ୍ବୟଙ୍କ ପରିଚୟ ପାଇଲୁ ଏବଂ ସେମାନେ ସହରର ହଦ୍ଦାଫ ଅଞ୍ଚଳରେ ରହୁଥିଲେ। ଅଭିଯୁକ୍ତମାନେ କହିଥିଲେ ଯେ ପୀଡ଼ିତାଙ୍କୁ ସେମାନେ ଜାଣନ୍ତି ନାହିଁ। ପୁଲିସ ଡିଏନ୍‌ଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଲା। ଏପ୍ରିଲ ୨୦୨୨ରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏଥିରୁ ନିଶ୍ଚିତ ହେଲା ଯେ ରାଜି ହେଉଛି ପୀଡ଼ିତାଙ୍କ ପୁଅର ଜୈବିକ ପିତା। ଏହାପରେ ପୁଲିସ ଅଭିଯୁକ୍ତ ଭ୍ରାତୃଦ୍ବୟଙ୍କୁ ଗିରଫ କରିବା ପାଇଁ କୋର୍ଟରୁ ୱାରେଣ୍ଟ ଆଣିଲା। କିନ୍ତୁ ସେତେବେଳକୁ ଅଭିଯୁକ୍ତଦ୍ବୟ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର