ପଟିଆଲା : ବନ୍ୟା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାରକାରୀ ଭାବେ କାର୍ଯ୍ୟ କରୁଥିବା ସଦସ୍ୟଙ୍କ ପାଇଁ ହଜିବା ଲୋକଙ୍କୁ ଖୋଜି ପାଇବା ସେମିତି କିଛି ନୂଆ କଥା ନୁହେଁ। କିନ୍ତୁ ଗତ ସପ୍ତାହରେ ଜଗଜିତ୍‌ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଜୀବନରେ ଏଭଳି ଘଟଣା ଘଟିଛି ବଲିଉଡ ସିନେମାର କୌଣସି କାହାଣୀଠାରୁ କିଛି କମ ନୁହେଁ। ଚଳିତମାସ ୨୦ ତାରିଖରେ ଏହି ଘଟଣା ଘଟିଛି। ଜଗଜିତ୍‌ ତାଙ୍କ ମା’ ହରଜିତ କୌରଙ୍କୁ ପଟିଆଲାର ଏକ ଗାଁରେ ତାଙ୍କ ଅଜାଙ୍କ ଘରେ ଭେଟିଛନ୍ତି। ୩ ଦଶନ୍ଧିରୁ ଅଧିକ ସମୟ ପରେ ମା’ ଓ ପୁଅ ପରସ୍ପରକୁ ପାଇବା ପରେ ଉଭୟ ସେମାନଙ୍କ ଆବେଗକୁ ନିୟନ୍ତ୍ରଣ କରିପାରି ନଥିଲେ। ଆଲିଙ୍ଗନ ସମୟରେ ଉଭୟ ମା’ ଓ ପୁଅ କାନ୍ଦି ଗଡ଼ିଥିଲେ।

Advertisment

ସୂଚନା ଅନୁଯାୟୀ, ଜଗଜିତ୍‌ ୬ ମାସର ହୋଇଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମା’ ହରଜିତ୍‌ ପୁନଃବିବାହ କରିଥିଲେ। ଜଗଜିତ୍‌ଙ୍କୁ ୨ ବର୍ଷ ହୋଇଥିବାବେଳେ ତାଙ୍କୁ ଜେଜେବାପା ଓ ଜେଜେମା’ ନେଇ ଲାଳନପାଳନ କରିଥିଲେ। ‌ସେ ବଡ଼ ହେବା ପରେ ତାଙ୍କୁ କୁହାଯାଇଥିଲା ଦୁର୍ଘଟଣାରେ ତାଙ୍କ ବାପାମା’ଙ୍କର ମୃତ୍ୟୁ ହୋଇଛି।

କିନ୍ତୁ ପଟିଆଲାର ବୋହରପୁର ଗାଁରେ ବନ୍ୟା ସେହି ମା’ ଓ ପୁଅକୁ ଏବେ ଏକାଠି କରିଛି। ନିକଟରେ ସଂଘଟିତ ପ୍ରଳଙ୍କକରୀ ବନ୍ୟାରେ ଉଦ୍ଧାର କାର୍ଯ୍ୟ ପାଇଁ ଜଗଜିତ ତାଙ୍କ ଏନଜିଓ ସଦସ୍ୟଙ୍କ ସହିତ ପଟିଆଲା ଆସିଥିଲେ। ଜଗଜିତ୍‌ କ୍ବାଦିଆଁର ମୁଖ୍ୟ ଗୁରୁଦ୍ବାରାରେ ଭକ୍ତି ସଙ୍ଗୀତ ଗାଆନ୍ତି।

ଜଗଜିତ୍‌ଙ୍କ ପିଉସୀ ସିନେମା ଷ୍ଟାଇଲରେ ମା’ ଓ ପୁଅଙ୍କର ମିଶ୍ରଣ କରାଇଛନ୍ତି। ଜଗଜିତ୍‌ ବନ୍ୟା ଉଦ୍ଧାର କାର୍ଯ୍ୟରେ ଥିବା ସମୟରେ ତାଙ୍କ ଆଇଙ୍କ ଘର ପଟିଆଲାରେ ବୋଲି ତାଙ୍କୁ ପିଉସୀ କହିଥିଲେ। ତାଙ୍କ ଅଜା ଓ ଆଇ ‌ବୋହରପୁର ଗ୍ରାମରେ ବାସ କରୁଥାଇ ପାରନ୍ତି ବୋଲି ଜଗଜିତ୍‌ଙ୍କୁ ପିଉସୀ କହିଥିଲେ। ଜଗଜିତ୍‌ ବୋହରପୁରରେ ପହଞ୍ଚି ତାଙ୍କ ଆଇ ପ୍ରୀତମ କୌରଙ୍କୁ ଭେଟିଥିଲେ। ସେ ଆଇଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ସେହି ସମୟରେ ଆଇଙ୍କ ମନରେ ସନ୍ଦେହ ଉପୁଜିଥିଲା। କିନ୍ତୁ ପରେ ଆଇ ଯେତେବେଳେ ପ୍ରକାଶ କଲେ ଯେ ତାଙ୍କ ମା’ଙ୍କର ପ୍ରଥମ ବିବାହରୁ ଗୋଟିଏ ପୁଅ ଥିଲା ସେତେବେଳେ ଜଗଜିତ୍‌ କାନ୍ଦି ପକାଇଥିଲେ।

ଜଗଜିତ୍‌ କହିଥିଲେ ସେ ଜଣେ ହତଭାଗ୍ୟ ସନ୍ତାନ। କାରଣ ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ ତାଙ୍କ ମା’କୁ ଦେଖି ପାରି ନାହାନ୍ତି। ଏହାପରେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ହରଜିତ କୌର ପୁଅକୁ ଚିହ୍ନି ପାରିଥିଲେ। ପୁଅକୁ ଭେଟିବା ସମୟରେ ଉଭୟ ଆତ୍ମହରା ହୋଇ ପଡ଼ିଥିଲେ। ୩୭ ବର୍ଷୀୟ ପୁଅ ଜଗଜିତ ସହିତ ତାଙ୍କ ପତ୍ନୀ, ୧୪ ବର୍ଷର ଝିଅ ଏବଂ ୮ ବର୍ଷର ପୁଅ ଥିଲେ। ମା ଓ ପୁଅଙ୍କର ଏହି ମିଳନ ଦୃଶ୍ୟକୁ ହରଜିତ୍‌ ସାମାଜିକ ଗଣମାଧ୍ୟମରେ ଲାଇଭ ଷ୍ଟ୍ରିମିଂ କରିଥିଲେ।

ଉଲ୍ଲେଖଯୋଗ୍ୟ, ୫ ବର୍ଷ ତଳେ ଜଗଜିତ୍‌ ଜାଣିବାକୁ ପାଇଥିଲେ ଯେ ତାଙ୍କ ମା’ ବଞ୍ଚିଛନ୍ତି। କିନ୍ତୁ ତାଙ୍କ ମା’ଙ୍କ ସଂପର୍କରେ ଜାଣିଥିବା ସବୁ ସଂପର୍କୀୟ ଯଥା ଜେଜେବାପା, ଜେଜେମା’, ବଡ଼ବାପା ଓ ବଡ଼ବୋଉ ଆଦି ସମସ୍ତେ ମୃତ୍ୟୁବରଣ କରିଥିବାରୁ ତାଙ୍କ ପାଖରେ ଅଧିକ କିଛି ସୂଚନା ନଥିଲା। ଜଗଜିତ୍‌ ୨୦୧୪ ମସିହାରେ ମାଟ୍ରିକ ପାସ୍ କରିବା ପରେ ତାଙ୍କ ଜେଜେଙ୍କର ମୃତ୍ୟୁ ହୋଇଥିଲା। ପିଲାଦିନର କିଛି ଫଟୋ ଦେଖିବା ପରେ ସେଥିରେ ସେ ଜଣେ ମହିଳାଙ୍କ ସହିତ ଥିବା ଦେଖିଥିଲେ। କିନ୍ତୁ ସେ ତାଙ୍କ ମା’ ବୋଲି ଜାଣି ନଥିଲେ। ଜଗଜିତ୍‌ ଜେଜେଙ୍କୁ ବାପା ଓ ମା’ଙ୍କ ସଂପର୍କରେ ପଚାରନ୍ତି ସେମାନେ କୁହନ୍ତି ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି।