ଲକ୍ଷ୍ନୌ: ଦୃଢ଼ ମନୋବଳ ହିଁ ସବୁ ଅସମ୍ଭବକୁ ସମ୍ଭବ କରିଦେଇପାରିବ । ଏକଥା ପୁଣିଥରେ ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ଜଣେ କୃଷକଙ୍କ ପୁଅ। ଲକ୍ଷ୍ମୀପୁର ଜିଲ୍ଲା ସରାସନ୍ ଗ୍ରାମର ଅନୁରାଗ୍ ତିୱାରୀ ଦ୍ବାଦଶ ପରୀକ୍ଷାରେ ୯୮.୨ ପ୍ରତିଶତ ରଖିଛନ୍ତି। ତାଙ୍କ କଠୋର ପରିଶ୍ରମ ପାଇଁ ତାଙ୍କୁ ଆମରିକାର ଏକ ବିଶ୍ବବିଦ୍ୟାଳୟରୁ ସ୍କଲାରସିପ୍ ମିଳିଛି। ତିୱାରୀ କହିଛନ୍ତି, ଆମେରିକାର କର୍ନେଲ୍ ୟୁନିଭର୍ସିଟି ପକ୍ଷରୁ ତାଙ୍କୁ ଚୟନ କରାଯାଇଛି। ସେ ସେଠାରେ ଅର୍ଥନୀତିରେ ଉଚ୍ଚଶିକ୍ଷା ଗ୍ରହଣ କରିବେ। ୧୮ ବର୍ଷୀୟ ଅନୁରାଗ୍, ଗଣିତରେ ୯୫ ମାର୍କ୍, ଇଂରାଜିରେ ୯୭ ଏବଂ ରାଜନୀତି ବିଜ୍ଞାନକରେ ୯୯ ମାର୍କ ରଖିଛନ୍ତି। ଇତିହାସ ଏବଂ ଅର୍ଥନୀତିରେ ଶତ ପ୍ରତିଶତ ନମ୍ବର ରଖଛନ୍ତି।
ଡିସେମ୍ବର ୨୦୧୯ରେ ସେ ଆମେରିକାର ବିଭିନ୍ନ ପ୍ରମୁଖ କଲେଜ୍ମାନଙ୍କରେ ଆଡମିସନ୍ ପାଇଁ ସ୍ୟାଟ୍ (ସ୍କଲାଷ୍ଟିକ୍ ଆସେସ୍ମେଣ୍ଟ୍ ଟେଷ୍ଟ୍ ) ଦେଇଥିଲେ। ଏହି ପରୀକ୍ଷାରେ ସେ ୧୩୭୦ ମାର୍କ୍ ରଖିଥିଲେ। ତେବେ ଦ୍ବାଦଶ ପରୀକ୍ଷା ପରେ ଅନୁରାଗ୍ଙ୍କ କର୍ନେଲ୍ ସ୍ବପ୍ନ ସାକାର ହୋଇଛି। କିନ୍ତୁ ଅନୁରାଗଙ୍କ ଯାତ୍ରା ବିଲକୁଲ୍ ସହଜ ନଥିଲା। ସୀତାପୁର ଜିଲ୍ଲାର ଏକ ଘରୋଇ ସ୍କୁଲ୍ରେ ପଢ଼ୁଥିଲେ ଅନୁରାଗ। ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ନାହିଁ। ବାପା କମଳପତି ତିୱାରୀ ଏବଂ ମା' ସଂଗୀତା ତିୱାରୀଙ୍କ ସହ ଅନୁରାଗଙ୍କର ୩ ଭଉଣୀ ଅଛନ୍ତି। ପୁଅକୁ କୃଷି କାର୍ଯ୍ୟରେ ଲଗାଇବାପାଇଁ ସେମାନଙ୍କର ଇଚ୍ଛା ଥିଲା। କିନ୍ତୁ ଅନୁରାଗ ପାଠ ପଢ଼ିବାକୁ ଚାହିଥିଲେ।