ବିଜ୍ଞାନର ମୂଳ ସୂତ୍ର ବେଦରୁ ଆସିଛି : ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ

ଉଜ୍ଜୟିନୀ : ବୀଜଗଣିତ, ବର୍ଗମୂଳ, ସମୟର ଅବଧାରଣା, ଆର୍କିଟେକ୍ଚର, ବିଶ୍ବର ଗଠନ, ଧାତୁବିଦ୍ୟା, ଏପରି କି ବିମାନରେ ଉଡ଼ିବା- ଏ ସବୁକିଛି ବେଦରେ ଅଛି। ଏସବୁ ଆରବ ଦେଶ ଦେଇ ୟୁରୋପରେ ପହଞ୍ଚିଥିଲା। ପରେ ପାଶ୍ଚାତ୍ୟ ବିଜ୍ଞାନୀମାନେ ସେଗୁଡ଼ିକୁ ନିଜର ଆବିଷ୍କାର କହି ବିଶ୍ବ ଆଗରେ ବାହାବା ନେଇଛନ୍ତି। ଏ କଥା କହିଛନ୍ତି ବୁଧବାର ଭାରତ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ।

ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ମହର୍ଷି ପାଣିନି ସଂସ୍କୃତ ଓ ବୈଦିକ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ସୋମନାଥ କହିଲେ ଯେ ବେଦରେ ବୈଜ୍ଞାନିକ ଚିନ୍ତାଧାରା ନିହିତ। ବେଦ ସଂସ୍କୃତ ଭାଷାରେ ଲିଖିତ, ଯେଉଁ ଭାଷାକୁ ଇଂଜିନିୟର ଓ ବୈଜ୍ଞାନିକମାନେ ସବୁଠାରୁ ବେଶି ପସନ୍ଦ କରନ୍ତି। ଏହି ଭାଷା କମ୍ପ୍ୟୁଟର ପାଇଁ ଉପଯୁକ୍ତ ଏବଂ ଯେଉଁମାନେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରୁଛନ୍ତି, ସେମାନେ ଏହି ଭାଷା ଅଧ୍ୟୟନ କରୁଛନ୍ତି। ସଂସ୍କୃତକୁ କିପରି କମ୍ପ୍ୟୁଟରର ଭାଷା ଭାବେ ବ୍ୟବହାର କରାଯିବ, ତାହା ଉପରେ ଏବେ ଅନେକ ଗବେଷଣା ହେଉଛି। ସଂସ୍କୃତରେ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଚିନ୍ତନ ରହିଛି ବୋଲି ସେ କହିଥିଲେ।

ସୋମନାଥ କହିଥିଲେ ଯେ, ବିଶ୍ବବିଜ୍ଞାନକୁ ସଂସ୍କୃତ ଓ ବେଦର ଅବଦାନ ଅତୁଳନୀୟ। ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନ, ଆୟୁବିଜ୍ଞାନ, ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ ଓ ମହାକାଶ ବିଜ୍ଞାନ – ସବୁ ସଂସ୍କୃତରେ ଲେଖାଯାଇଥିଲା। ସେ ୮ମ ଶତାବ୍ଦୀରେ ଲିଖିତ ସୂର୍ଯ୍ୟସିଦ୍ଧାନ୍ତର ଉଦାହରଣ ଦେଇ କହିଲେ ଯେ, ଏହା ଏକ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥ। ଏଥିରେ ସୌରଜଗତ, ସମୟର ପରିମାପ ଏବଂ ପୃଥିବୀର ଆକାର ଓ ପରିଧି ଆଦି ବିଷୟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର