ମାତା ପିତାଙ୍କ ଠାରୁ ଅଲଗା ରହିଲେ ମିଳିବ ୨୦ ହଜାର

ମାଦ୍ରିଦ୍: ସ୍ପେନ ଦେଶରେ ଜିନିଷର ଦାମ୍ ବଢିବା ସହ ବେରୋଜଗାରୀ ହୁହୁ ହୋଇ ବଢିବାରେ ଲାଗିଛି । ଏହା ସହିତ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଯେଉଁମାନେ ଚାକିରି କରିବା ସହିତ ନିଜ ମାତା ପିତାଙ୍କ ସହିତ ରହୁଛନ୍ତି । ଯୁବଗୋଷ୍ଠୀ ନିଜ ମାତା ପିତାଙ୍କ ସହିତ ରହିବାର କାରଣ ହେଉଛି ସେମାନେ ମହଙ୍ଗା ଘରଭଡା ଦେବାକୁ ଅସମର୍ଥ ଅଟନ୍ତି । ଏହାକୁ ନେଇ ସ୍ପେନ ସରକାର ଚିନ୍ତିତ ହୋଇ ପଡିଛନ୍ତି କାରଣ ଏପରି ସେମାନେ ମାତା ପିତାଙ୍କ ସହିତ ଗୋଟିଏ ଘରେ ରହିବା ଦ୍ଵାରା ନିଜେ ପରିବାର ବସେଇବା ବିଷୟରେ ଭାବି ପାରୁନାହାନ୍ତି ।

ସ୍ପେନର ଆବାସ ମନ୍ତ୍ରୀ ରାକେଲ ସାଞ୍ଚେଜ୍ କହିଛନ୍ତି, ଦେଶରେ ଯେଉଁ ମାନଙ୍କର ବାର୍ଷିକ ଆୟ ୨୪,୩୧୮ ୟୁରୋ (୨୦ ଲକ୍ଷ ୫୦ ହଜାର ଟଙ୍କା) ସେମାନେ ଆଗାମୀ ୨ ବର୍ଷ ପାଇଁ ଯେକୌଣସି ଆପାର୍ଟମେଣ୍ଟର ଭଡା ଦେବା ପାଇଁ ପ୍ରତିମାସରେ ୨୦ ହଜାର ଟଙ୍କାର ସବସିଡି ନେଇ ପାରିବେ । ସାଞ୍ଚେଜ୍ ପୁଣି କହିଛନ୍ତି, ଆପାର୍ଟମେଣ୍ଟର ଭଡା ଦେଇ ନପାରି ଯେପରି ଯୁବଗୋଷ୍ଠୀଙ୍କର ଭବିଷ୍ୟତ ନଷ୍ଟ ନହୁଏ ସେଥିପାଇଁ ସବସିଡି ଦିଆଯିବାକୁ ସ୍ଥିର କରା ହୋଇଛି ।


ତେବେ ସ୍ପେନର ସବୁଠାରୁ ବଡ ରିଅଲ ଇଷ୍ଟେଟ ଓ୍ଵେବସାଇଟ ଆଇଡିୟଲିଷ୍ଟାର ପ୍ରବକ୍ତା ଫ୍ରାନସିସ୍କୋ ଇନାରେଟା କହିଛନ୍ତି,ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୌଣସି ଫାଇଦା ହେବ ନାହିଁ । କାରଣ, ସରକାର ଭଡା ପାଇଁ ଅର୍ଥ ଦେଲେ ଛୋଟ ଆପାର୍ଟମେଣ୍ଟ ଗୁଡିକର ଚାହିଦା ବଢିବ ଓ ଏହା ଦ୍ଵାରା ଆପାର୍ଟମେଣ୍ଟର ଭଡା ବଢିବାର ସମ୍ଭାବନା ଅଛି।

୨୦୨୦ ର ପରିସଂଖ୍ୟାନ ଅନୁଯାୟୀ ୨୫ରୁ ୨୯ ବର୍ଷର ୫୫ ପ୍ରତିଶତରୁ ଅଧିକ ଯୁବଗୋଷ୍ଠୀ ମାତାପିତାଙ୍କ ସହିତ ଏକାଠି ରହୁଛନ୍ତି । ୨୦୧୩ ମସିହା ତୁଳନାରେ ଏପରି ଯୁବଗୋଷ୍ଠୀଙ୍କ ସଂଖ୍ୟା ୬.୫ ପ୍ରତିଶତ ବଢିଛି । ସ୍ପେନରେ ବଢୁଥିବା ବେରୋଜଗାରୀ ସହିତ ଏହାର ସିଧା ସମ୍ବନ୍ଧ ରହିଛି । ସ୍ପେନରେ ୨୫ ବର୍ଷରୁ କମ ୨୯ ପ୍ରତିଶତ ଯୁବଗୋଷ୍ଠୀ ଏପରି ଅଛନ୍ତି ଯେଉଁମାନେ ବେରୋଜଗାର ଅଛନ୍ତି । ତେଣୁ ସ୍ପେନ ସରକାର କମ୍ ଆୟ କରୁଥିବା ବର୍ଗ ପାଇଁ କୋଭିଡ୍ ପାଣ୍ଠିରୁ ୧ ଆରବ ୟୁରୋ(୮୪୪୦ କୋଟ୍ ଟଙ୍କା) ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର