ବାଚସ୍ପତି ନିର୍ବାଚନ ଅଡ଼ୁଆ ବଢ଼ିଲା: ଜେଡିୟୁ ଓ ଟିଡିପି ମଧ୍ୟରେ ମତଭେଦ

ବିଜେପିର ଚିନ୍ତା ବଢ଼ାଉଛନ୍ତି ଚନ୍ଦ୍ରବାବୁ

ନୂଆଦିଲ୍ଲୀ: ଜୁନ୍ ୨୬ରେ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ ଦଳକୁ ବ‌ାଚସ୍ପତି ପଦ ଦିଆଯିବା ଉଚିତ ବୋଲି ଇଣ୍ଡି ମେଣ୍ଟ ନେତାମାନେ ମତ ରଖି ଅଡ଼ୁଆ ବଢ଼ାଇଛନ୍ତି। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁ) ଏବଂ ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭିନ୍ନ ଭିନ୍ନ ମତ ରଖିଥିବାରୁ ବିଜେପିର ଚିନ୍ତା ବଢ଼ିଛି। ଜେଡିୟୁ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିବ ବୋଲି କହିଥିବା ବେଳେ ଟିଡିପି କହିଛି ଯେ ଶାସକ ମେଣ୍ଟର ସହଯୋଗୀମାନେ ସର୍ବସମ୍ମତ ପ୍ରାର୍ଥୀ ଚୂଡ଼ାନ୍ତ କରିବା ଦରକାର। ଚନ୍ଦ୍ରବାବୁଙ୍କ ଦଳ ପରୋକ୍ଷ ଭାବେ ଜଣାଇଦେଇଛି ଯେ ବିଜେପିର ଏକପାଖିଆ ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ବାଚସ୍ପତିଙ୍କୁ ନେଇ ଏନ୍‌ଡିଏ ଅଂଶୀଦାର ଦଳଙ୍କ ମଧ୍ୟରେ ସହମତି ହେବା ଦରକାର। ଟିଡିପି ଆଭିମୁଖ୍ୟ ଇଣ୍ଡି ମେଣ୍ଟକୁ ସୁହାଉଥିବାରୁ ଏହାର ମୁକାବିଲା ପାଇଁ ବିଜେପିର ରଣନୀତି ଉପରେ ସମସ୍ତଙ୍କର ନଜର ରହିଛି। ଜେଡିୟୁ ନେତା କେସି ତ୍ୟାଗୀ ଗତକାଲି କହିଥିଲେ ଯେ ଜେଡିୟୁ ଏବଂ ଟିଡିପି ଏନ୍‌ଡିଏର ସହଯୋଗୀ ଏବଂ ସେମାନେ ବିଜେପି ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ। ବିଜେପି ପକ୍ଷରୁ ବାଚସ୍ପତି ଭାବେ ମନୋନୀତ ପ୍ରାର୍ଥୀଙ୍କୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ତ୍ୟାଗୀ କହିଥିଲେ।

ଅନ୍ୟପକ୍ଷରେ ଟିଡିପି ରାଷ୍ଟ୍ରୀୟ ମୁଖପାତ୍ର ପଟ୍ଟାଭି ରାମ କୋମାରେଡ୍ଡୀ କହିଛନ୍ତି ଯେ ଏନ୍‌ଡିଏ ସହଯୋଗୀମାନେ ମିଳିତ ଭାବେ ପ୍ରାର୍ଥୀ ଚୟନ କରିବା ଉଚିତ। ସହଯୋଗୀମାନେ ଏକାଠି ବସି ବାଚସ୍ପତି ପାଇଁ ଆମର ପ୍ରାର୍ଥୀ କିଏ ହେବେ ତାହା ସ୍ଥିର କରିବେ। ସହମତି ହେବା ପରେ ଆମେ ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ନେତାମାନେ କହୁଛନ୍ତି ଯେ ବାଚସ୍ପତି ପଦ ଜେଡିୟୁ କିମ୍ବା ଟିଡିପିକୁ ଦିଆଯିବା ଦରକାର। ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କହିଛନ୍ତି ଯଦି ବିଜେପିକୁ ବାଚସ୍ପତି ପଦ ମିଳେ ତେବେ ଜେଡିୟୁ ଓ ଟିଡିପି ସାଂସଦଙ୍କ ଘୋଡ଼ାବେପାର ଆରମ୍ଭ ହୋଇଯିବ। ଯଦି ଭବିଷ୍ୟତରେ ବିଜେପିର କିଛି ଅଗଣତାନ୍ତ୍ରିକ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ନାହିଁ, ତେବେ ବାଚସ୍ପତି ପଦ ଜଣେ ସହଯୋଗୀ ଦଳକୁ ଦେବା ଉଚିତ। ଗୋଟିଏ ପଟେ ଇଣ୍ଡି ମେଣ୍ଟ ନେତାମାନେ ବାଚସ୍ପତି ପଦ ନେଇ ଏନ୍‌ଡିଏରେ ଫାଟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅନ୍ୟପଟେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଆଭିମୁଖ୍ୟ ବିଜେପି ପାଇଁ ସମସ୍ୟା ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଟିଡିପି ଆଗରୁ ଏହାର ଦାବି ଜଣାଇଦେଇଛି ଯେ ବାଚସ୍ପତି ପଦ ଟିଡିପିକୁ ମିଳୁ। ଏଭଳି ଦାବି ନୀତୀଶ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏଥିରୁ ଓହରିଯାଇଛନ୍ତି। କିନ୍ତୁ ଟିଡିପି ଏହାର ପ୍ରାର୍ଥୀଙ୍କୁ ବାଚସ୍ପତି କରିବା ଜିଦରେ ଅଟଳ ରହିଛି। ଅନ୍ୟପକ୍ଷରେ ଏଏସଂପର୍କରେ ବିଜେପି ନିରବ ରହିଛି। ମିଳିଥିବା ସୂଚନା ଅନୁଯାୟୀ ବିଜେପି ବାଚସ୍ପତି ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଟିଡିପି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ବିରୋଧୀ ମେଣ୍ଟ ଘୋଷଣା କରିଛି ଯେ ଟିଡିପି ପ୍ରାର୍ଥୀ ଦେଲେ ଏହା ସମର୍ଥନ କରିବ। ସୂଚନାଯୋଗ୍ୟ ଯେ ବିଜେପି ଲୋକସଭାରେ ୨୪୦ଟି ଆସନ ଜିତିଛି ଏବଂ ସଂଖ୍ୟାଗରିଷ୍ଠତା ଠାରୁ ୩୨ଟି କମ୍ । ୧୬ ଓ ୧୨ ଲୋକସଭା ଆସନ ସହ ନାଇଡୁ ଏବଂ ନୀତୀଶ କୁମାରଙ୍କ ସମର୍ଥନ ମୋଦୀ ସରକାର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି।

ସମ୍ବନ୍ଧିତ ଖବର