ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ଆରମ୍ଭ କରିଥିବା ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ସ୍କିମ୍ର ଅବଧିକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆର୍ଥିକ ସେବା ବିଭାଗ ତରଫରୁ ଏନେଇ ସୂଚନା ଦିଆଯାଇଛି। ଏହି ସ୍କିମ୍ ମୂଳ ଲକ୍ଷ୍ୟ ହେଉଛି ପ୍ରତି ସିଡ୍ୟୁଲଡ୍ କମର୍ସିଆଲ୍ ବ୍ୟାଙ୍କ ସେମାନଙ୍କ ପ୍ରତିଟି ଶାଖା ଜରିଆରେ ଜଣେ ଲେଖାଏଁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କିମ୍ବା ଜଣେ ମହିଳାଙ୍କୁ ବ୍ୟାବସାୟିକ ସଂସ୍ଥା ସ୍ଥାପନ କରିବା ଲାଗି ୧୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧ କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ଦେବେ। ୨୦୧୬ ଜୁନ୍ ୨୮ ସୁଦ୍ଧା ଏହି ସ୍କିମ୍ରେ ୨୬,୨୦୪.୪୯ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି।
ଚଳିତ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସ୍କିମ୍ରେ ଅଣାଯାଇଥିବା କେତେକ ପରିବର୍ତ୍ତନ ବିଷୟରେ ଘୋଷଣା କରିଥିଲେ। ମାର୍ଜିନ୍ ରାଶି ପରିମାଣ ୨୫%ରୁ ହ୍ରାସ କରି ୧୫% କରାଯାଇଥିଲା। ଏହା ବ୍ୟତୀତ ସ୍କିମ୍ର ପରିସରରେ ଆଉ କିଛି ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରକୁ ସାମିଲ କରାଯାଇଥିଲା। ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ସ୍କିମ୍ ପାଇଁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ କୌଣସି ପାଣ୍ଠି ଦିଅନ୍ତି ନାହିଁ। ସେମାନେ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଋଣ ଦେଉଛନ୍ତି। ଅବଶ୍ୟକ ଏହି ସ୍କିମ୍ ଲାଗି ଏକ କ୍ରେଡିଟ୍ ଗ୍ୟାରେଣ୍ଟି ପାଣ୍ଠି ଗଠନ କରାଯାଇଛି। ସେହି ପାଣ୍ଠିକୁ ସରକାର ୨୦୧୬-୧୭ ଓ ୨୦୧୭-୧୮ରେ ୫୦୦ କୋଟି ଟଙ୍କା ଲେଖାଏଁ ଓ ୨୦୨୦-୨୧ରେ ୧୦୦ କୋଟି ଟଙ୍କା ଦେଇଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଲୋକସଭାରେ ଆଜି ଏନେଇ ଲିଖିତ ଉତ୍ତର ରଖିଛନ୍ତି।
ଭୁବନେଶ୍ବର: ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରୁଥିବା ନିବେଶକମାନେ ଏବେ ହାଇବ୍ରିଡ୍ ଫଣ୍ଡ୍ ପ୍ରତି ଅଧିକ ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ଏହାର ପ୍ରମୁଖ କାରଣ ହେଉଛି ଏଥିରେ ସଂଗ୍ରହ କରାଯାଉଥିବା ପାଣ୍ଠିକୁ ଉଭୟ ଋଣ ଓ ଇକ୍ବିଟିରେ ନିବେଶ କରାଯାଏ। ଫଳରେ ରିଟର୍ଣ୍ଣ ଓ ଅସ୍ଥିରତା ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ରକ୍ଷା ହୋଇପାରୁଛି। ବଜାରରେ ତିନି ପ୍ରକାରର ହାଇବ୍ରିଡ୍ ଫଣ୍ଡ୍ ଉପଲବ୍ଧ ହେଉଛି। ତାହା ହେଉଛି ଆଗ୍ରେସିଭ୍ ହାଇବ୍ରିଡ୍ ଇକ୍ବିଟି ଫଣ୍ଡ୍, ବାଲାନ୍ସ ଆଡ୍ଭାଣ୍ଟେଜ୍ ଫଣ୍ଡ୍ ଓ ଇକ୍ବିଟି ସେଭିଙ୍ଗସ୍ ଫଣ୍ଡ୍। ଆଗ୍ରେସିଭ୍ ହାଇବ୍ରିଡ୍ ଇକ୍ବିଟି ଫଣ୍ଡ୍ରେ ୬୫-୮୦% ରାଶିକୁ ଇକ୍ବିଟିରେ ନିବେଶ କରାଯାଏ ଓ ବଳକା ରାଶି ଋଣରେ ରଖାଯାଏ। ସେହିପରି ବାଲାନ୍ସଡ୍ ଆଡ୍ଭାଣ୍ଟେଜ୍ ଫଣ୍ଡ୍ରେ ୩୦-୮୦% ରାଶିକୁ ଇକ୍ବିଟିରେ ନିବୋ କରାଯାଏ। କିନ୍ତୁ ଇକ୍ବିଟି ସେଭିଙ୍ଗସ୍ ଫଣ୍ଡ୍ରେ ମାତ୍ର ୩୦-୪୦ ପ୍ରତିଶତ ରାଶିକୁ ଇକ୍ବିଟିରେ ନିବେଶ କରାଯାଏ।
ନିବେଶକମାନେ ନିଜର ବିପଦ ଗ୍ରହଣ କରିବାର କ୍ଷମତା ଅନୁସାରେ ନିଜକୁ ସୁହାଇବା ଭଳି ହାଇବ୍ରିଡ୍ ଫଣ୍ଡ୍ ଚୟନ କରିପାରିବେ। ଏଡେଲ୍ୱିସ୍ ଇକ୍ବିଟି ସେଭିଙ୍ଗସ୍ ଫଣ୍ଡ୍ ଗତ ୫ ବର୍ଷରେ ବାଲାନ୍ସଡ୍ ଆଡ୍ଭାଣ୍ଟେଜ୍ ଫଣ୍ଡ୍ରେ ୧୧.୬୦%, ଆଗ୍ରେସିଭ୍ ହାଇବ୍ରିଡ୍ ଫଣ୍ଡ୍ରେ ୧୧.୯୬% ରିଟର୍ଣ୍ଣ ପ୍ରଦାନ କରିଛି। ଅତିକମ୍ରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଥିବା ନିବେଶକ ଯେଉଁମାନେ ଅଧିକ ଅସ୍ଥିରତା ପସନ୍ଦ କରନ୍ତି ନାହିଁ ସେମାନେ ହାଇବ୍ରିଡ୍ ଫଣ୍ଡ୍ ବିଷୟରେ ଚିନ୍ତା କରିପାରିବେ।