ଲକଡାଉନ୍ ନିର୍ଦ୍ଦେଶକୁ ରାଜ୍ୟ କୋହଳ କରିପାରିବ ନାହିଁ: କେନ୍ଦ୍ର

ରାଜ୍ୟମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଲକ୍‌ଡାଉନ୍‌ ନିୟମ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ବାଧ୍ୟ। ରାଜ୍ୟମାନେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିନ୍ତୁ ଏହି ନିର୍ଦ୍ଦେଶାବଳୀକୁ କୋହଳ କରିପାରିବେ ନାହିଁ। ଲକ୍‌ଡାଉନ୍‌ ନିୟମ ହ୍ରାସ କଲେ ଏହା ପରିସ୍ଥିତିକୁ ଅଧିକ ବିଗାଡ଼ି ଦେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳା‌ ଶ୍ରୀବାସ୍ତବ କହିଛନ୍ତି, କିଛି ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ଗୌଣ କଲାଭଳି ନିର୍ଦ୍ଦେଶାବଳୀ ଜାରି କରିବାରୁ ଏଥିପାଇଁ ଗୃହ ସଚିବ ଅଜୟ ଭଲ୍ଲା କିଛି ରାଜ୍ୟମାନଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଦେଶବ୍ୟାପୀ ନିୟମିତ ଲକ୍‌ଡାଉନ୍‌ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି। ଯେଉଁଠି ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରାଯାଉଛି, ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଯଥେଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ ହେଉଛି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଣି କୁହାଯାଇଛି। କିଛି ରାଜ୍ୟରେ ଏବେ ଯେଉଁ ପଦକ୍ଷେପ ଗ୍ରହଣ ହୋଇଛି ତାହାକୁ ଗୃହ ମନ୍ତ୍ରାଳୟ ଅଧୀନରେ ଅନୁମତି ମିଳିନି। କେରଳ ରାଜ୍ୟ ସରକାରଙ୍କ ଦ୍ବାରା ଲକ୍‌ଡାଉନ୍‌ କୋହଳ କରିବା ନେଇ ଯେଉଁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା ସେନେଇ ଗୃହ ମନ୍ତ୍ରାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ରେ‌ସ୍ତୋରାଁ ଖୋଲିବା, ସହର ମାନଙ୍କରେ ବସ୍‌ ଚଳାଇବା ଏବଂ ସହରାଞ୍ଚଳରେ ଏମ୍ଏସଏମ୍‌ଇ ଶିଳ୍ପସଂସ୍ଥା ଖୋଲିବାପାଇଁ କୁହାଯିବାପରେ କେନ୍ଦ୍ର ସରକାର ଏହାର ବିାରେଧ କରିଛନ୍ତି। ଏହା କେନ୍ଦ୍ରର ଲକ୍‌ଡାଉନ୍‌ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର