ହାଇଦ୍ରାବାଦ: ହାଇଦ୍ରାବାଦର ମୁସିରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକା ରାତି ଗୋଟାଏରେ କାହା ସହ ଫୋନ୍‌ରେ ଗପୁଥିବାରୁ ତା’ର ସାବତବାପା ତାକୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ରବିବାର ଏହି ଘଟଣା ଘଟିଛି। ଉକ୍ତ ସାବତବାପାଙ୍କ ନାଁ ମହମ୍ମଦ ତଫିକ। ମୁସିରାବାଦ ପୁଲିସ ଇନ୍ସପେକ୍ଟର ଜାହାଙ୍ଗୀର ଯାଦବଙ୍କ କହିବା ଅନୁସାରେ ମହମ୍ମଦ ତଫିକ ହେଉଛନ୍ତି ମୁସିରାବାଦର ବକାରାମ ବାସିନ୍ଦା।

Advertisment

ରାତି ଗୋଟାଏ ବେଳେ ଝିଅ ‌ଫୋନ୍‌ରେ ଗପୁଥିବାରୁ ସେ ତାକୁ ଫୋନ୍ ବନ୍ଦ କରି ଶୋଇବାକୁ କହିଥିଲେ। କିନ୍ତୁ ସାବତ ଝିଅ ୟସ୍‌ମିନ ଉନ୍ନିସା କଥା ମାନି ନ ଥିଲା। ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏମତି ଢେର ସମୟ ବିତିଯାଇଥିଲା। ଶେଷରେ ରାତି ୩ଟାବେଳେ ରାଗିଯାଇ ତଫିକ୍ ତଣ୍ଟିଚିପି ଉନ୍ନିସାକୁ ହତ୍ୟା କରିଥିଲେ। ତା’ପରେ ସକାଳ ୬ଟାବେଳେ ମହମ୍ମଦ ତଫିକ ଥାନାରେ ଆତ୍ମସମର୍ପଣ କରି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ପୁଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ଅନୁସନ୍ଧାନ କରୁଛି ଏବଂ ହତ୍ୟାକାରୀକୁ ଗିରଫ କରିଛି।