ତେହେରାନ: ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ହମାସର ଶୀର୍ଷ ନେତା ଇସ୍ମାଇଲ ହାନିୟେହଙ୍କୁ ଏକ ବିସ୍ଫୋରକ ଉପକରଣ ଦ୍ୱାରା ହତ୍ୟା କରାଯାଇଛି। ଯେଉଁ ତେହେରାନ ଗେଷ୍ଟହାଉସରେ ସେ ରହୁଥିଲେ ସେ ରହିବାର ୨ ମାସ ପୂର୍ବରୁ ସେଠାରେ ଉକ୍ତ ବୋମା ଗୁପ୍ତଭାବରେ ରଖାଯାଇଥିଲା। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଶପଥ ଗ୍ରହଣ ପାଇଁ ହାନିୟେହ ଇରାନର ରାଜଧାନୀ ଗସ୍ତ କରିଥିଲେ। ତାଙ୍କୁ ଉତ୍ତର ତେହେରାନର ଏକ ବିଶାଳ ଅଞ୍ଚଳରେ ଇସଲାମିକ ରିଭଲ୍ୟୁସନାରି ଗାର୍ଡସ କର୍ପସ ଦ୍ୱାରା ପରିଚାଳିତ ଏବଂ ସୁରକ୍ଷିତ ଏକ ଗେଷ୍ଟହାଉସରେ ରଖାଯାଇଥିଲା। ତେହେରାନ ଗସ୍ତ ସମୟରେ ସେ ପ୍ରାୟତଃ ଉକ୍ତ ଗେଷ୍ଟହାଉସରେ ରହୁଥିଲେ। ଅଧିକାରୀମାନେ କହିଛନ୍ତି ଯେ ସେ ଗେଷ୍ଟହାଉସରେ ତାଙ୍କ କୋଠରିରେ ଅଛନ୍ତି ବୋଲି ନିଶ୍ଚିତ ହେବା ପରେ ବୋମାକୁ ଦୂରରୁ ରିମୋଟ୍‌ରେ ବିସ୍ଫୋରଣ କରାଯାଇଥିଲା।

Advertisment

ଏହି ବିସ୍ଫୋରଣରେ କୋଠାଟି ଥରି ଉଠିଥିଲା, କିଛି ଝରକା ଭାଙ୍ଗି ଯାଇଥିଲା ଏବଂ ଏକ ବାହ୍ୟ କାନ୍ଥ ଆଂଶିକ ଭୁଶୁଡ଼ି ପଡ଼ିଥିଲା। ଇସ୍ରାଏଲ ଏହି ହତ୍ୟାକାଣ୍ଡ ପାଇଁ ସାର୍ବଜନୀନ ଭାବେ ନିଜକୁ ଦାୟୀ କରି ନ ଥିବା ବେଳେ ସୂଚନା ଅନୁଯାୟୀ ଇସ୍ରାଏଲର ଗୁଇନ୍ଦା ଅଧିକାରୀମାନେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ସରକାରଙ୍କୁ ଏହି ଅପରେସନ ବିଷୟରେ ଅବଗତ କରାଇଛନ୍ତି। ତେବେ ଆମେରିକା ଏହି ହତ୍ୟାକାଣ୍ଡ ସମ୍ପର୍କରେ ଆଗୁଆ ସୂଚନା ପାଇବା କଥାକୁ ଅସ୍ୱୀକାର କରିଛି ବୋଲି ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି। ଗୁରୁବାର ତେହେରାନରେ ହାନିୟେହଙ୍କ ଏକ ସାର୍ବଜନୀନ ଅନ୍ତିମ ସଂସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ହାନିୟେହଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଇସ୍ରାଏଲ ଲେବାନନର ବେରୁତରେ ହମାସର ସହଯୋଗୀ ହିଜବୁଲ୍ଲାର ସାମରିକ କମାଣ୍ଡର ଫୁଆଦ ଶୁକ୍ରଙ୍କୁ ବିମାନ ଆକ୍ରମଣରେ ହତ୍ୟା କରିବାର କେଇ ଘଣ୍ଟା ପରେ ହାନିୟେହଙ୍କ ନିଧନ ହୋଇଥିଲା।