ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ତଳେ ୧୯୯୧ ମସିହାରେ ପୃଥିବୀର ତୃତୀୟ ବୃହତ୍ତମ ଅଣୁଅସ୍ତ୍ର ରଖିଥିବା ଦେଶ ୟୁକ୍ରେନ୍ ତତ୍କାଳୀନ ସେଭିଏତ୍ ୟୁନିୟନ୍ରୁ ଅଲଗା ହେବା ପରେ ୧୯୯୪ରେ ଏହି ଅସ୍ତ୍ର ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ରୁଷିଆ ଆକ୍ରମଣ କରିବା ଓ ଦରକାର ପଡ଼ିଲେ ଅଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକାଇବା ବେଳେ ୟୁକ୍ରେନ୍ର ସେତେବେଳର ନିଷ୍ପତ୍ତିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି। ୧୯୯୧ରେ ସୋଭିଏତ୍ ୟୁନିୟନ୍ ଭାଙ୍ଗି ଅଲଗା ଅଲଗା ଅନେକ ଦେଶରେ ପରିଣତ ହୋଇଗଲା। ୟୁକ୍ରେନ୍ ମାଟିରେ ହଜାର ହଜାର ଆଣବିକ ଅସ୍ତ୍ର ପଡ଼ି ରହିଥିଲା। ସେତେବେଳେ ୟୁକ୍ରେନ୍ ପାଖରେ ଅନ୍ତତଃ ୧,୯୦୦ ୱାର୍ହେଡ୍, ୧୭୬ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଏବଂ ୪୪ଟି ଷ୍ଟ୍ରାଟେଜିକ୍ ବମ୍ବର ଥିଲା ବୋଲି ଆମେରିକାର ଆର୍ମସ୍ କଣ୍ଟ୍ରୋଲ ଆସୋସିଏସନ ପକ୍ଷରୁ କୁହାଯାଇଛି।
ତେବେ ୧୯୯୪ ମସିହାରେ ବୁଡ଼ାପେଷ୍ଟ ମେମୋରାଣ୍ଡମ୍ ଚୁକ୍ତିନାମାରେ ୟୁକ୍ରେନ୍ ନିଷ୍ପତ୍ତି ନେଲା କିଛି ବି ପରମାଣୁ ଅସ୍ତ୍ର ରଖିବନି। ଅଣୁ-ଅସ୍ତ୍ର ଅପ୍ରସାର ଚୁକ୍ତି (ଏନ୍ପିଟି)ରେ ବେଲାରୁସ୍ ଓ କାଜାଖସ୍ତାନ ସହ ୟୁକ୍ରେନ୍ ସ୍ବାକ୍ଷର କଲା। ଏହା ବଦଳରେ ଆମେରିକା, ବ୍ରିଟେନ୍ ଓ ରୁଷିଆ ୟୁକ୍ରେନ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଲେ। ବୁଡ଼ାପେଷ୍ଟ ମେମୋରାଣ୍ଡମ୍ ହେଉଛି ୟୁକ୍ରେନ୍, ରୁଷିଆ, ଇଂଲଣ୍ଡ ଓ ଆମେରିକା ମଧ୍ୟରେ ହୋଇଥିବା ଏକ ରାଜନୈତିକ ଚୁକ୍ତିନାମା। ୧୯୯୪ରେ ସ୍ବାକ୍ଷରିତ ଏହି ଚୁକ୍ତି ଅନୁଯାୟୀ ଉକ୍ତ ଚାରି ଦେଶ ୟୁକ୍ରେନ୍କୁ ଏକ ସ୍ବାଧୀନ ଓ ସାର୍ବଭୌମ ଦେଶ ବୋଲି ମାନିବେ । ତେବେ ସେମାନେ ଏହିସବୁ ମାନିବା ପାଇଁ ହେଲେ ୟୁକ୍ରେନ୍କୁ ଅଣୁ ଅସ୍ତ୍ର ତ୍ୟାଗ କରିବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ୟୁକ୍ରେନ୍ ସର୍ତ୍ତରେ ରାଜି ହେବା ପରେ ରୁଷିଆ ୟୁକ୍ରେନ୍ଠାରୁ ସବୁ ଅଣୁ-ଅସ୍ତ୍ର ଆର୍ଥିକ ମୂଲ୍ୟ ଦେଇ କିଣିନେଲା। ଏଥିପାଇଁ ଏବେ ୟୁକ୍ରେନ୍ ପସ୍ତାଉଛି।