କାବୁଲରୁ ୧୫୦ ଭାରତୀୟଙ୍କ ଉଦ୍ଧାରର ରୋମାଞ୍ଚକର କାହାଣୀ : ଭାରତୀୟଙ୍କୁ ସୁରକ୍ଷା ଦେଇଥିଲା ତାଲିବାନ

ନୂଆଦିଲ୍ଲୀ : କାବୁଲ ସ୍ଥିତ ଭାରତୀୟ ଦୂତାବାସରେ ଥିବା ଭାରତୀୟ କର୍ମଚାରୀ ଓ ଯବାନମାନଙ୍କୁ ଭାରତ ସରକାର ସୁରକ୍ଷିତ ଭାରତ ଫେରାଇ ଆଣିଛନ୍ତି । ଭାରତ ସରକାର ଦୁଇଟି ମିଲିଟାରୀ ବିମାନରେ ପ୍ରାୟ ୨୦୦ ଭାରତୀୟ କର୍ମଚାରୀଙ୍କୁ ଭାରତ ନେଇଆସିଛନ୍ତି । କିନ୍ତୁ ଆଫଗାନିସ୍ତାନରେ ଚାଲିଥିବା ତାଲିବାନ ଆତଙ୍କ ମଧ୍ୟରେ ଏହି ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବା ଏକ ଚଳଚ୍ଚିତ୍ରର କାହାଣୀଠାରୁ କିଛି କମ୍ ରୋମାଞ୍ଚକର ନ ଥିଲା ।

କାବୁଲରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ରୁଦ୍ରେନ୍ଦ୍ର ଟଣ୍ଡନଙ୍କ ସୂଚନା ଅନୁସାରେ ସୋମବାରଦିନ ୪୦ ଜଣ ଭାରତୀୟଙ୍କୁ ସଫଳତାର ସହ ଭାରତ ଅଣାଯାଇଥିଲା । ଦ୍ବିତୀୟ ଦିନ ଅର୍ଥାତ ମଙ୍ଗଳବାରଦିନ ୧୫୦ ଜଣ ଭାରତୀୟ କର୍ମଚାରୀଙ୍କୁ ଅଣାଯିବାର ଥିଲା । ସେମାନଙ୍କ ମଧ୍ୟରେ ନିଜେ ଟଣ୍ଡନ ମଧ୍ୟ ଥିଲେ । ଭାରତୀୟ ଦୂତାବାସରୁ କାବୁଲ ହମିଦ କାର୍ଜାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ପ୍ରାୟ ୫ କିଲୋମିଟର ଦୂର । ୧୫୦ ଜଣ ଭାରତୀୟଙ୍କୁ ସେଠାକୁ ନେବା ଲାଗି ମଧ୍ୟ ରାତ୍ରିରେ ପ୍ରାୟ ଦୁଇ ଡଜନ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ବାଟ ଗଲା ପରେ ତାଲିବାନ ପକ୍ଷରୁ ଗାଡ଼ିଗୁଡ଼ିକୁ ଅଟକା ଯାଇଥିଲା । ସେମାନେ ଭାରତୀୟ ଲୋକମାନଙ୍କୁ ଛାଡ଼ିବାକୁ ମନାକରିଦେଇଥିଲେ  ଓ ଦୂତାବାସକୁ ଫେରିଯିବାକୁ ବାଧ୍ୟ କରିଥିଲେ । ଏହା ଜାଣିବା ପରେ ଭାରତ ସରକାର ଗୋପନରେ ତାଲିବାନ ସହ ଆଲୋଚନା କରିଥିଲେ । ଏହା ପରେ ହିଁ ସେମାନେ ଭାରତୀୟ ଦଳକୁ ଛାଡ଼ିବାକୁ ରାଜି ହୋଇଥିଲେ । କେବଳ ଏତିକି ନୁହେଁ ଭାରତୀୟ ଦଳକୁ ସୁରକ୍ଷିତ ଏୟାରପୋର୍ଟରେ ପହଞ୍ଚାଇବାକୁ ତାଲିବାନ ପକ୍ଷରୁ କେତେକ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ପଠାଇଥିଲେ । ଭାରତୀୟ ଗାଡ଼ିଗୁଡ଼ିକ ଏୟାରପୋର୍ଟରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ସୁରକ୍ଷା ଦେଇଚାଲିଥିଲେ । ଏପରିକି ବାଟରେ ପ୍ରବଳ ଜନଗହଳିକୁ ହଟାଇବାକୁ ତାଲିବାନ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଭାରତୀୟ ଦଳ ଏୟାରପୋର୍ଟରେ ପହଞ୍ଚିବା ପରେ ତାଲିବାନର ଯୋଦ୍ଧାମାନେ ଫେରିଯାଇଥିଲେ ।

ସମ୍ବନ୍ଧିତ ଖବର