ୱାସିଂଟନ: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ ଓହରିଯିବା ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ରାଷ୍ଟ୍ରପତି କରିବା ପାଇଁ ସୁପାରିସ କରିବା ଆମେରିକା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଗତକାଲି ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ଚାଲିଥିବା ମୁକାବିଲାର ପରିସମାପ୍ତି ସହ ହାରିସଙ୍କ ଆବିର୍ଭାବ ଭିନ୍ନ ରାଜନୈତିକ ପରିବେଶ ସୃଷ୍ଟି କରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗତ ଜୁନ୍ ମାସରେ ଏକ ବିତର୍କରେ ୮୧ ବର୍ଷୀୟ ବାଇଡେନ ଯେଭଳି ଭାବେ ତାଙ୍କର ଅସହାୟତା ପ୍ରଦର୍ଶନ କଲେ ତାହା ଡେମୋକ୍ରାଟିକ ପାର୍ଟି ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଥିଲା। ଏହାପରେ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ଲଗାତାର ଚାପ ପଡ଼ୁଥିଲା। ତେବେ ବାଇଡେନ ଓହରିବା ପ୍ରସଙ୍ଗରେ ଅହେତୁକ ବିଳମ୍ବ କରିଥିବା ବେଳେ ଗତକାଲି ହଠାତ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ହାରିସଙ୍କ ନାମ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ବାଇଡେନଙ୍କ ଏହି ବିଳମ୍ବିତ ନିଷ୍ପତ୍ତି ଦଳକୁ ନୂଆ ଅସ୍ଥିରତା ଭିତରକୁ ଠେଲି ଦେଇଛି।
ହାରିସ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ବୋଲି ଟ୍ବିଟ୍ କରି ବାଇଡେନ ତାଙ୍କର ଏକପାଖିଆ ନିଷ୍ପତ୍ତିକୁ ମଧ୍ୟ ଦଳ ଉପରେ ଲଦି ଦେବାକୁ ପ୍ରୟାସ କରୁଛନ୍ତି ବୋଲି କେତେକ ବରିଷ୍ଠ ନେତା ମତ ରଖିଛନ୍ତି। ହାରିସଙ୍କ ପାଇଁ ଦଳର ବରିଷ୍ଠ ନେତାମାନେ ଏକଜୁଟ ହେବେ କି ନାହିଁ ତାହା ଏବେ ମୁଖ୍ୟ ପ୍ରଶ୍ନ ପାଲଟିଛି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି କମଳା ହାରିସ୍ଙ୍କ ପ୍ରାର୍ଥିତ୍ବ ସପକ୍ଷରେ କୌଣସି ବୟାନ ଦେଇନଥିବାରୁ ଉଭୟଙ୍କ ଆଭିମୁଖ୍ୟ ଏବେ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ ‘ଦୁର୍ବଳ’ ବାଇଡେନଙ୍କ ବଦଳରେ ‘ଆକ୍ରମଣାତ୍ମକ’ ହାରିସ୍ଙ୍କ ଆବିର୍ଭାବ ରିପବ୍ଲିକାନ ଦଳ ପାଇଁ ମଧ୍ୟ ନୂଆ ଚ୍ୟାଲେଂଜ ଆଣିଛି। ଟ୍ରମ୍ପ୍ଙ୍କ ପ୍ରଚାର ରଣନୀତିରେ ମଧ୍ୟ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ଆସିବା ସଙ୍କେତ ମିଳିଛି।