ବିଚାରପତି ନିଯୁକ୍ତି ବିଳମ୍ବ ପାଇଁ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ୪୦ ପ୍ରତିଶତ ବିଚାରପତି ପଦବି ଖାଲି ଥିବାବେଳେ ନୂତନ ନିଯୁକ୍ତି ଦେବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଅସ୍ବାଭାବିକ ବୋଲି ସୋମବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହାଦ୍ବାରା ଯଥାସମୟରେ ବିଭିନ୍ନ ମାମଲାର ବିଚାର ସମ୍ଭବ ହୋଇପାରୁନି। ଏପରିକି ଅତି ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟ ମାସ ମାସ ଧରି ପଡ଼ିରହୁଛି। ଦେଶର ନ୍ୟାୟ ବ୍ୟବସ୍ଥା ଏକପ୍ରକାର ସ୍ଥାଣୁ ହୋଇଯାଉଛି।

ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର ଉଦାସୀନ ରହୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ଲାଗି ସରକାରଙ୍କୁ ଏକ ସମୟସୀମା ଦେଇଥିଲେ, ଯାହାକୁ ସରକାର ମାନିନାହାନ୍ତି। କେନ୍ଦ୍ର ସରକାରରେ ଥିବା ଅଧିକାଂଶ ନେତା, ମନ୍ତ୍ରୀ ଓ ସରକାରୀ ସଂସ୍ଥା ଆଦିଙ୍କ ନାମରେ ସର୍ବାଧିକ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସେମାନେ ଏହାଦ୍ବାରା ସବୁଠୁ ବେଶି ପ୍ରଭାବିତ ହେବେ ବୋଲି ଖଣ୍ଡପୀଠ କହିଛନ୍ତି। ସେମାନଙ୍କ ନାମରେ ଥିବା ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକ ବିଚାର ହେବାରେ ବିଳମ୍ବ ଘଟିବ। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଖଣ୍ଡପୀଠ କହିଛନ୍ତି ଯେ, ସେମାନେ ଯଦି ନ୍ୟାୟ ବ୍ୟବସ୍ଥାରେ ସ୍ଥାଣୁ ଅବସ୍ଥା ସୃଷ୍ଟି କରିବେ, ତା’ହେଲେ ସରକାରରେ ବି ଅଚଳାବସ୍ଥା ଦେଖାଦେବ। ସରକାର ଏହା ବୁଝିବା ଉଚିତ। ଯଦି ବିଚାରପତି ନିଯୁକ୍ତ ନ ହୁଅନ୍ତି, ତେବେ ଜନସାଧାରଣ ତଥା ସରକାରରେ ଥିବା ପକ୍ଷମାନେ ବି ଉଚିତ ସମୟରେ ନ୍ୟାୟ ପାଇପାରିବେ ନାହିଁ।

‌ଆମଦାନୀ ସୌର ବ୍ୟାଟେରିଗୁଡ଼ିକର ଆଣ୍ଟି-ଡମ୍ପିଂ ପ୍ରକ୍ରିୟାକୁ ନେଇ ଦେଖା ଦେଇଥିବା ବିବାଦ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିବା ଏବଂ ଶୀଘ୍ର ତାହାର ବିଚାର କରି ରାୟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଖଣ୍ଡପୀଠ ଏହା କହିଛନ୍ତି। ଅତିରିକ୍ତ ସିଲିସିଟର ଜେନେରାଲ ମାଧବୀ ଦିୱାନ କେନ୍ଦ୍ର ସରକାରଙ୍କ ତରଫରୁ କହିଥିଲେ ଯେ, ମାମଲାର ତ୍ବରିତ ବିଚାର ହେବା ଅତି ଗୁରୁତ୍ବପୂର୍ଣ୍ଣ କାରଣ ଅର୍ଥନୀତି ସହ ଏହାର ସମ୍ବନ୍ଧ ଅଛି। ଖଣ୍ଡପୀଠ କହିଲେ, ତାହା ଠିକ୍ ଯେ, କିନ୍ତୁ ଦିଲ୍ଲୀ ହାଇକୋର୍ଟ ମାତ୍ର ୫୦ ପ୍ରତିଶତ ବିଚାରପତିଙ୍କୁ ନେଇ ଚାଲୁଛି। ଏଥିରୁ ତ୍ବରିତ ବିଚାର କିପରି ଆଶା କରାଯାଇପାରିବ? ସରକାର ଏଥିପାଇଁ ନିନ୍ଦିତ ହେବେ, ହୁଅନ୍ତୁ। କାରଣ ବିଚାରପତି ନିଯୁକ୍ତି ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଉପରେ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ବିଚାରପତିଙ୍କ ଘୋର ଅଭାବ ଥିବାବେଳେ ଆମେ ହାଇକୋର୍ଟଙ୍କୁ ନିର୍ଦ୍ଦିଷ୍ଟ ମାମଲାର ତ୍ବରିତ ବିଚାର କରିବା ପାଇଁ ବାଧ୍ୟ କରିପାରିବୁ ନାହିଁ। ସର୍ବଶେଷ ‌ତଥ୍ୟ ଅନୁସାରେ ଦେଶର ହାଇକୋର୍ଟଗୁଡ଼ିକରେ ବିଚାରପତିମାନଙ୍କ ଅନୁମୋଦିତ ସଂଖ୍ୟା ୧୦୯୮ ହୋଇଥିବା ବେଳେ ବର୍ତ୍ତମାନ ସେଥିରୁ ୪୫୫ ପଦବି ଖାଲି ପଡ଼ିଛି ଏବଂ ମାତ୍ର ୬୪୩ ବିଚାରପତିରେ ହାଇକୋର୍ଟଗୁଡ଼ିକ ଚାଲୁଛି। ସପ୍ତାହକ ଭିତରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ସଂଖ୍ୟା ୬୦ ଜାଗାରେ ୨୯ ହେବ, ଅର୍ଥାତ୍ ୫୦ ପ୍ରତିଶତରୁ ବି କମ୍। ତେଣୁ ସରକାର ଯଦି ତ୍ବରିତ ବିଚାର ଚାହୁଁଛନ୍ତି, ତେବେ ତୁରନ୍ତ ଖାଲି ଥିବା ବିଚାରପତି ପଦଗୁଡ଼ିକ ପୂରଣ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର