ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବରରେ ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇପାରେ। ଯଦି ରାଜ୍ୟ ଗୁଡ଼ିକ ଏବେଠୁ ଠିକ୍‌ ଭାବେ ପ୍ରସ୍ତୁତ ନରୁହନ୍ତି ତେବେ ଆଗକୁ ସ୍ଥିତି ଆହୁରି ଅଧିକ ଖରାପ ହୋଇଯିବ ବୋଲି ସୁପ୍ରିମକୋର୍ଟ ଆଜି ରାଜ୍ୟ ଗୁଡ଼ିକୁ ଚେତାଇ ଦେଇଛନ୍ତି। ଦେଶରେ ସଂକ୍ରମଣ ବଢ଼ିବାରୁ ଏବଂ ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ନିଜଆଡ଼ୁ ଉକ୍ତ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଦିଲ୍ଲୀ ଏବଂ ଗୁଜରାଟ‌ରେ କରୋନା ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଥିବାରୁ ସୁପ୍ରିମକୋର୍ଟ ଉଭୟ ଦିଲ୍ଲୀ ଏବଂ ଗୁଜରାଟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣ, ଆର୍‌ ସୁଭାଷ ରେଡ୍ଡି ଏବଂ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀରେ ଏବେ ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। କରୋନା ପରିଚାଳନା‌ରେ ଉଭୟ ଦିଲ୍ଲୀ ଏବଂ ଗୁଜରାଟ ସରକାର ବିଫଳ ହୋଇଛନ୍ତି। ଦିଲ୍ଲୀ, ଗୁଜରାଟ ସମେତ ମହାରାଷ୍ଟ୍ର ଏବଂ ଆସାମରେ ମଧ୍ୟ ସଂକ୍ରମଣ ବଢ଼ିଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୨ ଦିନ ମଧ୍ୟରେ ଉପରୋକ୍ତ ୪ଟି ରାଜ୍ୟର କରୋନା ସ୍ଥିତି ସଂକ୍ରାନ୍ତରେ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାର ସଠିକ୍‌ ପଦ‌କ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି।

Advertisment

ସମସ୍ତ ରାଜ୍ୟ କରୋନା ନିୟନ୍ତ୍ରଣ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ଆଗକୁ କି ପଦ‌କ୍ଷେପ ଗ୍ରହଣ କରିବେ ଏବଂ କରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ କେଉଁ ପ୍ରକାର ସାହାଯ୍ୟ ଆବଶ୍ୟକ ସେ ବାବଦ ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ଖଣ୍ଡପୀଠ କହିଛନ୍ତି। କୋର୍ଟ କହିଛନ୍ତି, କେଉଁଠି ଆମର ଭୁଲ୍‌ ରହିଯାଇଛି ତାହା ବର୍ତ୍ତମାନ ସମୀକ୍ଷା କରିବାର ସମୟ। ଏହା ଜାଣି ରଖିବାକୁ ହେବ ଯେ, ଆଗାମୀ ମାସ ଗୁଡ଼ିକରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି। ରାଜ୍ୟ ଗୁଡ଼ିକୁ ଆସନ୍ତା ମାସ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷେ କୋର୍ଟ ଗୁଜରାଟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ସଂକ୍ରମଣ ବଢ଼ିବା ସମୟରେ ଗୁଜରାଟ ସରକାର କାହିଁକି ରାଜନୈତିକ ଏବଂ ବିବାହ କାର୍ଯ୍ୟକ୍ରମକୁ ଅନୁମତି ଦେଉଛନ୍ତି ବୋଲି ପଚାରିଛନ୍ତି। ଦିଲ୍ଲୀ ପରେ ଗୁଜରାଟରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗୁଜରାଟ ସରକାର କରୋନା ନିୟନ୍ତ୍ରଣ ଦିଗରେ କ’ଣ ପଦ‌କ୍ଷେପ ଗ୍ରହଣ କରିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ଅଛି। ଉଲ୍ଲେଖଯୋଗ୍ୟ ଯେ ‌ଦେଶରେ ଶୀତ ଋତୁ ଆରମ୍ଭରୁ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ଡରାଇବା ଭଳି ସ୍ଥିତି ସ୍ଥିତି ସୃଷ୍ଟି କରିଛି।