ନୂଆଦିଲ୍ଲୀ, ୨୭/୭: ସ୍ବାସ୍ଥ୍ୟସେବା ପରି ମୌଳିକ ଅଧିକାରକୁ ପଛକୁ ଠେଲି ଦିଆଯାଉଛି। ସ୍ବାସ୍ଥ୍ୟ ସେବାର କୁପରିଚାଳନା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଆଧାରରେ ଆଜି କୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନୋଟିସ୍ କରିଛନ୍ତି ଏବଂ ଏ ବାବଦ ଜବାବ ମାଗିଛନ୍ତି। ଲୋକମାନଙ୍କୁ ବ୍ୟୟବହୁଳ ଘରୋଇ ହସ୍ପିଟାଲ୍ କିମ୍ବା ଆବଶ୍ୟକୀୟ ସ୍ବାସ୍ଥ୍ୟ ସୁବିଧା ନଥିବା ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ବାଧ୍ୟ କରାଯାଉଛି। ବିଶେଷ କରି କରୋନା ମହାମାରୀ ମଧ୍ୟରେ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ୍ରେ ଅତ୍ୟାଚାର କରାଯାଉଛି ବୋଲି ଅଭିଯୋଗ ହୋଇଛି। ଜନସ୍ବାସ୍ଥ୍ୟ ଅଭିଯାନ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ସୁପ୍ରିମକୋର୍ଟରେ ଏନେଇ ଏକ ପିଆଇଏଲ୍ ଦାଖଲ କରିଥିଲା। ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ନୋଟିସ୍ କରିଛନ୍ତି।
ବରିଷ୍ଠ ଓକିଲ ସଂଜୟ ପାରିଖ ସ୍ବେଚ୍ଛାସେବୀ ସଂସ୍ଥା ଜନସ୍ବାସ୍ଥ୍ୟ ଅଭିଯାନ ପକ୍ଷରୁ କୋର୍ଟରେ ହାଜର ହୋଇ କହିଛନ୍ତି, ଦେଶରେ ୭୦ ପ୍ରତିଶତ ସ୍ବାସ୍ଥ୍ୟ ସେବା ଘରୋଇ ହସ୍ପିଟାଲ୍ ହାତରେ ଅଛି। ଚିକିତ୍ସା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳି ରହିବା ଉଚିତ୍ ବୋଲି ସେ କହିଛନ୍ତି। ଏନ୍ଏଚଆରସି ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରୋଗୀମାନଙ୍କର ଏକ ଚାର୍ଟ୍ ପ୍ରସ୍ତୁତ କରିବାପାଇଁ କହିଥିଲେ। କେବଳ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ପଦକ୍ଷେପ ଅବଲମ୍ବନ କରିଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ , ବିଭିନ୍ନ ଘରୋଇ ହସ୍ପିଟାଲ୍ଗୁଡ଼ିକ କରୋନା ଚିକିତ୍ସା ମୂଲ୍ୟ ଅତ୍ୟଧିକ ବଢ଼ାଉଥିବାରୁ ଏହା ରୋଗୀମାନଙ୍କ ଉପରେ ଅତ୍ୟାଚାର ସଦୃଶ ହୋଇଛି। ତେଣୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।
ସ୍ବାସ୍ଥ୍ୟସେବାର କୁପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟଠାରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2021/06/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)