ଦିଲ୍ଲୀରେ ‘ଟ୍ୟାଙ୍କର ମାଫିଆ’ ପ୍ରସଙ୍ଗରେ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ତୀବ୍ର ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କ ଆବଶ୍ୟକତାର ଫାଇଦା ନେଇ ଅନେକ ଅନ୍ୟାୟ ଭାବେ ଅର୍ଥ ଉପାର୍ଜନ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ଜଳସଙ୍କଟକୁ ଅଧିକ ଜଟିଳ କରିବା ପଛରେ ‘ଟ୍ୟାଙ୍କର ମାଫିଆ’ଙ୍କ ରହିଛି। ଦିଲ୍ଲୀରେ ମାତ୍ରାଧିକ ଜଳ ନଷ୍ଟ ହେଉଛି। ସେମାନଙ୍କ ନିମନ୍ତେ ଦିଲ୍ଲୀରେ କୃତ୍ରିମ ଜଳ ସଙ୍କଟ ସୃ‌ଷ୍ଟି କରାଯାଉଛି। ଦିଲ୍ଳୀ ଜଳସଙ୍କଟ ମାମଲାର ଶୁଣାଣି ସମୟରେ ଟ୍ୟାଙ୍କର ମାଫିଆ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି।

ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ପ୍ରସନ୍ନ ବି ବରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଳସଙ୍କଟ ପଛରେ ଟ୍ୟାଙ୍କର ମାଫିଆଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠାଇ ସେମାନଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ସେନେଇ ସତ୍ୟପାଠ ଜରିଆରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ପ୍ରସଙ୍ଗରେ ଦିଲ୍ଳୀ ପୁଲିସକୁ ମାମଲା ରୁଜୁ କରିବା ପାଇଁ କହିପାରନ୍ତି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂହଭିଙ୍କୁ ଖଣ୍ଡପୀଠ କହିଛନ୍ତି ଯେ ଟ୍ୟାଙ୍କର ମାଫିଆଙ୍କ ବିରୋଧରେ ତୁମେ କ’ଣ ପଦକ୍ଷେପ ନେଇଛ। ଟିଭି ଚାନେଲ୍‌ଗୁଡ଼ିକରେ ଲୋକଙ୍କ ଦୁର୍ଦ୍ଦଶାର ଦୃଶ୍ୟ ଦେଖନ୍ତୁ। ବାରମ୍ବାର ଘଟୁଥିବା ସମସ୍ୟାର ସମାଧାନ ନିମନ୍ତେ ଦିଲ୍ଲୀ ସରକାର କ’ଣ ପ‌ଦକ୍ଷେପ ନେଇଛି? ପାଣି ଚୋରି ରୋକିବା ପାଇଁ ମାମଲା ରୁଜୁ କରାଯାଇଛି କି? ଏହାସହ ଦିଲ୍ଲୀ ପାନୀୟ ଜଳସଙ୍କଟ ମାମଲାର ଅନ୍ୟ ପକ୍ଷ ହିମାଚଳ ପ୍ରଦେଶ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ପୂର୍ବେ ଦାଖଲ କରିଥିବା ସତ୍ୟପାଠରେ ହିମାଚଳ ପ୍ରଦେଶ ସରକାର କହିଥିଲେ ଯେ ଚୁକ୍ତି ମୁତାବକ ୧୩୭ କ୍ୟୁସେକ୍‌ ଜଳ ଦିଲ୍ଲୀ ବ୍ୟାରେଜ୍‌ ଦେଇ ପ୍ରବାହିତ ହେଉଛି।

ହିମାଚଳପ୍ରଦେଶ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କୁ ଖଣ୍ଡପୀଠ କହିଥିଲେ, ହିମାଚଳପ୍ରଦେଶରୁ ଜଳ ଦିଲ୍ଲୀ ଆସୁଛି ତେବେ ପୂର୍ବେ କାହିଁକି ମିଛ ତଥ୍ୟ ଦାଖଲ କରାଯାଇଥିଲା। ପୂର୍ବେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ବର୍ତ୍ତମାନ ଅଧିକ ଜଳ ଛଡ଼ାଯାଉଛି ବୋଲି ସତ୍ୟପାଠ ଦାଖଲ କରାଯାଇଛି। ଏଭଳି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଧିକାରୀଙ୍କୁ ସିଧାସଳଖ ଜେଲ୍‌ ପଠାଇବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର