ମୋଦୀ ଶାସନକୁ ଆସିବା ପରେପରେ ଅସହିଷ୍ଣୁତା ଅଭିଯୋଗରେ ସାହିତ୍ୟିକ-ଚିତ୍ରକର-ବୁଦ୍ଧିଜୀବୀ ବର୍ଗ ସରକାରୀ ପୁରସ୍କାର ଫେରାଇବା ଧାରା ଆରମ୍ଭ ହୋଇଥିଲା। ସରକାରଙ୍କୁ ବିରୋଧ କରୁଥିବା କିଛି ବୁଦ୍ଧିଜୀବୀଙ୍କ ଗିରଫଦାରୀକୁ ନେଇ ‘ଅଘୋଷିତ ଜରୁରୀ ପରସ୍ଥିତି’ ଭଳି ଅଭିଯୋଗ ମଧ୍ୟ ହେଲା। ବିରୋଧୀଙ୍କୁ ଦମନ କରିବା ପାଇଁ ସିବିଆଇ, ଇଡି, ନିର୍ବାଚନ ଅୟୋଗ ଭଳି କେନ୍ଦ୍ରୀୟ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ଦୁରୁପଯୋଗ ଦୃଷ୍ଟିରୁ ଦେଶରେ ଗଣତନ୍ତ୍ର ବିପଦାପନ୍ନ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ମୋଦୀ ଓ ଇନ୍ଦିରା ଗାନ୍ଧିଙ୍କ ମଧ୍ୟରେ କିଏ ବେଶି ଏକଛତ୍ରବାଦୀ ସେନେଇ ତୁଳନା ମଧ୍ୟ ଚାଲିଛି। ସାମାଜିକ ଗଣମାଧ୍ୟମ ଏ ନେଇ ମୁଖରିତ ହୋଇଉଠିଛି। ନିକଟରେ ପୋଷ୍ଟ ହୋଇଥିବା ଏହି ମୋଦୀ ବିରୋଧୀ ମିମ୍ସଟିକୁ ଦେଖି ପ୍ରତିକ୍ରିୟାରେ ପାଲଟା ପ୍ରଶ୍ନ କରାଯାଇଛି, ଜରୁରୀକାଳୀନ ପରିସ୍ଥିତି ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଏପରି କୁତ୍ସିତ କଥା ଖୋଲା ଆଲୋଚନା କରିବାକୁ କେହି ସାହସ କରୁଥିଲେ କି? ସେତେବେଳେ ସୋସିଆଲ ମିଡିଆ ନ ଥିଲା।

Advertisment

ଏବେ ଯିଏ ଯାହା ବିରୋଧରେ ଯାହା ପାରିଲା ଲେଖିଲା। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏମାନେ ଛାଡ଼ୁନାହାନ୍ତି। ‘ଫେକୁ’ ବୋଲି ଅତ୍ୟନ୍ତ ଆଶାଳୀନ ଶବ୍ଦର ଖୋଲା ବ୍ୟବହାର ହେଉଛି। ତାଙ୍କୁ ମୂର୍ଖ ବୋଲି ମଧ୍ୟ କିଛି ଅଭିହିତ କରୁଛନ୍ତି। ଯୁକ୍ତି କରୁଛନ୍ତି, ସେଗୁଡ଼ିକୁ ବାଦ୍‌ ଦେବା ପାଇଁ ଅପରେଟର୍‌ମାନେ ଉଦ୍ୟମ ନ କରିବା କଥାରୁ ଗୋଟିଏ କଥା ସ୍ପଷ୍ଟ, ଆମ ଦେଶରେ ବାକ୍ ସ୍ବାଧୀନତା ଅକ୍ଷୁଣ୍ଣ। ଏମିତି ମଧ୍ୟ ଯୁକ୍ତି ହେଉଛି, କୀଳାଟି ତ ତା’ବାଟରେ ଯାଉଥିଲା। ତମେ ତ ନିଜେ ଡାକିଆଣିଲ! ମୋଦୀଙ୍କୁ ପାଠୁଆ ଦେଖେଇବା ପାଇଁ ଏତେ ଆତୁର କାହିଁକି? କ’ଣ ଶିକ୍ଷାଗତ ଯୋଗ୍ୟତା ବଳରେ ମୋଦୀ ‘ବିଶ୍ବଗୁରୁ’ ହେବାର ଅଭିଳାଷ ପୋଷଣ କରିଛନ୍ତି? ବିଶ୍ବ ସମୁଦାୟ କ’ଣ ତାଙ୍କୁ ‘ସମଗ୍ର ରାଜନୀତି ବିଜ୍ଞାନ’ରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ବୋଲି ସମ୍ମାନ ବା ଗୁରୁତ୍ବ ଦେଉଛି? ତାଙ୍କ ସାର୍ଟିଫିକେଟ୍‌ ଦୁଇଟିକୁ ଦେଖାଇବାକୁ ସହଯୋଗୀ ଅମିତ ଶାହ ଏତେ ତତ୍ପର ହୋଇଉଠିଲେ କାହିଁକି? ଗୁରୁଙ୍କ ବିରୋଧରେ ଏହା ଶିଷ୍ୟଙ୍କର ଏକ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ନୁହେଁ ତ?

publive-image

ଆଉ ଜଣେ ଛିଗୁଲେଇକି କହିଛନ୍ତି, ଫର୍ଚୁନ୍ ଫେଭର୍ସ ଦ ବ୍ରେଭ୍। ହେଲେ ଏଠି ଓଲଟା ହୋଇଛି। ଜାଲ୍‌ ସାର୍ଟିଫିକେଟ୍ ପ୍ରକରଣ ପ୍ରଘଟ ହେବା ବେଳ, ଆଉ ତାଙ୍କ ସାର୍ଟିଫିକେଟ୍‌ର ବୈଧତାକୁ ନେଇ ପ୍ରଶ୍ନ ଉଠିବା ବେଳ। ଆଉ ଦଳେ କହନ୍ତି, ଗଣତନ୍ତ୍ର ବା ସମ୍ବିଧାନ କେହି ବିପଦାପନ୍ନ ନୁହନ୍ତି; ଏହା ଏକ କଷ୍ଟ ସମୟ ଓ ଖୁବ୍‌ ଶିଘ୍ର ଅତିବାହିତ ହୋଇଯିବ। ମୋଦୀଙ୍କ ଶାସନରେ କାର୍ଯ୍ୟପାଳିକାକୁ ବିଭିନ୍ନ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଯେପରି ଭର୍ତ୍ସନା କରିଆସିଛି, ପୂର୍ବରୁ କେବେ ସେପରି ହୋଇଥିବା ନଜିର ନାହିଁ। କଲେଜିୟମ ବଦଳରେ ସରକାର ଏନ୍‌ଜେଏସି ଆଣିବାକୁ ଚାହିଲେ; ହେଲେ ତାହା ସମ୍ଭବ ହେଲା କି? କେନ୍ଦ୍ର ଆଇନ ମନ୍ତ୍ରୀ, ଏପରିକି ଉପରାଷ୍ଟ୍ରପତି ବାରମ୍ବାର ନ୍ୟାୟପାଳିକାକୁ ଉସୁକାଉଛନ୍ତି, ହେଲେ ନ୍ୟାୟପାଳିକା ଭୟ କରିକି ଚୁପ୍ ବସିଯାଉଛି କି? ଉତ୍ତରରେ କହାଯାଇଛି, ଅନ୍ତତଃ ପକ୍ଷେ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ଅଯଥାରେ କୁଠାରାଘାତ ହେଉଛି, ଯାହା କି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।