ଆଇଆଇଟି-ବମ୍ବେରେ ଦଳିତ ଯୁବକର ନାଁ ଲେଖା ‘ବିଶେଷ କ୍ଷମତା’ ପ୍ରୟୋଗ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜଣେ ଦଳିତ ଯୁବକ ସୁପ୍ରିମ୍‌କୋର୍ଟରେ କରିଥିବା ଆବେଦନ ଅନୁଯାୟୀ ଆଇଆଇଟି, ବମ୍ବେରେ ସିଭିଲ ଇଂଜିନିୟରିଂ ପଢ଼ିବା ପାଇଁ ସେ ମନୋନୀତ ହୋଇଥିଲେ। କିନ୍ତୁ ଅକ୍ଟୋବର ୨୭ରେ ଅନେକ ଚେଷ୍ଟା କଲା ପରେ ବି ତାଙ୍କ କ୍ରେଡିଟ୍ କାର୍ଡ କାମ ନ କରିବାରୁ ସେ ସିଟ୍ ଆକ୍ସେପ୍ଟାନ୍ସ ଫି ଦେଇପାରି ନ ଥିଲେ। ତାଙ୍କୁ ପଢ଼ିବା ଲାଗି ସୁଯୋଗ ଦେବାକୁ ସେ ନିବେଦନ କରିଥିଲେ। ଏହାପରେ ସୁପ୍ରିମ୍‌କୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ତାଙ୍କର ବିଶେଷ କ୍ଷମତା (ଓମ୍ନିବସ୍ ପାୱାର) ପ୍ରୟୋଗ କରି ସୋମବାର ବମ୍ବେ ଆଇଆଇଟିକୁ ୪୮ ଘଣ୍ଟା ଭିତରେ ମାନବିକତା ଦୃଷ୍ଟିକୋଣରୁ ଆହ୍ଲାବାଦର ସମ୍ପୃକ୍ତ ଦଳିତ ଯୁବକକୁ ଏକ ସିଟ୍ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ। ସେତେବେଳକୁ ସବୁ ସିଟ୍ ପୂରଣ ହୋଇଯାଇଥିବାରୁ ଏକ ଅତିରିକ୍ତ ସିଟ୍ ପ୍ରଦାନ କରିବାକୁ କୋର୍ଟ ତାଙ୍କ ବିଶେଷ କ୍ଷମତା ବଳରେ ଆଦେଶ ଦେଇଥିଲେ।

କୋର୍ଟ ଦେଖିଲେ ଯେ, ଯଦି ଦଳିତ କୋଟାରେ ୮୬୪ ରୢାଙ୍କ ରଖିଥିବା ଯୁବକ ପ୍ରିନ୍ସ ଜୟବୀର ସିଂହଙ୍କୁ ଏଥର ଆଡମିସନ ପାଇଁ ସୁଯୋଗ ନ ମିଳେ ସେ ଆଉ ଏଣ୍ଟ୍ରାନ୍ସ ଦେଇପାରିବେ ନାହିଁ କାରଣ ସେ ଆଗରୁ ଦୁଇଥର ପରୀକ୍ଷା ଦେଇ ସାରିଛନ୍ତି ଏବଂ ଏଇଟା ତାଙ୍କର ଶେଷ ସୁଯୋଗ ଥିଲା। ତେଣୁ କୋର୍ଟ ଏଠାରେ ମାନବିକତା ଦୃଷ୍ଟିକୋଣରୁ ଜଣେ ଦଳିତ ଯୁବକକୁ ସାହାଯ୍ୟ କରିବା ପାଇଁ ନିଜର ସାମ୍ବିଧାନିକ ବିଶେଷ କ୍ଷମତାର ପ୍ରୟୋଗ କରିଥିଲେ। କୋର୍ଟ ପ୍ରଥମେ ଯୁବକକୁ ଆଡମିସନର ସୁଯୋଗ ଦେବା ପାଇଁ ବମ୍ବେ ଆଇଆଇଟିକୁ କହିଥିଲେ। କିନ୍ତୁ ଆଇଆଇଟି ଜଣାଇଥିଲା ଯେ ଆଡ଼ମିସନ ପ୍ରକ୍ରିୟା ଶେଷ ହୋଇଯାଇଛି ଏବଂ ଆଉ କୌଣସି ସିଟ୍ ଉପଲବ୍ଧ ନାହିଁ। କୋର୍ଟ ଯଦି ଧାରା ୧୪୨ ଅନୁସାରେ ତାଙ୍କ ବିଶେଷ କ୍ଷମତାର ପ୍ରୟୋଗ କରି ଲିଖିତ ଆଦେଶ ଦିଅନ୍ତି ତେବେ ଆଇଆଇଟି ପକ୍ଷରୁ ଏକ ଅତିରିକ୍ତ ସିଟ୍ ସୃଷ୍ଟି କରାଯାଇ ସମ୍ପୃକ୍ତ ଯୁବକକୁ ଆଡମିସନ ଦିଆଯିବ ବୋଲି ଆଇଆଇଟି ଜଣାଇଥିଲା। ପରେ ଯଦି କେହି ଆଡମିସନ ବାତିଲ କରନ୍ତି, ସେତେବେଳେ ଅତିରିକ୍ତ ସିଟ୍‌ର ଆଉ ଆବଶ୍ୟକତା ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର