ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଅନେକ ମାମଲା ଦୀର୍ଘ ଦିନ ଧରି ପଡ଼ି ରହିବା ସତ୍ତ୍ବେ ଏହାର ତାଲିକାଭୁକ୍ତ କରାଯାଉନି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ସମସ୍ତ ପ୍ରକ୍ରିୟା ଶେଷ ହେବା ସତ୍ତ୍ବେ ଏବଂ ଆବେଦନରେ ଥିବା ତ୍ରୁଟି ମାର୍ଜନ ସତ୍ତ୍ବେ ଅନେକ ମାମଲା ଦୀର୍ଘଦିନ ଧରି ପଡ଼ି ରହୁଛି କାହିଁକି। ସମସ୍ତ ପ୍ରକ୍ରିୟା ସରିବା ସତ୍ତ୍ବେ ମାମଲା ତାଲିକାଭୁକ୍ତ କରିବାରେ ବିଳମ୍ବ କାହିଁକି ହେଉଛି ବୋଲି ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଖଣ୍ଡପୀଠ ଆଜି ପ୍ରଶ୍ନ କରିଛନ୍ତି ଏବଂ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ଏନେଇ ନୋଟିସ୍ କରିଛନ୍ତି।
କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ୨୦୨୧ରେ ସୁପ୍ରିମକୋର୍ଟରେ ଏକ ଏସଏଲ୍ପି (ସ୍ବତନ୍ତ୍ର ଲିଭ୍ ପିଟିସନ୍) ଦାଖଲ ହୋଇଥିଲା। ତେବେ ଆବେଦନ ହେବାର ଦେଢ଼ବର୍ଷ ପରେ ଏହି ମାମଲାର ଆଜି ପ୍ରଥମ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଏବଂ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଉକ୍ତ ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଉକ୍ତ ଆବେଦନର ଶୁଣାଣି ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ସୁଦ୍ଧା ଏହା ତାଲିକାଭୁକ୍ତ କାହିଁକି ହୋଇନଥିଲା। ଖଣ୍ଡପୀଠ କୋର୍ଟର କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଖଣ୍ଡପୀଠ ରେଜିଷ୍ଟ୍ରିକୁ ନୋଟିସ୍ ଜାରି କରି ଉକ୍ତ ପ୍ରସଙ୍ଗରେ ଜବାବ ମାଗିଛନ୍ତି। ଆସନ୍ତା ୨ ଦିନ ମଧ୍ୟରେ ରେଜିଷ୍ଟ୍ରିରେ ପଡ଼ି ରହିଥିବା ବିଭିନ୍ନ ମାମଲାର ତାଲିକାଭୁକ୍ତ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିର କାର୍ଯ୍ୟଶୈଳୀକୁ ଅନେକ ଥର ସମାଲୋଚନା କରାଯାଇଛି। ବିଭିନ୍ନ ପକ୍ଷଙ୍କ ଦ୍ବାରା ରେଜିଷ୍ଟ୍ରି ଅଫିସ ବିରୋଧରେ ଅଭିଯୋଗ ହୋଇଛି। କିଛି ମାମଲାକୁ ପ୍ରାଥମିକତା ଦିଆଯାଉଥିବାବେଳେ ଅନ୍ୟ କିଛି ମାମଲା ଦୀର୍ଘ ଦିନ ଧରି ପଡ଼ି ରହୁଛି। ଏପରିକି ସୁପ୍ରିମକୋର୍ଟ ଖଣ୍ଡପୀଠ ମଧ୍ୟ ପୂର୍ବରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।