ଧର୍ମାନ୍ତର ଆଇନ ଉପରେ ଜବାବ ପାଇଁ ରାଜ୍ୟଗୁଡ଼ିକୁ ୩ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେତେକ ରାଜ୍ୟରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ ରହିଥିବା ବେଳେ ଏହାର ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା। ସୁପ୍ରିମ୍‌କୋର୍ଟ ଏହା ଉପରେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତିନି ସପ୍ତାହ ଭିତରେ ଜବାବ ଦେବା ପାଇଁ ଆଦେଶ ଦେଇଛନ୍ତି।

ହିମାଚଳ ପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯେ କି ଅଦ୍ୟାବଧି ସୁପ୍ରିମ୍‌କୋର୍ଟରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିଛି। ଏକ ସତ୍ୟପାଠରେ ହିମାଚଳ ପ୍ରଦେଶ ସରକାର ଜଣାଇଛନ୍ତି ଯେ ତାଙ୍କ ରାଜ୍ୟରେ ରହିଥିବା ଧର୍ମାନ୍ତରୀକରଣ ବିରୋଧୀ ଆଇନ ଯଥାର୍ଥ। ରାଜ୍ୟରେ ବଳପୂର୍ବକ ଧର୍ମାନ୍ତରୀକରଣକୁ ରୋକିବା ଓ ଶାନ୍ତିପୂର୍ଣ୍ଣ ବାତାବରଣ ସ୍ଥାପନ ଲାଗି ଏହି ଆଇନ ଉଦ୍ଦିଷ୍ଟ। ରାଜ୍ୟରେ କେତେକ ଅଞ୍ଚଳରେ ବେଆଇନ ଧର୍ମାନ୍ତରୀକରଣ ବୃଦ୍ଧି ପାଇଛି। ଏହାଦ୍ବାରା ସାମ୍ପ୍ରଦାୟିକ ଓ ଧାର୍ମିକ ସଦ୍‌ଭାବ ନଷ୍ଟ ହେଉଛି। ତାହାକୁ ବନ୍ଦ କରିବା ପାଇଁ ଏପରି ଆଇନ ଅତ୍ୟନ୍ତ ଉପଯୋଗୀ।

କୌତୂହଳଜନକ କଥା ହେଲା ରାଜ୍ୟ ଦ୍ବିତୀୟ ଥର ପାଇଁ ‘ହିମାଚଳପ୍ରଦେଶ ଧାର୍ମିକ ସ୍ବାଧୀନତା ଆଇନ’ କାର୍ଯ୍ୟକାରୀ କରିଛି। ୨୦୧୯ରେ ଏହି ଆଇନ ପାସ୍ ହୋଇଥିଲା, ଯାହାକୁ ସିଟିଜେନ୍ ଫର୍ ଜଷ୍ଟିସ୍ ଆଣ୍ଡ୍ ପିସ୍ (ସିଜେପି) ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ମଧ୍ୟ ଅନୁରୂପ ଆଇନ ରହିଛି, ଯାହାକୁ ଚ୍ୟାଲେଞ୍ଜ କରାଯାଇଛି।
ପୂର୍ବରୁ ୨୦୦୬ରେ ହିମାଚଳପ୍ରଦେଶ ସରକାର ଅନୁରୂପ ଆଇନ ପ୍ରଣୟନ କରିଥିଲେ, ଯାହାକୁ ରାଜ୍ୟ ହାଇକୋର୍ଟ ପକ୍ଷରୁ ୨୦୧୧ରେ ରଦ୍ଦ କରିଦିଆଯାଇଥିଲା। ନୂଆ ଆଇନ ଅନୁସାରେ ମିଛକଥା କହି, ଜାଲିଆତି କରି, ବଳପୂର୍ବକ, ପ୍ରଲୋଭନ ଦ୍ବାରା, ଅନୁଚିତ ପ୍ରଭାବ ପକାଇ ବା ବିବାହ ଆଳ ଦେଖାଇ କାହାରିକୁ ଧର୍ମାନ୍ତରିତ କରାଯାଇ ପାରିବ ନାହିଁ। ଯିଏ ଅନ୍ୟ ଧର୍ମ ଗ୍ରହଣ କରିବାକୁ ଚାହେ, ତାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଆଗରେ ମାସକ ପୂର୍ବରୁ ଏକ ଘୋଷଣାନାମା ଦେବାକୁ ହେବ। ସେ କାହାରି ବାଧ୍ୟବାଧକତାରେ ନୁହେଁ ବରଂ ନିଜ ଇଚ୍ଛାରେ ଧର୍ମାନ୍ତର ଗ୍ରହଣ କରିବାକୁ ଚାହୁଛନ୍ତି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଲିଖିତ ଭାବେ ଜଣାଇ ଅନୁମତି ନେବାକୁ ହେବ। ଧର୍ମାନ୍ତର କରାଉଥିବା ପାଦ୍ରି ବା ମୌଲବୀଙ୍କୁ ମଧ୍ୟ ମାଜିଷ୍ଟ୍ରଟ୍‌ଙ୍କ ଆଗରେ ଅନୁରୂପ ସତ୍ୟପାଠ ଦାଖଲ କରିବାକୁ ହେବ।

ହିମାଚଳପ୍ରଦେଶ ସରକାର ସତ୍ୟପାଠ‌ରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ବେଆଇନ ଧର୍ମାନ୍ତରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକା ନ ଗଲେ ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମ ଓ ସମ୍ପ୍ରଦାୟ ଭିତରେ ପାରସ୍ପରିକ ବିଶ୍ବାସ ଓ ସଦ୍‌ଭାବ ରହିବ ନାହିଁ।

ସମ୍ବନ୍ଧିତ ଖବର