ନୂଆଦିଲ୍ଲୀ: ଗିରଫଦାରି ଏବଂ ଜାମିନ ପ୍ରଦାନ ଉପରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଓ ଅଧସ୍ତନ କୋର୍ଟଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ଅବସରରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଗିରଫଦାରି ଏକ କଠୋର ପଦକ୍ଷେପ ଯାହା ଜଣକର ସ୍ବାଧୀନତାକୁ ନଷ୍ଟ କରିଥାଏ। ତେଣୁ ଏହା ଯେତେ କମ୍ କରାଯାଏ ସେତେ ଭଲ।
ଜଷ୍ଟିସ୍ ଏସ୍‌କେ କୌଲ ଓ ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଲେ ଯେ ଏକ ଗଣତାନ୍ତ୍ରିକ ଦେଶ ଏବଂ ଏକଛତ୍ରବାଦୀ ରାଜତନ୍ତ୍ର ବା ପୁଲିସ-ଶାସିତ ଦେଶ ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଏକ ଗଣତାନ୍ତ୍ରିକ ଦେଶରେ ପୁଲିସ ଶାସିତ ଦେଶ ପରି ଅନୁଭବ ଆସିବା ଉଚିତ ନୁହେଁ। ଜାମିନ ପ୍ରଦାନକୁ ସହଜ କରାଇବା ପାଇଁ ସରକାର ଏ ନେଇ ଏକ ସ୍ବତନ୍ତ୍ର ଆଇନ ଆଣିବା ଲାଗି ମଧ୍ୟ କୋର୍ଟ ପରାମର୍ଶ ଦେଇଥିଲେ।

Advertisment

କୋର୍ଟ କହିଲେ ଯେ, ଭାରତୀୟ ଜେଲଗୁଡ଼ିକ ବିଚାରାଧୀନ କଏଦୀରେ ପରିପୂର୍ଣ୍ଣ। ପ୍ରାୟ ଦୁଇ ତୃତୀୟାଂଶ ଜେଲ ଅନ୍ତେବାସୀ ହେଉଛନ୍ତି ବିଚାରାଧୀନ ବନ୍ଦୀ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହୁଏତ ମୂଳରୁ ଗିରଫ କରିବା ଅନାବଶ୍ୟକ ଥିଲା ଯଦିଚ ସେମାନଙ୍କ ନାମରେ ଜାଣି ହେଉଥିବା ଅପରାଧର ଅଭିଯୋଗ ଅଛି। ସେହି ଅପରାଧ ପ୍ରମାଣିତ ହେଲେ ସେମାନଙ୍କୁ ୭ ବର୍ଷ ବା କମ୍ ଦିନର ଜେଲ ଦଣ୍ଡ ହୋଇପାରେ। ଏହି ବନ୍ଦୀମାନଙ୍କ ମଧ୍ୟରେ ଅଧିକାଂଶ ଗରିବ, ନିରକ୍ଷର ଏବଂ ମହିଳା ଅଛନ୍ତି। ଯେଉଁ ପୁଲିସ ଅଫିସରମାନେ ଧାରା ୪୧ ଓ ୪୧ (କ)ର ପାଳନ ନ କରି ଏମାନଙ୍କୁ ଗିରଫ କରିଛନ୍ତି କୋର୍ଟଗୁଡ଼ିକ ସେମାନଙ୍କୁ ତିରସ୍କାର କରିବା ଉଚିତ। କୋର୍ଟ ପୁଣି କହିଲେ ଯେ, ତଦନ୍ତକାରୀ ଅଧିକାରୀମାନେ ଅର୍ଣ୍ଣେଶ କୁମାର ମାମଲାରେ ଗୃହୀତ ନିୟମର ଅନୁସରଣ କରିବା ଉଚିତ। ଗିରଫ କରିବାଟା ବାଧ୍ୟତାମୂଳକ ନୁହେଁ, ତେଣୁ କୌଣସି ଅଭିଯୁକ୍ତ ନିରୀହ ବୋଲି ମନେହେଲେ ତାକୁ ଗିରଫ କରିବା ପୂର୍ବରୁ ନିଜ ବିବେକକୁ ପଚାରିବା ଉଚିତ। କୋର୍ଟ ପୁଣି କହିଲେ ଯେ ସମାନ ଅପରାଧ କରିଥିବା ଏକାଧିକ ବ୍ୟକ୍ତିଙ୍କ ପ୍ରତି ଅଲଗା ଅଲଗା ପ୍ରକାର ବ୍ୟବହାର କରାଯିବା ଉଚିତ ନୁହେଁ।

ଦିନକରେ ସୁପ୍ରିମ୍‌କୋର୍ଟଙ୍କ ୪୪ ରାୟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିନକରେ ୪୪ ରାୟ ଶୁଣାଇଛନ୍ତି। ମେ’ ୨୩ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ଥିଲା। ଜୁଲାଇ ୧୧ରେ କୋର୍ଟ ଖୋଲିବା ସହ ବିଚାରପତିମାନେ ଗୋଟିଏ ଦିନରେ ୪୪ଟି ମାମଲାରେ ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏମଆର ଶାହ କେବଳ ୨୦ଟି ମାମଲାରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିମାନେ ସବୁବେଳେ କହି ଆସିଛନ୍ତି ଯେ ଅବକାଶ ଗବେଷଣା ଏବଂ ରାୟ ଲେଖିବାପାଇଁ ସମୟ ଦେଇଥାଏ। ଭାରତର ପୂର୍ବତନ ପ୍ରଧାନ ବିଚାରପତି କେଜି ବାଲକ୍ରୀଷ୍ଣନ୍‌ କହିଛନ୍ତି, ଅବକାଶ ଆମକୁ ରାୟ ପ୍ରସ୍ତୁତ ପାଇଁ ପର୍ଯ୍ୟାପ୍ତ ‌ସମୟ ଦେଇଥାଏ। ଅନ୍ୟ ସମୟରେ ଆମେ ଯେଉଁ ବିଷୟରେ ଗବେଷଣା ପାଇଁ ସମୟ ପାଇନଥାଉ ଅବକାଶ ସମୟରେ ଆମେ ଏଥିପାଇଁ ସମୟ ପାଇଥାଉ ବୋଲି ସେ କହିଛନ୍ତି।