ଅପରାଧିକ ମାମଲାର ତ୍ବରିତ ବିଚାର, ଓଡ଼ିଶା ସମେତ ୬ ହାଇକୋର୍ଟକୁ ପ୍ରସ୍ତାବ ମାଗିଲେ ସୁପ୍ରିମ‌୍ କୋର୍ଟ

ନୂଆଦିଲ୍ଲୀ: ଦୀର୍ଘବର୍ଷ ଧରି ପଡ଼ି ରହିଥିବା ଅପରାଧିକ ମାମଲା ଗୁଡ଼ିକ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ୩୦ ବର୍ଷରୁ ଅଧିକ କାଳ ଧରି ପଡ଼ି ରହିଥିବା ଅପରାଧିକ ମାମଲା ଗୁଡ଼ିକର ତ୍ବରିତ ବିଚାର ପାଇଁ କ’ଣ ଯୋଜନା କରାଯାଇ ପାରିବ ସେ ସମ୍ପର୍କରେ ସୁପ୍ରିମ କୋର୍ଟ ‌ଓଡ଼ିଶା ସମେତ ଦେଶର ୬ଟି ହାଇକୋର୍ଟଠାରୁ ଯୋଜନା ମାଗିଛନ୍ତି। ଅନ୍ୟ ହାଇକୋର୍ଟ ଗୁଡ଼ିକ ହେଲେ ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପାଟନା ଓ ବମ୍ବେ। ସୁପ୍ରିମ କୋର୍ଟର ବିଚାରପତି ଏଲ୍‌. ନାଗେଶ୍ବର ରାଓ ଓ ବିଚାରପତି ଏସ. ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦେଶର ୧୦ଟି ହାଇକୋର୍ଟରେ ୩୦ ବର୍ଷରୁ ଅଧିକ କାଳ ଧରି ପଡ଼ି ରହିଥିବା ୧୪,୪୮୪ଟି ଅପରାଧିକ ଆବେଦନଗୁଡ଼ିକ ବିଚାରାଧୀନ ଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦୋଷୀମାନଙ୍କ ହିତ ଦୃଷ୍ଟିରୁ ଆବେଦନଗୁଡ଼ିକୁ ଶୀଘ୍ର ବିଚାର କରାଯାଇ ସମାଧାନ କରାଯିବାର ଆବଶ୍ୟକତା ରହିଛି। ଯଦି ଏହି ଆବେଦନଗୁଡ଼ିକ ଠିକ୍ ସମୟରେ ଶୁଣାଣି କରାଯିବ ନାହିଁ ତାହେଲେ ସେମାନଙ୍କର ଆବେଦନ କରିବାର ଅଧିକାର ‘ମିଥ୍‌’ ହୋଇ ରହିଯିବ।

ଖୁର୍ସିଦ ଅହମଦ୍ ବନାମ ଉତ୍ତର ପ୍ରଦେଶ ସରକାରଙ୍କ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ୬ଟି ରାଜ୍ୟର ହାଇକୋର୍ଟକୁ ସତ୍ୟପାଠ ଦାଖଲ କରି ଏ ସମ୍ପର୍କିତ ଯୋଜନା ବିଷୟରେ ଅବଗତ କରାଇବା ପାଇଁ କହିଛନ୍ତି। ସୁପ୍ରିମ କୋର୍ଟରେ ହାଇକୋର୍ଟଗୁଡ଼ିକରୁ ହାସଲ ହୋଇଥିବା ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶର ଆହ୍ଲାବାଦ ହାଇକୋର୍ଟରେ ୩୦ ବର୍ଷରୁ ୧୪,୨୦୭ ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ଓଡ଼ିଶା ହାଇକୋର୍ଟରେ ୧୦ରୁ ୨୦ ବର୍ଷ ଭିତରେ ୮୪୭୪ ଅପରାଧିକ ମାମଲା, ୨୦ରୁ ୩୦ ବର୍ଷ ଭିତରେ ୮୩୨ଟି ଅପରାଧିକ ମାମଲା ଓ ୩୦ ବର୍ଷରୁ ଅଧିକ ୮ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ସମ୍ବନ୍ଧିତ ଖବର