ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସରକାର-ନ୍ୟାୟପାଳିକା ବିବାଦ ଭିତରେ ଆଇନମନ୍ତ୍ରୀ କିରେନ ରିଜିଜୁ ରବିବାର ଜଣେ ପୂର୍ବତନ ବିଚାରପତିଙ୍କ ମତକୁ ସମର୍ଥନ କରିଛନ୍ତି। ସେ ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆର୍ଏସ୍ ସୋଧି। ନିଜେ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇ ସୁପ୍ରିମ୍କୋର୍ଟ ସମ୍ବିଧାନକୁ ‘ହାଇଜାକ’ କରିଛନ୍ତି ବୋଲି ଜଷ୍ଟିସ୍ ସୋଧି ଏକ ସାକ୍ଷାତ୍କାରରେ କହିଥିଲେ।
ଜଷ୍ଟିସ୍ ସୋଧିଙ୍କର ଉକ୍ତ ସାକ୍ଷାତ୍କାରର ଭିଡ଼ିଓକୁ ରିଜିଜୁ ଟ୍ବିଟରରେ ସେୟାର କରି ଶୀର୍ଷକରେ ଲେଖିଛନ୍ତି ‘ଭଏସ୍ ଅଫ୍ ଏ ଜଜ୍’ (ଜଣେ ବିଚାରପତିଙ୍କ ମତ)। ଏଥି ସହ ରିଜିଜୁ କହିଛନ୍ତି ଯେ କେବଳ ଜଷ୍ଟିସ୍ ସୋଧି ନୁହନ୍ତି, ସଂଖ୍ୟାଗରିଷ୍ଠ ଭାରତୀୟଙ୍କ ମତ ସମାନ। କେବଳ ଯେଉଁମାନେ ସମ୍ବିଧାନର ବିଧିବ୍ୟବସ୍ଥା ଏବଂ ଜନାଦେଶକୁ ଅସମ୍ମାନ କରନ୍ତି ସେମାନେ ଭାବନ୍ତି ଯେ ସେମାନେ ସମ୍ବିଧାନ ଉପରେ। ଆଇନ ମନ୍ତ୍ରୀ କହିଛନ୍ତି- ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ହେଉଛି ଏହାର ସଫଳତା। ଲୋକମାନେ ସେମାନଙ୍କ ପ୍ରତିନିଧିଙ୍କ ଦ୍ବାରା ନିଜକୁ ଶାସନ କରନ୍ତି। ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସ୍ବାର୍ଥର ପ୍ରତିନିଧିତ୍ବ କରନ୍ତି ଏବଂ ଆଇନ ତିଆରି କରନ୍ତି ବୋଲି ମନ୍ତ୍ରୀ ଟ୍ବିଟ୍ କରିଛନ୍ତି। ଉକ୍ତ ସାକ୍ଷାତ୍କାରରେ ଜଷ୍ଟିସ୍ ସୋଧି ମଧ୍ୟ କହିଥିଲେ ଯେ, ସର୍ବୋଚ୍ଚ ଅଦାଲତ ଆଇନ ତିଆରି କରିପାରିବେ ନାହିଁ କାରଣ ସମ୍ବିଧାନ ସେମାନଙ୍କୁ ସେ ଅଧିକାର ଦେଇନାହିଁ। ଆଇନ ତିଆରି କରିବାର ଅଧିକାର କେବଳ ପାର୍ଲାମେଣ୍ଟର ଅଛି।
ଜଷ୍ଟିସ୍ ସୋଧି କହିଥିଲେ- ...ଆପଣ ସମ୍ବିଧାନ ସଂଶୋଧନ କରିପାରିବେ କି? କେବଳ ପାର୍ଲାମେଣ୍ଟ ସମ୍ବିଧାନ ସଂଶୋଧନ କରିପାରିବେ। କିନ୍ତୁ ଏଠାରେ ମୁଁ ଅନୁଭବ କରୁଛି, ପ୍ରଥମ ଥର ପାଇଁ ସୁପ୍ରିମ୍କୋର୍ଟ ସମ୍ବିଧାନକୁ ‘ହାଇଜାକ୍’ କରିନେଇଛନ୍ତି। ହାଇଜାକ୍ କରିବା ପରେ ସେମାନେ (ସୁପ୍ରିମ୍କୋର୍ଟ) କହିଲେ ଯେ, ଆମେ (ବିଚାରପତିମାନେ) ନିଜକୁ ନିଜେ ନିଯୁକ୍ତି ଦେବୁ ଏବଂ ସରକାରଙ୍କର ଏଥିରେ କିଛି ଭୂମିକା ରହିବ ନାହିଁ। ବିଚାରପତିଙ୍କ ନିଯୁକ୍ତି ନିମନ୍ତେ କୌଣସି ପ୍ରକାର କଲେଜିୟମ୍ ବ୍ୟବସ୍ଥା ବିଷୟରେ ସମ୍ବିଧାନରେ ଉଲ୍ଲେଖ ନାହିଁ ଏବଂ ଏହା ସୁପ୍ରିମ୍କୋର୍ଟ ଦ୍ବାରା ସୃଷ୍ଟ ବୋଲି ଜଷ୍ଟିସ୍ ସୋଧି କହିଥିଲେ।