ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଘରୋଇ ହିଂସା ସୁରକ୍ଷା ଆଇନ ୨୦୦୫ ଅନୁସାରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ଓ ଆଶ୍ରୟସ୍ଥଳର ବ୍ୟବସ୍ଥା କରିବା ପାଇଁ ଯେଉଁ ନିୟମ ରହିଛି ସେ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି ତା’ର ଉତ୍ତର ଦେବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ‘ୱି ଦ ୱିମେନ ଅଫ୍ ଇଣ୍ଡିଆ’ ସଂସ୍ଥା ପକ୍ଷରୁ ଦାଏର କରାଯାଇଥିବା ପିଟିସନ ଅନୁସାରେ ୨୦୦୫ରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଉକ୍ତ ମହିଳା ହିଂସା ନିରୋଧୀ ଆଇନରେ ଅନେକ ବ୍ୟବସ୍ଥା ରହିଛି। କିନ୍ତୁ ଅନେକ ରାଜ୍ୟରେ ତାହା ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହେଉନାହିଁ। ଆଇନଜୀବୀ ଶୋଭା ଗୁପ୍ତାଙ୍କ ଦ୍ବାରା ଦଏର ପିଟିସନରେ କୁହାଯାଇଛି, ଘରୋଇ ହିଂସାର ଶିକାର ହେଉଥିବା ମହିଳାମାନେ କାହା ଆଗରେ ଅଭିଯୋଗ କରିବେ, ସୁରକ୍ଷା ବା ପରାମର୍ଶ ପାଇଁ କାହା ପାଖକୁ ଯିବେ, ତାହା ଜାଣିପାରୁ ନାହାନ୍ତି। କାରଣ ଜନସାଧାରଣଙ୍କ ପାଖରେ ଏ ଆଇନ ବାବଦରେ ସୂଚନା ପହଞ୍ଚିପାରୁ ନାହିଁ।
ଜଷ୍ଟିସ୍ ୟୁୟୁ ଲଳିତ ଏବଂ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ତିନୋଟି ବିଭାଗ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଉତ୍ତର ଦେବାକୁ ଆଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସେମାନେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୋଟିସ୍ ଦେଇ ନାହାନ୍ତି କାରଣ ପ୍ରଥମେ ସେମାନେ କେନ୍ଦ୍ରରୁ ସ୍ପଷ୍ଟ ଚିତ୍ର ଜାଣିବାକୁ ଚହାନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/violance.jpg)