ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମ୍କୋର୍ଟ ବୁଧବାର ପୁଣି ଥରେ କେନ୍ଦ୍ର ସରକାର ଓ ରାଜ୍ୟ ଅମଲାତନ୍ତ୍ର ଉପରେ ବର୍ଷିଛନ୍ତି। ନଡ଼ାପୋଡ଼ିର ସ୍ଥାୟୀ ସମାଧାନ ପାଇଁ ସେମାନେ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ମାଗଣାରେ ନଡ଼ା ଅପସାରଣ ମେସିନ ଯୋଗାଇ ନଡ଼ାପୋଡ଼ିର ସ୍ଥାୟୀ ପ୍ରତିକାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆଦେଶ ଦେବା ନିମନ୍ତେ ଆଗତ ପିଟିସନର ଶୁଣାଣି କରି ସୁପ୍ରିମ୍କୋର୍ଟ କହିଲେ ଯେ, ଆମେ ସମସ୍ୟା ଉପରେ ସାଧାରଣ ଜ୍ଞାନରୁ ଆଲୋଚନା କରୁଛୁ। କିନ୍ତୁ କେନ୍ଦ୍ର ସରକାର ଓ ରାଜ୍ୟ ଅମଲାତନ୍ତ୍ର ଏ ବାବଦରେ କରୁଛନ୍ତି କ’ଣ? କାହିଁକି ସେମାନେ କ୍ଷେତ୍ର ଉପରକୁ ଯାଇ ଚାଷୀମାନଙ୍କ ସହ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ଲାଗି ବାଟ ବାହାର କରୁନାହାନ୍ତି?
ସୁପ୍ରିମ୍କୋର୍ଟ କହିଲେ ଯେ, କେନ୍ଦ୍ର ସରକାର ଗତ ପାଞ୍ଚବର୍ଷର ତଥ୍ୟ ନେଇ ଏକ ବୈଜ୍ଞାନିକ ମଡେଲ ପ୍ରସ୍ତୁତ କରନ୍ତୁ। କେଉଁ ଋତୁରେ ପ୍ରଦୂଷଣ ମାତ୍ରା କେତେ ଥାଏ ତାହା ସ୍ଥିର କରନ୍ତୁ ଏବଂ ଯେଉଁ ଋତୁରେ ମାତ୍ରାଧିକ ପ୍ରଦୂଷଣ ହେବାର ସମ୍ଭାବନା ଅଛି, ତା’ର ଯଥେଷ୍ଟ ପୂର୍ବରୁ ନିରାକରଣ ନିମନ୍ତେ ପଦକ୍ଷେପ ନିଅନ୍ତୁ। ସରକାର ବର୍ତ୍ତମାନ ଦୁଇ ତିନି ଦିନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନେଇଥିବା ପଦକ୍ଷେପ ଓ କଟକଣା ଜାରି ରଖନ୍ତୁ। ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୧୦୦କୁ ଖସିବା ପରେ କଟକଣା କୋହଳ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Supreme-court-2.jpg)