ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ପାଇଁ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମ କୋର୍ଟ, ସଂସଦ ଭବନ ଶିଳାନ୍ୟାସକୁ ଅନୁମତି, ନିର୍ମାଣକୁ ନା

ନୂଆଦିଲ୍ଲୀ: ‌୨୦ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଗ୍ରଗତି ପାଇଁ କେନ୍ଦ୍ର ସରକାର ତତ୍ପରତା ଦେଖାଇଥିବାରୁ ସୁପ୍ରିମ କୋର୍ଟ ଆଜି ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲା ଉପରେ କୌଣସି ରାୟ ଆସି ନଥିବାରୁ ସରକାରଙ୍କ ଏଭଳି ପଦକ୍ଷେପକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିଛନ୍ତି। ଏଥିସହିତ ପ୍ରକଳ୍ପ ପାଇଁ କୌଣସି ପ୍ରକାର ନିର୍ମାଣ କିମ୍ବା ଭଙ୍ଗାରୁଜା କିମ୍ବା ଗଛ କାଟିବା କାର୍ଯ୍ୟ ହୋଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ସର୍ତ୍ତ ମାନିବେ ବୋଲି କେନ୍ଦ୍ର ସରକାର କହିବା ପରେ ଅଦାଲତ କେବଳ ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ହେବାକୁ ଥିବା ନୂଆ ସଂସଦ ଭବନର ଶିଳାନ୍ୟାସକୁ ଅନୁମତି ଦିଆଯାଇଛି। କୌଣସି ପରିସ୍ଥିତିରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ ବୋଲି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ଆସନ୍ତା ଗୁରୁବାର ହେବ ବୋଲି ଗତ ଶନିବାର ସରକାର ଘୋଷଣା କରିସାରିଛନ୍ତି। ଏହି ଭବନ ନିର୍ମାଣ ପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶ ହେବ। ତେବେ ସୁପ୍ରିମ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ସରକାର ମଧ୍ୟ ଏହାର ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନି‌ଷ୍ପତ୍ତି ନେଇଛନ୍ତି। ସୁପ୍ରିମ କୋର୍ଟ କହିଥିଲେ, ନିର୍ମାଣ ଉପରେ କୌଣସି ରହିତାଦେଶ ନାହିଁ ମାନେ ତୁମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବ।

କୌଣସି ପ୍ରକାର ନିର୍ମାଣ କିମ୍ବା ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ ଉପରେ ପ୍ରତିକ୍ରିୟା ରଖିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ୫ ମିନିଟ ମଧ୍ରରେ ଜଣାଇବାକୁ ସୁପ୍ରିମ କୋର୍ଟ କହିଥିଲେ। ସରକାରଙ୍କ ସହିତ ବିଚାରବିମର୍ଶ ପରେ ଶ୍ରୀ ମେହେଟ୍ଟା କହିଥିଲେ ନୂଆ ସଂସଦ ଭବନ ପାଇଁ କୌଣସି ପ୍ରକାର ନିର୍ମାଣ, ଭଙ୍ଗାରୁଜା କିମ୍ବା ଗଛକଟା ହେବନାହିଁ; କେବଳ ଭିତ୍ତିପ୍ରସ୍ତର ସ୍ଥାପନ ‌ହେବ। ଉଲ୍ଲେଖଯୋଗ୍ୟ ପରିବେଶ ଦୃଷ୍ଟିକୋଣରୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ବିରୋଧରେ ଏକାଧିକ ଆବେଦନ ଅଦାଲତରେ କରାଯାଇଛି। ସୁପ୍ରିମ୍‌ କୋର୍ଟ ଏସବୁ ମାମଲା ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ମଧ୍ୟସ୍ଥ ୩ କିମି ଦୂରତା ବିଶିଷ୍ଟ ଅଞ୍ଚଳରେ ରାଜପଥର ଦୁଇ ପଟେ ଥିବା ସରକାରୀ କୋଠାଗୁଡ଼ିକର ପୁନଃନିର୍ମାଣ ଯୋଜନା ରହିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୨ ଅଗଷ୍ଟ ସୁଦ୍ଧା ସଂପୂର୍ଣ୍ଣ କରିବା ଯୋଜନା ରହିଛି। ନୂଆ ସଂସଦ ଭବନରେ ୯୦୦ରୁ ୧୨୦୦ ଏମ୍‌ପିଙ୍କ ପାଇଁ ବସିବା ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର