ମହରମ୍‌ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁସଲିମ୍‌ ସମ୍ପ୍ରଦାୟର ପବିତ୍ର ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରାଙ୍କୁ ଯେଭଳି ଅନୁମତି ଦିଆଗଲା ଆମକୁ ସେଭଳି ଅନୁମତି ଦେବା ପାଇଁ ଆବେଦନକାରୀଙ୍କ  ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆବେଦନକାରୀଙ୍କ ମତକୁ ସୁପ୍ରିମ କୋର୍ଟ ଗ୍ରହଣ କରି ନଥିଲେ। ଖଣ୍ଡପୀଠ କହିଥିଲେ ପୁରୀରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ସବୁ ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା। ମହରମକୁ ଅନୁମତି ଦିଆଗଲେ ଏହା ଦ୍ବାରା ସାରା ଦେଶରେ ଅରାଜକତା ଦେଖାଦେବ ଏବଂ କୋଭିଡ୍‌-୧୮ ସଂକ୍ରମଣ ପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଲୋକେ ଦାୟୀ କରିବେ ବୋଲି ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି।

ଏଥି ସହିତ ଲକ୍ଷ୍ନୌରେ ସୀମିତ ଶୋଭାଯାତ୍ରା ପାଇଁ  ଆବେଦନକାରୀ ତଥା ସିଆ ସମ୍ପ୍ରଦାୟ ନେତା ସୟଦ କଲବେ ଜଵାଦଙ୍କୁ ଆଲାହାବାଦ ହାଇକୋର୍ଟରେ ଆବେଦନ କରିବା ପାଇଁ ଖଣ୍ଡପୀଠ ପରାମର୍ଶ କରିଛନ୍ତି। ସିଆ ମୁସଲିମ୍‌ ସମ୍ପ୍ରଦାୟମାନଙ୍କ ଦ୍ବାରା ପାଳନ କରାଯାଉଥିବା ଏହି ମହରମ୍‌ ଉତ୍ସବ ଚଳିତବର୍ଷ ଆସନ୍ତା ୨୯ ତାରିଖରେ ପଡ଼ୁଛି। ଉକ୍ତ ଦିନ ତାଜିଆ ଶୋଭାଯାତ୍ରା କରିବା ଉଦ୍ଦେଶ୍ୟରେ ସାର୍ବଜନୀନ ଅନୁମତି ପାଇଁ ଆବେଦନକାରୀ ସୟଦ କଲବେ ଜଵାଦ ସୁପ୍ରିମକୋର୍ଟଙ୍କ ଶରଣ ପଶିଥିଲେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରି ଖଣ୍ଡପୀଠ ଶୋଭାଯାତ୍ରା ପାଇଁ ମନା କରିଦେବା ସହ ସମ୍ପ୍ରତି କୋଭିଡ୍‌-୧୯ର ଭୟାବହତା ଭିତରେ ଅଦାଲତ କେବେ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳିପାରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର