ଅନାଥ ଶିଶୁଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ଅନେକ ଲୋକଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇଛି। ମହାମାରୀ ସମୟରେ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି କିମ୍ବା ବାପାମା’ଙ୍କ ମଧ୍ୟରୁ ଜଣକୁ କାହାରିକୁ ହରାଇଛନ୍ତି ସେମାନଙ୍କ ଜୀବନ ବିପଦରେ ରହିବା ନିଶ୍ଚିତଭାବେ ହୃଦୟ ବିଦାରକ ବୋଲି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ଏହି ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ସୁପ୍ରିମ କୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି। ଶିଶୁମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଘୋଷଣା କରିଥିବା ସହାୟତାରେ ସୁପ୍ରିମ କୋର୍ଟ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବାକୁ କହିଛନ୍ତି।

ନିରୁତ୍ସାହିତ ପିଲାଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ କର୍ତ୍ତୃପକ୍ଷ ସବୁ ପ୍ରକାର ପଦକ୍ଷେପ ନେବାରେ କୌଣସି ଉଦ୍ୟମକୁ ହାତଛଡ଼ା କରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ଆଶାବ୍ୟକ୍ତ କରିଛନ୍ତି। ସୁପ୍ରିମ କୋର୍ଟ ବିଚାରପତି ଏଲ୍‌ ନାଗେଶ୍ବର ରାଓ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜଆଡ଼ୁ ଶିଶୁ ସୁରକ୍ଷା ଗୃହରେ କରୋନା ସଂକ୍ରମଣ ସଂପର୍କିତ ମାମଲାକୁ ନିଜଆଡ଼ୁ ସଂଜ୍ଞାନକୁ ନେଇ ବିଚାର କରୁଥିଲେ। କରୋନା ମହାମାରୀ ସମୟରେ ୧ ଲକ୍ଷରୁ ଅଧିକ ଶିଶୁ ଅନାଥ ହୋଇଛନ୍ତି କିମ୍ବା ପିତାମାତାଙ୍କ ମଧ୍ୟରୁ ଜଣକୁ କାହାକୁ ହରାଇଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଅସହାୟ ଶିଶୁଙ୍କ ନିକଟରେ ଯେଭଳି ସରକାରୀ ଯୋଜନାର ଲାଭ ତୁରନ୍ତ ପହଞ୍ଚିବ ତାହାକୁ ଧ୍ୟାନ ଦିଆଯିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ଅଦାଲତକୁ ଜଣାଇଥିଲେ ଯେ ପିଏମ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମ୍‌ରେ ଶିଶୁଙ୍କୁ ତତ୍କାଳ ସହାୟତା ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର