ନୂଆଦିଲ୍ଲୀ: ଅନୁସୂଚିତ ଜାତି ଭିତରେ ବିଶେଷ ସଂରକ୍ଷଣ ସୁବିଧା ହାସଲ କରିପାରିନଥିବା କିଛି ଉପଜାତିଙ୍କୁ ସ୍ବତନ୍ତ୍ର ସୁବିଧା ଦେବା ବିରୋଧରେ ୨୦୦୪ରେ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟ ସହିତ ସୁପ୍ରିମକୋର୍ଟ ଗୁରୁବାର ସହମତ ହୋଇନାହାନ୍ତି। ଅନୁସୂଚିତଙ୍କ ମଧ୍ୟରେ ରହିଥିବା ସ୍ବଚ୍ଛଳବର୍ଗ(କ୍ରିମି ଲେୟର)ଙ୍କ କଥା ବିତର୍କ ପରିସରକୁ ନେବା ସହ ସଂରକ୍ଷଣ ଦ୍ବାରା ଆଦୌ ଉପକୃତ ହୋଇପାରିନଥିବା ଅନ୍ୟ ଉପଜାତିମାନଙ୍କୁ ବିଶେଷ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇବା ଲାଗି ରାଜ୍ୟ ସରକାରମାନଙ୍କୁ ଅଧିକାର ଦେବା ଉପରେ ଅଦାଲତ ବିଚାର କରୁଛନ୍ତି। ଅର୍ଥାତ୍ ଅନୁସୂଚିତଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ବର୍ଗର ଉପଜାତିଙ୍କ ପାଇଁ ମଧ୍ୟ ସଂରକ୍ଷଣ ରଖିବା ସପକ୍ଷରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ୫ ଜଣିଆ ଖଣ୍ଡପୀଠ ମତ ଦେଇଛନ୍ତି।
ଏ ପରିପ୍ରେକ୍ଷୀରେ ୨୦୦୪ ମସିହାରେ ଆନ୍ଧ୍ରପ୍ରଦେଶ ଅନୁସୂଚିତ ସଂରକ୍ଷଣ ଆଇନ-୨୦୦୦କୁ ଚ୍ୟାଲେଞ୍ଜ କରିଥିବା ଇ ଭି ଚିନୈୟା ମାମଲାକୁ ଖାରଜ କରି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ସେତେବେଳେ ଦେଇଥିବା ରାୟର ପୁନର୍ବିଚାରର ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ଏକ ବୃହତ୍ତର ୭ ଜଣିଆ ଖଣ୍ଡପୀଠରେ ଏହି ମାମଲା ଆଗତ କରାଇବାକୁ ପ୍ରଧାନ ବିଚାରପତିଙ୍କୁ ସୁପାରିସ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନା ଥାଉ କି, ୨୦୧୦ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ପଞ୍ଜାବ ସରକାର କରିଥିବା ଆବେଦନକୁ ଭିତ୍ତି କରି ଏହି ସଦ୍ୟ ମାମଲା ଲୋକଲୋଚନକୁ ଆସିଛି। ହାଇକୋର୍ଟ ସେତେବେଳେ ପଞ୍ଜାବ ଅନୁସୂଚିତ ବର୍ଗ ଓ ପଛୁଆ ଶ୍ରେଣୀର ଚାକିରି ସଂରକ୍ଷଣ ଆଇନ-୨୦୦୬କୁ ଅସାମ୍ବିଧାନିକ ବୋଲି ରାୟ ଦେଇଥିଲେ। କାରଣ ଏହାର ଧାରା ୪(୫)ରେ ବାଲ୍ମିକୀ ଓ ମଜ୍ବୀ ଶିଖ୍ ସମ୍ପ୍ରଦାୟମାନଙ୍କୁ ଅନୁସୂଚିତ ବର୍ଗ ସଂରକ୍ଷଣରେ ପ୍ରାଥମିକତା ଦେବାର ପ୍ରାବଧାନ ରହିଥିଲା। ତେବେ ଏପରି କରିବାର ଅଧିକାର ରାଜ୍ୟର ନାହିଁ ବୋଲି ହାଇକୋର୍ଟ ଇ ଭି ଚିନୈୟା ମାମଲାକୁ ଭିତ୍ତି କରି ଟିପ୍ପଣୀ କରିଥିଲେ। ମାତ୍ର ରାଜ୍ୟମାନଙ୍କର ସଂରକ୍ଷଣ ସୁବିଧା ଦେବାର ଅଧିକାର ରହିଥିବାରୁ, ସେମାନେ ମଧ୍ୟ ଉପଶ୍ରେଣୀ ବିଭାଗ କରି ଯେଉଁମାନେ ସଂରକ୍ଷଣ ସୁବିଧା ପାଇପାରୁନାହାନ୍ତି, ସେମାନଙ୍କୁ ତାହା ଉପଲବ୍ଧ କରାଇ ପାରିବେ ବୋଲି ଜଷ୍ଟିସ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି।