‘ଲଭ୍‌ ଜିହାଦ୍‌’ ଆଇନ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍‌ କୋର୍ଟ

ପ୍ରେମ ପାଇଁ କାହାକୁ ଦଣ୍ଡିତ କରିବା ଜଘନ୍ୟ ଅପରାଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଆଣିଥିବା ଲଭ୍‌ ଜିହାଦ୍‌ ଆଇନ ଉପରେ ରୋକ୍‌ ଲଗାଇବାକୁ ଆଜି ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ଏହି ଆଇନକୁ ବିରୋଧ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉଭୟ ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ଶୁଣାଣି ସମ୍ପୃକ୍ତ ରାଜ୍ୟମାନଙ୍କର ହାଇକୋର୍ଟରେ କରିବାକୁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେ ଦୁଇ ରାଜ୍ୟ ସମେତ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସରକାରଙ୍କ ଲଭ୍‌ ଜିହାଦ୍‌ ଆଇନ-୨୦୨୦ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ‘ଉତ୍ତରାଖଣ୍ଡ ଧାର୍ମିକ ସ୍ବାଧୀନତା ଆଇନ-୨୦୧୮’କୁ ବିରୋଧ କରି ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ଦୁଇ ରାଜ୍ୟ ସରକାର ବେଆଇନ ଭାବେ ଏଭଳି ଆଇନ ଆଣିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଥିଲା।

ନୂଆଦିଲ୍ଲୀ: ପ୍ରେମ ପାଇଁ କାହାକୁ ଦଣ୍ଡିତ କରିବା ଜଘନ୍ୟ ଅପରାଧ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଟିପ୍ପଣୀ କରିଛନ୍ତି। ୧୯୯୧ ମସିହା ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ପ୍ରେମ କରୁଥିବା ଜଣେ ବାଳକ ଓ ବାଳିକାଙ୍କ ସମେତ ଅନ୍ୟ ଜଣଙ୍କୁ ଫାଶୀ ଦେଇ ହତ୍ୟା କରିବାକୁ ସ୍ଥାନୀୟ ଏକ ଖାପ୍‌ ପଞ୍ଚାୟତ ନିର୍ଦ୍ଦେଶ ଦେଇଥିଲା। ଖାପ୍‌ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଏହି ୩ ଜଣଙ୍କୁ ଫାଶୀ ଦେଇ ହତ୍ୟା କରାଯାଇଥିଲା। ପ୍ରେମୀଯୁଗଳ ମଥୁରା ଜିଲ୍ଲାର ଦଳିତ ଜାତବ ସମ୍ପ୍ରଦାୟର ଥିଲେ। ତେବେ ପ୍ରେମ କରିବା ଏକ ଅପରାଧ ବୋଲି ଦର୍ଶାଇ ସେଠାକାର ଖାପ୍‌ ପଞ୍ଚାୟତ ଏହି ପ୍ରେମୀଯୁଗଳଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ସୂଚନାଯୋଗ୍ୟ, ଜାଟ୍‌ ଭଳି ଉଚ୍ଚ ବର୍ଗର ବ୍ୟକ୍ତିଙ୍କୁ ନେଇ ଏହି ଖାପ୍‌ ପଞ୍ଚାୟତ ଗଠିତ ହୋଇଥିଲା। ଏହି ଘଟଣାରେ ମୋଟ ୩୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ଆହ୍ଲାବାଦ ହାଇକୋର୍ଟ ୨୦୧୬ ମେ ମାସରେ ମାମଲାର ଚୂଡ଼ାନ୍ତ ଶୁଣାଣି କରି ଏ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲା ସୁପ୍ରିମ୍‌କୋର୍ଟକୁ ଆସିଥିଲା ଏବଂ ୧୧ ଜଣଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ଥିଲା।

ସମ୍ବନ୍ଧିତ ଖବର