ପିତାଙ୍କ ସମ୍ପତ୍ତିରେ ଝିଅର ଅଧିକାର ପରିସରକୁ ବଢ଼ାଇଛି ସୁପ୍ରିମ୍‌ କୋର୍ଟ ରାୟ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଗତମାସ ୨୦ ତାରିଖରେ ପୈତୃକ ସମ୍ପତ୍ତି ମାମଲାରେ ଦେଇଥିବା ଏକ ରାୟ ଝିଅମାନଙ୍କର ଅଧିକାର ପରିସରକୁ ଆହୁରି ବୃଦ୍ଧି କରିଛି । ଏହି ରାୟର ତର୍ଜମାରୁ ଜଣାପଡ଼ିଛି ଯେ ଯେ ଯଦି ପିତାଙ୍କ ମୃତ୍ୟୁ ହୋଇଯାଏ ଏବଂ କୌଣସି ସମ୍ପତ୍ତି ଇଚ୍ଛାପତ୍ର ମଧ୍ୟ ନଥାଏ ତାହା ସତ୍ତ୍ବେ ମଧ୍ୟ ଝିଅମାନେ ଯଥାରୀତି ସେମାନଙ୍କ ଅଧିକାରଭୁକ୍ତ ସମ୍ପତ୍ତି ପାଇବେ। ସୁପ୍ରିମକୋର୍ଟ ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଏବଂ କୃଷ୍ଣ ମୁରାରୀଙ୍କ ଏକ ବେଞ୍ଚ କହିଥିଲେ ଯେ ଯଦି କୌଣସି ବ୍ୟକ୍ତି ସମ୍ପତ୍ତିକୁ ନେଇ କୌଣସି ଉଇଲ୍‌ କରିନାହାନ୍ତି କିମ୍ବା ସମ୍ପତ୍ତିଟି ନିଜର କିମ୍ବା ‌ମିଳିତ ପାରିବାରିକ ସମ୍ପତ୍ତି ହୋଇଥିଲେ ମଧ୍ୟ ଉଭୟ ମାମଲାରେ ଆଇନଗତ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗ ହେବ ଏବଂ ଏଥିରେ ଝିଅମାନଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର ହେବନାହିଁ।

ଅଦାଲତ କହିଛନ୍ତି ଯେ ପିତାଙ୍କ ଭାଇର ପିଲାମାନଙ୍କ ସହିତ ମଧ୍ୟ ଉକ୍ତ ମିଳିତ ସମ୍ପତ୍ତିରେ ଝିଅ ହକ୍‌ଦାର ହେବେ। ଯୌଥ ସମ୍ପତ୍ତିରେ ଅନ୍ୟ ସମ୍ପର୍କୀୟଙ୍କ ଭଳି ଝିଅମାନେ ମଧ୍ୟ ସମ୍ପତ୍ତି ଅଧିକାର କରିବାର ଅଧିକାର ପାଇବେ। ଏହାର ଅର୍ଥ ମିଳିତ ପାରିବାରିକ ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ଏହି ନିଷ୍ପତ୍ତି ପ୍ରଯୁଜ୍ୟ ହେବ । ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ପୂର୍ବରୁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ କୃଷ୍ଣ ମୁରାରୀ କହିଛନ୍ତି ଯେ ହିନ୍ଦୁ ପ୍ରଥାରେ ମହିଳାମାନେ ସମାନ ଉତ୍ତରାଧିକାରୀ ଭାବେ ବିବେଚିତ ହେବାନେଇ ସବୁ ନୀତି ଏବେ ସ୍ପଷ୍ଟ ରହିଛି। ଅଦାଲତ ରାୟରୁ ଏହା ସ୍ପଷ୍ଟ ହୋଇଛି ଯେ ୧୯୫୬ ମସିହାରୁ ହିନ୍ଦୁ ଉତ୍ତରାଧିକାରୀ ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଝିଅମାନେ ସେମାନଙ୍କର ପିତା, ଦାଦା ଏବଂ ଜେଜେବାପାଙ୍କ ସମ୍ପତ୍ତିରେ ପୁଅମାନଙ୍କ ସହିତ ସମାନ ଅଧିକାର ପାଇଛନ୍ତି।

ସମ୍ବନ୍ଧିତ ଖବର