‘ରାମ ଭରୋସେ’ ମନ୍ତବ୍ୟକୁ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାକୁ ‘ରାମ ଭରୋସେ’ ବା ରାମଙ୍କ ଦୟାରେ ସ୍ବାସ୍ଥ୍ୟସେବା ଚାଲିଛି ବୋଲି ଆହ୍ଲାବାଦ ହାଇକୋର୍ଟଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଉକ୍ତ ମନ୍ତବ୍ୟ ବିରୋଧରେ ଉତ୍ତରପ୍ରଦେଶ ସରକାର ବୁଧବାର ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ।

ଏହି ମନ୍ତବ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସମସ୍ତ ଗ୍ରାମ ପାଇଁ ୨ଟି ଆଇସିୟୁ ଆମ୍ବୁଲାନ୍ସ ଯୋଗାଇବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ ‘ଅବାସ୍ତବ’। ସୁପ୍ରିମ୍‌କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଜନସ୍ୱାର୍ଥ ପ୍ରସଙ୍ଗରେ କୋର୍ଟ ଦେଉଥିବା ନିର୍ଦ୍ଦେଶ ଉପରେ ଏକ ସୀମା ନିର୍ଦ୍ଧାରଣ କରିବାକୁ ବିଚାର କରିବେ। ଉତ୍ତରପ୍ରଦେଶ ସରକାର ଉକ୍ତ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ୨୮୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି। କେନ୍ଦ୍ର ସରକାର ୨୯୮ଟି ଅମ୍ଳଜାନ କେନ୍ଦ୍ର ଯୋଗାଇ ଦେଇଛନ୍ତି ଏବଂ ଆଉ ୨୦,୦୦୦ଟି ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର କ୍ରୟ କରାଯାଉଛି। ୨୭୩ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧,୭୭୧ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଯୋଗାଇ ଦିଆଯାଇଛି।

ଉତ୍ତରପ୍ରଦେଶ ସରକାର ଆହୁରି କହିଛନ୍ତି ଯେ ୨୫୦ ଉନ୍ନତ ଜୀବନ ସହାୟକ ଆମ୍ବୁଲାନ୍ସ ବ୍ୟତୀତ ରାଜ୍ୟରେ ମୋଟ ୨୨୦୦ ମୌଳିକ ଜୀବନ ସହାୟକ ଆମ୍ବୁଲାନ୍ସ ଅଛି। ରାଜ୍ୟ ୭,୧୮୯ ଶଯ୍ୟା ପାଇଁ ପ୍ରତି ମିନିଟରେ ୪୪,୦୮୨ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ସ୍ଥାପନ କରିବାକୁ ଯାଉଛି, ସେଥିମଧ୍ୟରୁ ୧୮ଟି ଜେନେରେଟର ସ୍ଥାପନ କରାଯାଇଛି। ମଞ୍ଜୁର ହୋଇଥିବା ୧୭୭ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ମଧ୍ୟରୁ ୧୮ଟି ସ୍ଥାପନ କରାଯାଇଛି ବୋଲି ସରକାର କହିଛନ୍ତି। ଏହା ବ୍ୟତୀତୀ ୫୨୮ ଅମ୍ଳଜାନ ପ୍ଲାଣ୍ଟକୁ ମଂଜୁରୀ ଦିଆଯାଇଛି ଏବଂ ୧୩୩ଟି କାର୍ଯ୍ୟକ୍ଷମ ଅଛି ବୋଲି ସରକାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର