ସୁପ୍ରିମକୋର୍ଟରେ ଅଟକିଛି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତି ହୋଇନାହିଁ

ସମ୍ପତ୍ତିର ପୂର୍ଣ୍ଣାଙ୍ଗ ବିବରଣୀ ଦାଖଲ ହୋଇନାହିଁ

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୪ ତାରିଖ‌ରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ୨୨ଟି ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାପର ଠାରୁ ଶୁଣାଣି ଏକପ୍ରକାର ଠପ୍‌ ହୋଇଯାଇଛି। ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଶେଷଥର ମାମଲାର ଶୁଣାଣି ହୋଇଥିଲା, ଯାହାକି ଥିଲା ୨୨ତମ ଶୁଣାଣି। ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରି ପ୍ରଥମ ସପ୍ତାହକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ ୧୧ ମାସ ବିତିବାକୁ ବସିଥିବାବେଳେ ଶୁଣାଣିରେ କୌଣସି ଅଗ୍ରଗତି ହୋଇନାହିଁ। ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରୁ କରୋନା କଟକଣା ଯୋଗୁ ଭର୍ଚୁଆଲରେ ଶୁଣାଣି ଜାରି ରହିଥିବାବେଳେ ଏହି ମାମଲାର ଶୁଣାଣି ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚୀବଦ୍ଧ କରାଯାଇନାହିଁ।

ଶ୍ରୀମନ୍ଦିର ପରିଚାଳନାରେ ବିଭ୍ରାଟକୁ ନେଇ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ୱାରା ମାମଲା ଦାଏର୍‌ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ତାଙ୍କର ମୂଳ ମାମଲା ବିଚାରାଧୀନ ରହିଛି। ସେହିଭଳି, ୨୦୧୮ ମସିହା ଜୁନ୍‌ ୮ ତାରିଖରେ ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ସେବାୟତମାନେ ଶ୍ରୀଜଗନ୍ନଥଙ୍କ ନାମରେ କୌଣସି ଦାନ, ଦକ୍ଷିଣା ଗ୍ରହଣ କରିପାରିବେ ନାହିଁ ବୋଲି ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହୋଇଥିଲା। ପ୍ରଥମେ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀ ବା କୋର୍ଟ ମିତ୍ର ରୂପେ ନିଯୁକ୍ତି ଦେଇଥିଲେ। ଶ୍ରୀମନ୍ଦିର ସୁପରିଚାଳନା ଲାଗି ବିଭିନ୍ନ ରିପୋର୍ଟ ଗୁଡ଼ିକୁ ତର୍ଜମା କରିବା ସହିତ ଆବଶ୍ୟକ ପରାମର୍ଶ ଦେବା ପାଇଁ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆମିକସ୍ କ୍ୟୁରୀ ନିଯୁକ୍ତି ହେବାପରେ ଗୋପାଳ ସୁବ୍ରମଣ୍ୟମ୍ ଶ୍ରୀମନ୍ଦିର ପରିଦର୍ଶନ କରି ଶ୍ରୀମନ୍ଦିର ସଂସ୍କାରକୁ ନେଇ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ହେଲେ ସେ ରିପୋର୍ଟ ଦେବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଜୁଲାଇ ୫, ୨୦୧୮ର ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତାହାକୁ ବିରୋଧ କରାଯାଇ ପୁରୀ ବନ୍ଦ ଯୋଗୁଁ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋପାଳ ସୁବ୍ରମଣ୍ୟମ୍ ଆମିକସ୍‌ କ୍ୟୁରୀ ଦାୟିତ୍ୱରୁ ଓହରିଯାଇଥିଲେ। ତାଙ୍କ ପରେ ପୂର୍ବତନ ସିଲିସିଟର ଜେନ୍‌ରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ ଆମିକସ୍‌ କ୍ୟୁରୀ ଓ ଆଇନଜୀବୀ ପ୍ରିୟା ହିଂଗୋରାନୀଙ୍କୁ ସହ-ଆମିକସ୍‌ କ୍ୟୁରୀ ରୂପେ ନିଯୁକ୍ତ କରିଥିଲେ। ଉଭୟ ପୁରୀ ଶ୍ରୀମନ୍ଦିର ଗସ୍ତ କରି କୋର୍ଟରେ ସେମାନଙ୍କର ରିପୋର୍ଟ ଦାଖଲ କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ନଭେମ୍ବର ୪, ୨୦୧୯ରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ୨୨ଟି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ୨୨ଟି ନିର୍ଦ୍ଦେଶନାମା ଜରିଆରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଠାରୁ ଆରମ୍ଭ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ସ୍କୁଲ ସ୍ଥାପନା, ଶୃଙ୍ଖଳିତ ଦର୍ଶନ, ଦେଶରେ ଶ୍ରୀଜଗନ୍ନାଥଙ୍କର କେତେ ଜମିବାଡ଼ି ଓ ଖଣିଖାଦାନ ରହିଛି, ସେଗୁଡ଼ିକୁ ଚିହ୍ନଟ କରି ସେଥିରୁ କେତେ ଆୟ ଓ ବ୍ୟୟ ହେଉଛି ତାହାର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ସୁପରିଚାଳନା ଲାଗି ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଜାନୁଆରି ୭ ତାରିଖରେ ଶ୍ରୀ ମନ୍ଦିର ପରିଚାଳନା କମିଟି ଏହି ୨୨ଟି ନିର୍ଦ୍ଦେଶନାମା ଉପରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ। ସେହିଭଳି, ଗତ ମାର୍ଚ୍ଚ ମାସରେ ଦାଖଲ କରିଥିବା ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରାଯିବ ବୋଲି ରାଜ୍ୟ ସରକାର ଜଣାଇଥିଲେ। ଏଥିସହିତ, ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବରେ ରହିବା ପ‌ାଇଁ ଅନୁମତି ଦେବାକୁ ଆବେଦନ କରିଥିଲେ। ତେବେ, ଅଗଷ୍ଟ ୨୪ରେ ଦାଖଲ ସତ୍ୟପାଠରେ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନୁମତି ଲୋଡ଼ାଯାଇଥିଲା। ତେବେ, ୧୧ ମାସ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇନାହିଁ। ଫଳରେ, ଜଗନ୍ନାଥଙ୍କ ସମ୍ପତ୍ତି ତଥା ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ମାମଲାରେ କୋର୍ଟଙ୍କ ଆଗକୁ କ’ଣ ଆଭିମୁଖ୍ୟ ରହିବ, ସେନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର