ନରେନ୍ଦ୍ର ମୋଦୀ
ଭାରତର ପ୍ରଧାନମନ୍ତ୍ରୀ
ଡିସେମ୍ବର ୧୧ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ନେଇ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମ୍କୋର୍ଟ ତାଙ୍କ ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବଜାୟ ରଖିଛନ୍ତି, ଯାହାକୁ ପ୍ରତ୍ୟେକ ଭାରତୀୟ ମନେ ରଖିବେ। ସୁପ୍ରିମକୋର୍ଟ ସଠିକ୍ ଭାବେ କହିଛନ୍ତି ଯେ ୨୦୧୯ ଅଗଷ୍ଟ ୫ ତାରିଖରେ ନିଆଯାଇଥିବା ନିଷ୍ପତ୍ତି ସାମ୍ବିଧାନିକ ବିଭାଜନ ନୁହେଁ, ବରଂ ଏକତା ବୃଦ୍ଧି ଉଦ୍ଦେଶ୍ୟରେ କରାଯାଇଥିଲା। ଧାରା ୩୭୦ ସ୍ଥାୟୀ ନୁହେଁ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ଜମ୍ମୁ, କାଶ୍ମୀର ଓ ଲଦାଖର ହୃଦୟସ୍ପର୍ଶୀ ଦୃଶ୍ୟ, ଶାନ୍ତ ଉପତ୍ୟକା ଏବଂ ବିଶାଳ ପର୍ବତ ପିଢ଼ି ପିଢ଼ି ଧରି କବି, କଳାକାର ଓ ଦୁଃସାହସୀ ବ୍ୟକ୍ତିବିଶେଷଙ୍କ ହୃଦୟକୁ ଆକର୍ଷିତ କରିଛି। ଏହା ଏପରି ଏକ ସ୍ଥାନ ଯେଉଁଠି ଅସାଧାରଣ ଭବ୍ୟତା ଦେଖିବାକୁ ମିଳେ, ହିମାଳୟ ଆକାଶ ଛୁଇଁଥାଏ ଏବଂ ହ୍ରଦ ଓ ନଦୀଗୁଡିକରେ ସ୍ୱର୍ଗର ପ୍ରତିବିମ୍ବ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ସାତ ଦଶନ୍ଧି ଧରି ଏହି ସ୍ଥାନରେ ହିଂସା ଓ ଅସ୍ଥିରତା ସବୁଠୁ ଘୃଣ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ଏଭଳି ପରିସ୍ଥିତି ଆଦୌ ଅନୁକୂଳ ନୁହେଁ।
ଦୁର୍ଭାଗ୍ୟବଶତଃ ଶହ ଶହ ବର୍ଷ ଧରି ଚାଲିଥିବା ଉପନିବେଶ ଶାସନ, ବିଶେଷକରି ଆର୍ଥିକ ଓ ମାନସିକ ପରାଧୀନତା ଯୋଗୁଁ ଆମେ ଏକ ପ୍ରକାର ଦ୍ୱନ୍ଦ୍ୱପୂର୍ଣ୍ଣ ସମାଜରେ ପରିଣତ ହୋଇଥିଲୁ। ଅତ୍ୟନ୍ତ ମୌଳିକ ଜିନିଷ ଉପରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବା ପରିବର୍ତ୍ତେ, ଆମେ ଦ୍ୱିମତକୁ ଅନୁମତି ଦେଇଥିଲୁ, ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଦୁଃଖର କଥା ହେଉଛି, ଏଭଳି ମାନସିକତାର ବଡ଼ ଶିକାର ହୋଇଛି ଜମ୍ମୁ-କାଶ୍ମୀର। ସ୍ୱାଧୀନତା ସମୟରେ, ଜାତୀୟ ଏକତା ପାଇଁ ଏକ ନୂତନ ଆରମ୍ଭ କରିବା ଲାଗି ଆମ ପାଖରେ ବିକଳ୍ପ ରହିଥିଲା। ହେଲେ ଏହା ପରିବର୍ତ୍ତେ, ଆମେ ଦୀର୍ଘମିଆଦୀ ଜାତୀୟ ସ୍ୱାର୍ଥ ପ୍ରତି ଅଣଦେଖା କରି ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ସମାଜର ଆଭିମୁଖ୍ୟ ଜାରି ରଖିବାକୁ ସ୍ଥିର କରିଥିଲୁ।
ମୁଁ ମୋ ଜୀବନର ପ୍ରାରମ୍ଭିକ ଭାଗରୁ ଜମ୍ମୁ-କାଶ୍ମୀର ଆନ୍ଦୋଳନ ସହିତ ଜଡ଼ିତ ହେବାର ସୁଯୋଗ ପାଇଛି। ମୁଁ ଏପରି ଏକ ଆଦର୍ଶଗତ ଢାଞ୍ଚାରେ ରହି ଆସିଛି, ଯେଉଁଥିରେ ଜମ୍ମୁ-କଶ୍ମୀର କେବଳ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ସମାଜର ଆକାଂକ୍ଷା ପୂରଣ ସହ ଜଡ଼ିତ ପ୍ରସଙ୍ଗ ଭାବେ ରହି ଆସିଛି। ନେହରୁଙ୍କ କ୍ୟାବିନେଟରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଉଥିଲେ ଏବଂ ଚାହିଥିଲେ ବହୁଦିନ ପର୍ଯ୍ୟନ୍ତ ସରକାରରେ ରହିପାରିଥାନ୍ତେ। ତଥାପି ସେ କାଶ୍ମୀର ପ୍ରସଙ୍ଗରେ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ଏବଂ ଆଗକୁ କଠିନ ରାସ୍ତାକୁ ପସନ୍ଦ କରିଥିଲେ, ଯଦିଓ ଏଥିପାଇଁ ତାଙ୍କୁ ନିଜ ଜୀବନର ମୂଲ୍ୟ ଦେବାକୁ ପଡ଼ିଥିଲା। ତାଙ୍କର ପ୍ରୟାସ ଓ ବଳିଦାନ ଯୋଗୁଁ କୋଟିକୋଟି ଭାରତୀୟ କାଶ୍ମୀର ପ୍ରସଙ୍ଗ ସହିତ ଭାବପ୍ରବଣ ହୋଇ ଉଠିଥିଲେ। ଏହାର ଅନେକ ବର୍ଷ ପରେ ଅଟଳଜୀ ଶ୍ରୀନଗରରେ ଏକ ସାଧାରଣ ସଭାରେ ‘ଇନସାନିୟତ’, (ମାନବତା) ‘ଜମହୁରିୟତ୍’ (ଗଣତନ୍ତ୍ର) ଏବଂ ‘କାଶ୍ମୀରୀୟତ୍’ (କାଶ୍ମୀର ଭାବନା)ର ଶକ୍ତିଶାଳୀ ବାର୍ତ୍ତା ଦେଇଥିଲେ, ଯାହା ସର୍ବଦା ଏକ ବଡ଼ ପ୍ରେରଣାର ଉତ୍ସ ହୋଇ ଆସିଛି।
ଜମ୍ମୁ-କାଶ୍ମୀରରେ ଯାହା ଘଟିଛି ତାହା ଆମ ଦେଶ ଏବଂ ସେଠାରେ ରହୁଥିବା ଲୋକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା ବୋଲି ମୋର ସର୍ବଦା ଦୃଢ଼ ବିଶ୍ୱାସ ଥିଲା। ଲୋକଙ୍କ ପ୍ରତି ହୋଇଥିବା ଏହି ଭେଦଭାବ, ଏହି ଅନ୍ୟାୟକୁ ଦୂର କରିବା ପାଇଁ ମୁଁ ଯାହା କରିପାରିବି ତାହା କରିବା ପାଇଁ ମୋର ଦୃଢ଼ ଇଚ୍ଛା ଥିଲା। ମୁଁ ସର୍ବଦା ଜମ୍ମୁ-କାଶ୍ମୀରବାସୀଙ୍କ ଦୁଃଖ ଦୂର କରିବା ପାଇଁ କାମ କରିବାକୁ ଚାହୁଁଛି। ଅତ୍ୟନ୍ତ ମୌଳିକ ଭାଷାରେ କହିବାକୁ ଗଲେ ଧାରା ୩୭୦ ଓ ୩୫(ଏ) ଏ ଦିଗରେ ପ୍ରମୁଖ ପ୍ରତିବନ୍ଧକ ଭଳି ଥିଲା। ଏହା ଏକ ଦୃଢ଼ ପ୍ରାଚୀର ପରି ମନେ ହେଉଥିଲା ଏବଂ ଏହାର ପୀଡ଼ିତମାନେ ଗରିବ ଏବଂ ଅବହେଳିତ ଥିଲେ। ଜମ୍ମୁ-କାଶ୍ମୀରର ଲୋକମାନେ ଅନ୍ୟ ଭାରତୀୟଙ୍କୁ ମିଳିଥିବା ଅଧିକାର ଏବଂ ବିକାଶରୁ ଯେପରି ବଞ୍ଚିତ ହେବେ ତାହା ଧାରା ୩୭୦ ଏବଂ ୩୫(ଏ) ସୁନିଶ୍ଚିତ କରିଥିଲା। ଏହି ଧାରା ଯୋଗୁଁ ଗୋଟିଏ ଦେଶର ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୂତ ଦୂରତା ସୃଷ୍ଟି ହୋଇଥିଲା। ଏହି ଦୂରତା କାରଣରୁ ଆମ ଦେଶର ଅନେକ ଲୋକ ଯେଉଁମାନେ ଜମ୍ମୁ-କାଶ୍ମୀରର ସମସ୍ୟାର ସମାଧାନ ପାଇଁ କାମ କରିବାକୁ ଚାହୁଁଥିଲେ, ସେମାନେ ସେଠାକାର ଲୋକଙ୍କ ଯନ୍ତ୍ରଣାକୁ ସ୍ପଷ୍ଟ ଭାବରେ ଅନୁଭବ କରୁଥିଲେ ସୁଦ୍ଧା ତାହା କରିପାରିନଥିଲେ।
ଜଣେ କାର୍ଯ୍ୟକର୍ତ୍ତା ଭାବରେ ଗତ କିଛି ଦଶନ୍ଧି ଧରି ଏହି ପ୍ରସଙ୍ଗକୁ ମୁଁ ଅତି ନିକଟରୁ ଦେଖିଛି। ମୁଁ ଏହି ପ୍ରସଙ୍ଗର ନିର୍ଦ୍ଦିଷ୍ଟତା ଓ ଜଟିଳତା ବିଷୟକୁ ସୂକ୍ଷ୍ମ ଭାବରେ ବୁଝିଛି। ତଥାପି, ମୁଁ ଗୋଟିଏ କଥା ସ୍ପଷ୍ଟ କରିଥିଲି ଯେ ଜମ୍ମୁ-କାଶ୍ମୀରର ଲୋକମାନେ ବିକାଶ ଚାହୁଛନ୍ତି ଏବଂ ସେମାନେ ନିଜ ଶକ୍ତି ଓ ଦକ୍ଷତା ଆଧାରରେ ଭାରତର ବିକାଶରେ ଯୋଗଦାନ କରିବାକୁ ଚାହୁଛନ୍ତି। ସେମାନେ ନିଜ ପିଲାଙ୍କ ପାଇଁ ଉନ୍ନତ ମାନର ଜୀବନ; ହିଂସା ଓ ଅନିଶ୍ଚିତତାମୁକ୍ତ ଜୀବନ ଚାହୁଁଛନ୍ତି।
ତେଣୁ ଜମ୍ମୁ-କାଶ୍ମୀରବାସୀଙ୍କ ସେବା କରିବା ସମୟରେ ଆମେ ତିନୋଟି ସ୍ତମ୍ଭକୁ ପ୍ରାଥମିକତା ଦେଇଥିଲୁ- ନାଗରିକଙ୍କ ସମସ୍ୟାକୁ ବୁଝିବା, ସହାୟତା ମାଧ୍ୟମରେ ବିଶ୍ୱାସ ସୃଷ୍ଟି କରିବା ଏବଂ ବିକାଶ ଓ ଅଧିକ ବିକାଶକୁ ପ୍ରାଥମିକତା ଦେବା। ୨୦୧୪ରେ ଆମେ ଦାୟିତ୍ୱ ଗ୍ରହଣ କରିବାର ଠିକ୍ ପରେ ଜମ୍ମୁ-କାଶ୍ମୀରରେ ଭୟଙ୍କର ବନ୍ୟା ଆସିଥିଲା ଏବଂ କାଶ୍ମୀର ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେପ୍ଟେମ୍ବର ୨୦୧୪ରେ ମୁଁ ପରିସ୍ଥିତିର ଆକଳନ କରିବାକୁ ଶ୍ରୀନଗର ଯାଇଥିଲି ଏବଂ ଥଇଥାନ ପାଇଁ ଏକ ସ୍ୱତନ୍ତ୍ର ସହାୟତା ଭାବରେ ୧୦୦୦ କୋଟି ଟଙ୍କା ଘୋଷଣା କରିଥିଲି, ଯାହା ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଇଥିଲା। ମୁଁ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବାର ସୁଯୋଗ ପାଇଥିଲି ଏବଂ ଏହି କଥାବାର୍ତ୍ତାରେ ଗୋଟିଏ ସାଧାରଣ ସୂତ୍ର ଥିଲା। ଲୋକମାନେ କେବଳ ବିକାଶ ଚାହୁନଥିଲେ ବରଂ ସେମାନେ ଅନେକ ଦଶନ୍ଧି ଧରି ଚାଲିଥିବା ବ୍ୟାପକ ଦୁର୍ନୀତିରୁ ମୁକ୍ତି ମଧ୍ୟ ଚାହୁଁଥିଲେ। ସେହି ବର୍ଷ ମୁଁ ନିଷ୍ପତ୍ତି ନେଇଥିଲି ଯେ ଆମେ ଜମ୍ମୁ-କାଶ୍ମୀରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଦୀପାବଳି ପାଳନ କରିବୁ ନାହିଁ। ମୁଁ ଦୀପାବଳି ଦିନ ଜମ୍ମୁ-କାଶ୍ମୀରରେ ରହିବାକୁ ନିଷ୍ପତ୍ତି ନେଇଥିଲି।
ଜମ୍ମୁ-କାଶ୍ମୀରର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲୁ। ତାହା ହେଉଛି ଆମ ସରକାରଙ୍କ ମନ୍ତ୍ରୀମାନେ ବାରମ୍ବାର ସେଠାକୁ ଯାଇ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବେ। ମନ୍ତ୍ରୀମାନଙ୍କର କ୍ରମାଗତ ଗସ୍ତ ଜମ୍ମୁ-କାଶ୍ମୀରରେ ସଦ୍ଭାବନା ସୃଷ୍ଟି କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମେ ୨୦୧୪ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ୧୫୦ରୁ ଅଧିକ ମନ୍ତ୍ରିସ୍ତରୀୟ ଗସ୍ତ ହୋଇଥିଲା। ଏହା ମଧ୍ୟ ଏକ ରେକର୍ଡ। ୨୦୧୫ର ଏହି ସ୍ୱତନ୍ତ୍ର ପ୍ୟାକେଜ ଜମ୍ମୁ-କାଶ୍ମୀରର ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏଥିରେ ଭିତ୍ତିଭୂମି ବିକାଶ, ନିଯୁକ୍ତି ସୃଷ୍ଟି, ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ହସ୍ତଶିଳ୍ପ ଶିଳ୍ପକୁ ସହାୟତା ପାଇଁ ପଦକ୍ଷେପ ନିଆଯାଇଥିଲା। ଆମେ ଜାମ୍ମୁ-କାଶ୍ମୀରରେ କ୍ରୀଡ଼ାର ଶକ୍ତିକୁ ଉପଯୋଗ କରିଥିଲୁ ଏବଂ ଯୁବବର୍ଗଙ୍କ ସ୍ୱପ୍ନକୁ ଜାଗ୍ରତ କରିବାରେ ଏହାର ସାମର୍ଥ୍ୟକୁ ସ୍ୱୀକାର କରିଥିଲୁ। କ୍ରୀଡ଼ା ପଦକ୍ଷେପ ମାଧ୍ୟମରେ ଆମେ ସେମାନଙ୍କ ଆକାଂକ୍ଷା ଓ ଭବିଷ୍ୟତ ଉପରେ କ୍ରୀଡ଼ା ପ୍ରୟାସର ପରିବର୍ତ୍ତନଶୀଳ ପ୍ରଭାବ ଦେଖିଥିଲୁ। କ୍ରୀଡ଼ାସ୍ଥଳର ଉନ୍ନତୀକରଣ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ପ୍ରଶିକ୍ଷକ ଉପଲବ୍ଧ କରାଯାଇଥିଲା। ସବୁଠାରୁ ନିଆରା ଜିନିଷ ହେଲା ସ୍ଥାନୀୟ ଫୁଟବଲ କ୍ଲବ୍ ଢାଞ୍ଚାକୁ ପ୍ରୋତ୍ସାହିତ କରିବା। ଏସବୁ ପ୍ରୟାସର ଫଳାଫଳ ଉଲ୍ଲେଖନୀୟ ରହିଥିଲା। ପ୍ରତିଭାବାନ ଫୁଟବଲ ଖେଳାଳି ଅଫ୍ଶାନ ଆଶିକଙ୍କ ନାମ ମୋ ମନକୁ ଆସିଥାଏ- ୨୦୧୪ ଡିସେମ୍ବରରେ ସେ ଶ୍ରୀନଗରର ଏକ ପଥରଫିଙ୍ଗାଳି ଗୋଷ୍ଠୀର ସଦସ୍ୟ ଥିଲେ କିନ୍ତୁ ସଠିକ୍ ପ୍ରୋତ୍ସାହନରେ ତାଙ୍କୁ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା ଏବଂ ସେ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ମୋର ମନେ ଅଛି, ତାଙ୍କ ସହ ଏକ ‘ଫିଟ୍ ଇଣ୍ଡିଆ’ ଆଲୋଚନାରେ କଥାବାର୍ତ୍ତା ହୋଇଥିଲା ଯେଉଁଥିରେ ମୁଁ କହିଥିଲି, ‘ବେଣ୍ଡ ଇଟ୍ ଲାଇକ୍ ବେକ୍ହାମ୍’ଠାରୁ ଆଗକୁ ବଢ଼ି ‘ଏସ୍ ଇଟ୍ ଲାଇକ୍ ଅଫଶାନ୍’ (ଅଫ୍ଶାନଙ୍କ ଭଳି ଖେଳରେ ସଫଳତା ହାସଲ କରିବା)ରେ ପହଞ୍ଚିବାର ଏବେ ସମୟ ଆସିଛି। ଅନ୍ୟ ଯୁବ ଖେଳାଳିମାନେ କିକ୍ ବକ୍ସିଂ, କରାଟେ ଆଦିରେ ଉନ୍ନତ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ।
ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଧ୍ୟ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ପୁଣି ଥରେ ଆମକୁ କ୍ଷମତାରେ ରହିବା କିମ୍ବା ଆମର ନୀତିଆଦର୍ଶ ଅନୁଯାୟୀ ଠିଆ ହେବାର ଦୁଇଟି ବିକଳ୍ପର ସମ୍ମୁଖୀନ ହେବାକୁ ପଡ଼ିଲା। ବିକଳ୍ପ ଚୟନ କେବେ ବି କଷ୍ଟକର ନଥିଲା ଏବଂ ଆମେ ସରକାରରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲୁ। ଜମ୍ମୁ-କାଶ୍ମୀରବାସୀଙ୍କ ଆକାଂକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଆମେ ଯେଉଁ ଆଦର୍ଶ ପାଇଁ ଠିଆ ହୋଇଛୁ ସେଥିରେ ଦୃଢ଼ ରହିବାକୁ ନିଷ୍ପତ୍ତି ନେଲୁ। ପଞ୍ଚାୟତ ନିର୍ବାଚନର ସଫଳତା ଜମ୍ମୁ-କାଶ୍ମୀରବାସୀଙ୍କ ଗଣତାନ୍ତ୍ରିକ ସ୍ୱଭାବକୁ ସୂଚାଉଥିଲା। ଗାଁର ପ୍ରଧାନମାନଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ମୋ ମନ ଫେରିଯାଇଥାଏ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ମୁଁ ସେମାନଙ୍କୁ ଅନୁରୋଧ କରିଥିଲି- କୌଣସି ପରିସ୍ଥିତିରେ ବିଦ୍ୟାଳୟ ଜଳିବା ଉଚିତ ନୁହେଁ ଏବଂ ତାହା ସୁନିଶ୍ଚିତ ହେବା ଦରକାର। ଏହାକୁ ପାଳନ କରାଯାଇଥିବା ଦେଖି ମୁଁ ଆନନ୍ଦିତ ହୋଇଥିଲି। ଯଦି ବିଦ୍ୟାଳୟ ଜଳିଯାଏ ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଛୋଟ ପିଲା। ଅଗଷ୍ଟ ୫ର ଏହି ଐତିହାସିକ ଦିନଟି ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଓ ମନରେ ସ୍ମରଣୀୟ ହୋଇରହିଛି। ଧାରା ୩୭୦ ଉଚ୍ଛେଦ ପାଇଁ ଆମ ସଂସଦ ଐତିହାସିକ ନିଷ୍ପତ୍ତି ପାରିତ କରିଛି। ଏହାପରଠାରୁ ଜମ୍ମୁ, କାଶ୍ମୀର ଓ ଲଦାଖରେ ଅନେକ କିଛି ବଦଳିଯାଇଛି। ୨୦୨୩ ଡିସେମ୍ବରରେ ନ୍ୟାୟିକ ଅଦାଲତ ରାୟ ଶୁଣାଇଛନ୍ତି, କିନ୍ତୁ ଜମ୍ମୁ, କାଶ୍ମୀର ଓ ଲଦାଖରେ ବିକାଶର ଲହରକୁ ଦେଖି ୪ ବର୍ଷ ପୂର୍ବରୁ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ କରିବା ପାଇଁ ସଂସଦର ନିଷ୍ପତ୍ତିକୁ ଜନତାଙ୍କ ଅଦାଲତ ଦୃଢ଼ ସମର୍ଥନ କରିସାରିଛନ୍ତି।
ରାଜନୈତିକ କ୍ଷେତ୍ରରେ ଗତ ୪ ବର୍ଷ ତୃଣମୂଳସ୍ତରର ଗଣତନ୍ତ୍ର ଉପରେ ଏକ ନୂତନ ବିଶ୍ୱାସକୁ ସୁଦୃଢ଼ ହୋଇଛି। ମହିଳା, ଆଦିବାସୀ, ଏସସି, ଏସଟି ଏବଂ ସମାଜର ଅବହେଳିତ ବର୍ଗଙ୍କୁ ସେମାନଙ୍କର ପ୍ରାପ୍ୟ ମିଳୁ ନଥିଲା। ଏଥିସହିତ ଲଦାଖର ଆକାଂକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ୫ ଅଗଷ୍ଟ ୨୦୧୯ ସବୁ କିଛି ବଦଳାଇ ଦେଲା। ସମସ୍ତ କେନ୍ଦ୍ରୀୟ ଆଇନ ଏବେ ବିନା ଭୟ କିମ୍ବା ପକ୍ଷପାତରେ ଲାଗୁ ହେଉଛି। ପ୍ରତିନିଧିତ୍ୱ ମଧ୍ୟ ଅଧିକ ବ୍ୟାପକ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି, ବିଡିସି ନିର୍ବାଚନ ହୋଇଛି ଏବଂ ଶରଣାର୍ଥୀ ସମ୍ପ୍ରଦାୟ ଯେଉଁମାନଙ୍କୁ ସମସ୍ତେ ଭୁଲି ଯାଇଥିଲେ, ସେମାନେ ଏବେ ବିକାଶର ଫଳ ଉପଭୋଗ କରିବା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ସମାଜର ସମସ୍ତ ବର୍ଗକୁ ସାମିଲ କରି ଶତପ୍ରତିଶତ ପ୍ରସାରିତ ହୋଇଛି। ଏଥିରେ ସୌଭାଗ୍ୟ, ଉଜାଲା ଓ ଉଜ୍ଜ୍ୱଳା ଯୋଜନା ରହିଛି। ଗୃହ ନିର୍ମାଣ, ଟ୍ୟାପ୍ ଜଳ ସଂଯୋଗ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଅଗ୍ରଗତି ହୋଇଛି। ଅନ୍ୟପଟେ ଏକଦା ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବେ ଭିତ୍ତିଭୂମି ଉନ୍ନତ ହୋଇଛି। ସବୁ ଗାଁ ଖୋଲା ଶୌଚମୁକ୍ତ - ଓଡିଏଫ୍ ପ୍ଲସ୍ ମାନ୍ୟତା ହାସଲ କରିଛନ୍ତି। ଦୁର୍ନୀତି ଓ ପକ୍ଷପାତିତାର ଆଶ୍ରୟସ୍ଥଳୀ ଥିବା ସରକାରୀ ପଦବିଗୁଡ଼ିକୁ ସ୍ୱଚ୍ଛ ଓ ପ୍ରକ୍ରିୟା ଭିତ୍ତିକ ଢଙ୍ଗରେ ପୂରଣ କରାଯାଇଛି। ଆଇଏମ୍ଆର୍ ଭଳି ଅନ୍ୟାନ୍ୟ ସୂଚକାଙ୍କରେ ଉନ୍ନତି ପରିଲକ୍ଷିତ ହୋଇଛି।
ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରୋତ୍ସାହନ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଛି। ଏହାର ଶ୍ରେୟ ସ୍ୱାଭାବିକ ଭାବେ ଜମ୍ମୁ-କାଶ୍ମୀରବାସୀଙ୍କୁ ଯାଉଛି, ଯେଉଁମାନେ ବାରମ୍ବାର ଦେଖାଇଛନ୍ତି ଯେ ସେମାନେ କେବଳ ବିକାଶ ଚାହୁଁଛନ୍ତି ଏବଂ ଏହି ସକାରାତ୍ମକ ପରିବର୍ତ୍ତନର ବାହକ ହେବାକୁ ଇଚ୍ଛୁକ। ପୂର୍ବରୁ ଜମ୍ମୁ, କାଶ୍ମୀର ଓ ଲଦାଖର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ କେବଳ ରେକର୍ଡ ଅଭିବୃଦ୍ଧି, ରେକର୍ଡ ବିକାଶ, ରେକର୍ଡ ପର୍ଯ୍ୟଟକଙ୍କ ଆଗମନ ନେଇ ସଙ୍କେତ ମିଳୁଛି। ଡିସେମ୍ବର ୧୧ ତାରିଖରେ ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିଛନ୍ତି- ଏହା ଆମକୁ ମନେପକାଇ ଦେଇଛି ଯେ ଏକତାର ବନ୍ଧନ ଏବଂ ସୁଶାସନ ପ୍ରତି ଏକ ସହଭାଗୀ ପ୍ରତିବଦ୍ଧତା ଆମକୁ ପରିଚୟ ଦେଇଥାଏ। ଆଜି ଜମ୍ମୁ କାଶ୍ମୀର ଓ ଲଦାଖରେ ଜନ୍ମ ହୋଇଥିବା ପ୍ରତ୍ୟେକ ଶିଶୁ ଏକ ସ୍ୱଚ୍ଛ ଚିତ୍ର ନେଇ ଜନ୍ମ ନେଇଛନ୍ତି, ଯେଉଁଠାରେ ସେମାନେ ଜୀବନ୍ତ ଆକାଂକ୍ଷାରେ ପରିପୂର୍ଣ୍ଣ ଭବିଷ୍ୟତ ସର୍ଜନା କରିପାରିବେ। ଆଜି ଲୋକଙ୍କ ସ୍ୱପ୍ନ ଆଉ ଅତୀତର କଏଦୀ ନୁହେଁ ବରଂ ଭବିଷ୍ୟତର ସମ୍ଭାବନାରେ ପରିଣତ ହୋଇଛି। ଦ୍ୱନ୍ଦ୍ୱ, ନିରାଶା ଓ ହତାଶା ସ୍ଥାନରେ ଏବେ ବିକାଶ, ଗଣତନ୍ତ୍ର ଓ ମର୍ଯ୍ୟାଦା ପ୍ରତିଷ୍ଠିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/71992-narendra-modi-ians.jpg)