ଅଯୋଧ୍ୟା ଜମି ବିବାଦ : ଧାର୍ଯ୍ୟ ସମୟର ୧ ଦିନ, ୧ ଘଣ୍ଟା ପୂର୍ବରୁ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ଶେଷ; ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ କଣ୍ଟର ଏକଦିନ ଓ ଏକଘଣ୍ଟା ପୂର୍ବରୁ ଶେଷ ହୋଇଛି ଏବଂ ଏହି ମାମଲାର ରାୟ ସଂରକ୍ଷିତ ରହିଛି।

ଆଜି ଦୈନନ୍ଦିନ ଭିତ୍ତିରେ କ୍ରମାଗତ ଭାବେ ୪୦ ଦିନ ପାଇଁ ଏହି ମାମଲାର ଶୁଣାଣି ଆରମ୍ଭ କରିବା ପୂର୍ବରୁ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହି ଦେଇଥିଲେ ଯେ, ‘ବହୁତ ହୋଇଗଲା। ଆଜି ଅପରାହ୍ଣ ୫ଟା ସୁଦ୍ଧା ଏହି ମାମଲାର ଶୁଣାଣି ଶେଷ ହେବ’। ତେବେ, ଶୁଣାଣି ଶେଷ ପାଇଁ ସମୟ କଣ୍ଟ ୫ଟା ଧାର୍ଯ୍ୟ ହୋଇଥିଲେ ମଧ୍ୟ ୪ଟାରେ ଶୁଣାଣି ଶେଷ ହୋଇଥିଲା।

LiveLaw

ଶୁଣାଣି ଶେଷ ପୂର୍ବରୁ ଉଭୟ ପକ୍ଷର ଓକିଲଙ୍କ ଚୂଡ଼ାନ୍ତ ଯୁକ୍ତିକୁ ୪୫ମିନିଟ ଲେଖାଏଁ ଶୁଣିବା ପରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌ ଏ ବବ୍‌ଦେ, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏସ୍‌ ଏ ନଜିରଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରିବା ସହ ଏହି ମାମଲାର ରାୟ ସଂରକ୍ଷିତ ରହିଲା ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ଜମି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା କମିଟି ନିଜ କାର୍ଯ୍ୟରେ ଫେଲ୍‌ ମାରିବା ପରେ ଅଗଷ୍ଟ ୬ ତାରିଖ ଠାରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ। ତେବେ, ଦୈନନ୍ଦିନ ଭିତ୍ତିରେ ଆରମ୍ଭ ହୋଇଥିବା ଏହି ମାମଲାର ଶୁଣାଣି ଆସନ୍ତାକାଲି (ଅକ୍ଟୋବାର ୧୭ରେ) ଶେଷ ହେବାର ଥିଲା।

ସମ୍ବନ୍ଧିତ ଖବର