ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ପ୍ରମାଣପତ୍ରକୁ ନେଇ ଆପ୍ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଦେଇଥିବା ମନ୍ତବ୍ୟ ବିରୋଧରେ ଗୁଜରାଟ ବିଶ୍ବବିଦ୍ୟାଳୟ ମାନହାନି ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗୁଜରାଟ ହାଇକୋର୍ଟ ପକ୍ଷରୁ ଜାରି ସମନକୁ ଖାରଜ କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ବିଚାରପତି ବି ରାମକୃଷ୍ଣ ଗଭାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟ କହିସାରିଛନ୍ତି ଯେ ସମସ୍ତ ପକ୍ଷ ପ୍ରତି ଏହି ମାମଲାର ସମସ୍ତ ଦିଗ ମୁକ୍ତ ରଖାଯାଇଛି। ଏଣୁ ନିର୍ଦ୍ଦେଶରେ ଦିଆଯାଇଥିବା କୌଣସି ଟିପ୍ପଣୀ ଦ୍ବାରା ସମ୍ମାନାସ୍ପଦ ନିମ୍ନ ଅଦାଲତର ଜଜ୍ କୌଣସି ପ୍ରକାରେ ପ୍ରଭାବିତ ହେବେନାହିଁ।
ଖଣ୍ଡପୀଠଙ୍କୁ ସାଂସଦ ସିଂହଙ୍କ ଓକିଲ ଅଭିଷେକ ମନୁ ସିଂହଭି ଓ ରେବେକା ଜୋନ୍ କହିଥିଲେ ଯେ ଧାରା ୧୯ ଅନୁସାରେ ଗୁଜରାଟ ବିଶ୍ବବିଦ୍ୟାଳୟ ଏକ ‘ରାଜ୍ୟ’। ଏଣୁ ଜଣେ ସରକାରୀ ଓକିଲଙ୍କ ଜରିଆରେ ମାମଲାର ଆବେଦନ କରିବା କଥା। ତେବେ ଖଣ୍ଡପୀଠ ନିଜ ବିଚାରରେ ଉଲ୍ଲେଖ କରିଛନ୍ତି ଯେ ଅଭିଯୁକ୍ତ ପକ୍ଷ ଏହି ଯୁକ୍ତିକୁ ପୂର୍ବରୁ ନିମ୍ନ ଅଦାଲତରେ ଉପସ୍ଥାପିତ କରିସାରିଛନ୍ତି। ୨୦୨୩ ଏପ୍ରିଲରେ ଅହମ୍ମଦାବାଦ କୋର୍ଟ କେଜ୍ରିୱାଲ୍ ଓ ସଞ୍ଜୟ ସିଂହଙ୍କୁ ସମନ ଜାରି କରିଥିଲେ। ଏହା ବିରୋଧରେ ଉଭୟେ କରିଥିବା ଆବେଦନକୁ ସେପ୍ଟେମ୍ବର ୨୦୨୩ରେ ସେସନ୍ସ କୋର୍ଟ ଏବଂ ପରେ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ।